ଅର୍ଥ ବିଭାଗ ଆଣିଲା ‘ଓଡ଼ିଶା ବଜେଟ’ ଆପ୍‌, ଏଣିକି ଆପ୍‌ ମାଧ୍ୟମରେ କୌଣସି ବ୍ୟକ୍ତି ଦେଖିପାରିବେ ତଥ୍ୟ

କେନ୍ୟୁଜ୍(ବ୍ୟୁରୋ):  ଏଥର ଡିଜିଟାଲ ଫର୍ମରେ ବଜେଟ୍‌ ତଥ୍ୟ ମିଳିବ। ଅର୍ଥ ବିଭାଗ ଏକ ଆପ୍‌ ଡେଭଲପ କରିଛି। ନାଁ ରଖାଯାଇଛି ଓଡ଼ିଶା ବଜେଟ୍‌ । ଅର୍ଥମନ୍ତ୍ରୀ ବଜେଟ୍‌ ଉପସ୍ଥାପିତ କରିବା ପରେ ବଜେଟ୍‌ ସମ୍ପର୍କିତ ସମସ୍ତ ତଥ୍ୟ ଏହି ଆପ୍‌ ମାଧ୍ୟମରେ ଯେ କୌଣସି ବ୍ୟକ୍ତି ଦେଖିପାରିବେ। କେବଳ ମନ୍ତ୍ରୀଙ୍କ ବଜେଟ୍‌ ବକ୍ତବ୍ୟ ପ୍ରିଣ୍ଟ ଆକାରରେ ପ୍ରଦାନ କରାଯିବ। ବାକି ସମସ୍ତ ତଥ୍ୟ ପେନ୍‌ ଡ୍ରାଇଭ ମାଧ୍ୟମରେ ଯୋଗାଇ ଦିଆଯିବ। ସମସ୍ତ ଏମଏଲଏଙ୍କୁ ମିଳିବ ଗୋଟିଏ ଲେଖାଏଁ ଆଇପ୍ୟାଡ୍‌। ଆଗଭଳି ବଜେଟ୍‌ ପାଇଁ ମୋଟା ମୋଟା ବହି ଛପା ହୋଇନାହିଁ। ୫୭ ଲକ୍ଷ ପୃଷ୍ଠା ଛପା ହୋଇଥାନ୍ତା। ଏବେ ଛପା ନିଯିବାରୁ ପ୍ରାୟ ୮ଶହ ଗଛ କଟିବାରୁ ରକ୍ଷା ହୋଇପାରିଲା ବୋଲି ବାଚସ୍ପତି କହିଛନ୍ତି।

budget1

ଆସନ୍ତା ୧୮ରେ ବଜେଟ୍‌ ଆସିବ। ଏଥର ବଜେଟ୍‌ ଆକାର ୧ ଲକ୍ଷ ୫୦ହଜାର କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଉଛି। ସ୍ୱତନ୍ତ୍ର ଭାବେ କୃଷି ବଜେଟ୍‌ ଆସିବ। ବଜେଟରେ କୃଷି, ଜଳସେଚନ ଓ ଭିତ୍ତିଭୂମିକୁ ମିଳିବ ଅଧିକ ଗୁରୁତ୍ୱ। ନିକଟରେ ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀମନ୍ଦିର ହେରିଟେଜ କରିଡର ନିର୍ମାଣ ପାଇଁ ଘୋଷଣା କରିଛନ୍ତି। ଏଥିପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟୟବରାଦ ହୋଇପାରେ। ଏହାକୁ ବାଦ୍‌ ଦେଲେ ଲିଙ୍ଗରାଜ, ସମଲେଶ୍ୱରୀ ଓ ତାରାତାରିଣୀ ମନ୍ଦିରର ବିକାଶ ପାଇଁ ବଜେଟ୍‌ରେ ବ୍ୟବସ୍ଥା ହେବା ସମ୍ଭାବନା ରହିଛି। କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲର ପୁର୍ନଗଠନ ପାଇଁ ମଧ୍ୟ ଅର୍ଥ ବରାଦ ହୋଇଥିବା କୁହାଯାଉଛି। ପଞ୍ଚଦଶ ଅର୍ଥକମିଶନ ପ୍ରଦାନ କରିଥିବା ବର୍ଷିକିଆ ରିପୋର୍ଟରେ ଓଡ଼ିଶାକୁ ଅନୁଦାନ କମିଛି। ଏହାସହ କେନ୍ଦ୍ରୀୟ ଯୋଜନାରେ ଅର୍ଥ କମିବା ନେଇ ଆଶଙ୍କା ଥିବାରୁ ଏହା ରାଜ୍ୟ ବଜେଟ୍‌ ଉପରେ ପ୍ରଭାବ ପକାଇବ ବୋଲି ବିରୋଧୀ କହିଛନ୍ତି।

ରାଜ୍ୟପାଳ ତାଙ୍କ ଅଭିଭାଷଣ କହିଥିଲେ, ଆସନ୍ତା ଆର୍ଥିକ ବର୍ଷରେ ୨୫୦ ସେତୁ, ୨୫୪୨ କିଲୋମିଟର ରାସ୍ତା ନିର୍ମାଣ ହେବ। ପୁରୀ-କୋଣାର୍କ ମେରାଇନ ଡ୍ରାଇଭ, ତାଳେଶ୍ୱର-ଉଦୟପୁର ସମୁଦ୍ରତଟରେ ବିଶ୍ୱସ୍ତରୀୟ ବେଳାଭୂମିରେ କଟେଜ ନିର୍ମାଣ କରିବା ପାଇଁ କୁହାଯାଇଛି। ଏଥିପାଇଁ ମଧ୍ୟ ବଜେଟରେ ବ୍ୟୟବରାଦ ହୋଇପାରେ।