ଚଳିତ ବର୍ଷ ଆସିପାରେ ପ୍ରାୟ ୧ ଲକ୍ଷ ୩୮ ହଜାର କୋଟି ଟଙ୍କା ବଜେଟ୍, ଫୋକସରେ କାଳିଆ, ନିଜସ୍ୱ ଖାଦ୍ୟ ସୁରକ୍ଷା ଭଳି ଜନ କଲ୍ୟାଣକାରୀ ଯୋଜନା

୨୦୧୯-୨୦ ପାଇଁ ରାଜ୍ୟ ବଜେଟ୍ ଆକାର ରହିବ ପ୍ରାୟ ୧ ଲକ୍ଷ ୩୮ ହଜାର କୋଟି ଟଙ୍କା। ରାଜ୍ୟରେ କାଳିଆ ଭଳି ଅନେକ ଜନ କଲ୍ୟାଣକାରୀ ସଂଖ୍ୟା ବଢିଥିବାରୁ ବଜେଟ୍ ଆକାର ମଧ୍ୟ ବଢିବାକୁ ଯାଉଛି। ଗତ ଆର୍ଥିକ ବର୍ଷରେ ବଜେଟ୍ ଆକାର ଥିଲା ୧ ଲକ୍ଷ ୨୦ ହଜାର କୋଟି ଟଙ୍କା। ଏଥର ଫୋକସରେ ରହିଛି କାଳିଆ, ନିଜସ୍ୱ ଖାଦ୍ୟ ସୁରକ୍ଷା, କୃଷି ଓ ଜଳ ସେଚନ, ମିଶନ ଶକ୍ତି ଭଳି ଯୋଜନା।
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସାଙ୍ଗକୁ କାଳିଆ ଯୋଜନା। ରାଜ୍ୟ ସରକାରଙ୍କ ଖର୍ଚ୍ଚ ବଢିଛି। ଏହାସହ ବହୁ ଉନ୍ନୟନ ମୂଳକ କାମ ରହିଛି। ତେଣୁ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟର ଆକାର ବଢିବ। ପ୍ରାୟ ୧ ଲକ୍ଷ ୩୮ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହେବ। ଯାହାକୁ ମନ୍ତ୍ରିପରିଷଦର ଅନୁମୋଦନ ମିଳିଛି।

budget 1

ଏଥର ବଜେଟରେ ଫୋକସରେ ରହିବ କାଳିଆ ଯୋଜନା। ପୂର୍ବରୁ ପ୍ରାୟ ୪ ହଜାର କୋଟି ଟଙ୍କାର ବ୍ୟବସ୍ଥା ଥିଲା। କିନ୍ତୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ ହେବ ଅଧିକ ୩ ହଜାର ୨୩୪ କୋଟି ଟଙ୍କା। ପୂର୍ବରୁ କାଳିଆ ଯୋଜନାରେ ୪୨ ଲକ୍ଷ ହିତାଧିକାରୀ ଥିଲେ। ଏଥିରେ ଆଉ ୩୨ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଫଳରେ ହିତାଧିକାରୀଙ୍କ ସଂଖ୍ୟା ୭୫ ଲକ୍ଷରେ ପହଞ୍ଚିଛି।
ବାତ୍ୟାରେ ବହୁ କ୍ଷତି ହୋଇଛି। ତେଣୁ ବିପର୍ଯ୍ୟୟ ମୁକାବିଲା ନେଇ ମଧ୍ୟ ଅଧିକ ବ୍ୟୟ ବରାଦ ହୋଇପାରେ। ବିଶେଷ କରି ବିଦ୍ୟୁତ୍ ବିଭାଗରେ ମରାମତି କାମ ଚାଲୁଥିବାରୁ ଏହି ବିଭାଗ ପାଇଁ ଅଧିକ ଅର୍ଥ ଆବଣ୍ଟନ ହୋଇପାରେ।

budget 2

ଖାଦ୍ୟ ସୁରକ୍ଷା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। କାରଣ କେନ୍ଦ୍ରୀୟ ହିସାବରୁ ବଂଚିତ ହିତାଧିକାରୀଙ୍କ ପାଇଁ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି। ମହିଳାଙ୍କୁ ସ୍ୱାବଲମ୍ବି କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ମିଶନ ଶକ୍ତି ଜରିଆରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ହଜାରେ କୋଟି ଟଙ୍କାର ସରକାରୀ କାମ ଦେବାକୁ ସରକାର ଘୋଷଣା କରିଛନ୍ତି। ତେଣୁ ମିଶନ ଶକ୍ତିରେ ମଧ୍ୟ ବ୍ୟୟ ବରାଦ ବଢିପାରେ। ଗତ ୫ ବର୍ଷ ହେବ ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପିତ ହୋଇ ଆସୁଛି। ଏଥର ମଧ୍ୟ ସ୍ୱତନ୍ତ୍ର କୃଷି ବଜେଟ୍ ଆସିପାରେ। ଜଳ ସେଚନ ଉପରେ ଅଧିକ ଗୁରୁତ୍ୱ ମିଳିପାରେ।

ଜୁନ୍ ୨୮ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ। ବଜେଟ୍ ନେଇ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ରାଜ୍ୟ ସରକାର। ଲୋଡାଯାଇଥିଲା ଜନସାଧାରଣଙ୍କ ମତାମତ। ଏହାସହ ଅର୍ଥନୀତି ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.