ବ୍ରହ୍ମଗିରିର ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ମାମଲା, ୨ ଜଣଙ୍କୁ ବାନ୍ଧିଲା କ୍ରାଇମ୍ବ୍ରାଞ୍ଚ

ବ୍ରହ୍ମଗିରି(କେନ୍ୟୁଜ୍): ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟାକାଣ୍ଡର ଖୋଲିଲା ଗୁମର। ଚିତ୍ତରଞ୍ଜନ ପଲେଇଙ୍କୁ ହତ୍ୟା କରାଯାଇଛି। ଏ ମାମଲାରେ ୨ ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ। ଦୁଇ ଅଭିଯୁକ୍ତ ହେଲେ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ। ଦୁଇ ଜଣଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ ହୋଇଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ୫ ଜଣଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା।
ଦୁଇ ଜଣ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା 302, 120-ବି, 201 ଓ 34 ଲାଗିଛି। କ୍ରାଇମବ୍ରାଞ୍ଜ ସୂଚନା ମୁତାବକ, ୧୧ ତାରିଖ ଦିନ ପୁରୀ ମାଟିଆପଡ଼ା ଜଗନ୍ନାଥ ଷଡ଼ଙ୍ଗୀଙ୍କ ଭଡ଼ାଘରେ ରାତିରେ ଭୋଜି ହୋଇଥିଲା। ଏହାପରେ ଚିତ୍ତଞ୍ଜନଙ୍କୁ ସାଥିରେ ନେଇ ଜଗନ୍ନାଥ ଚକ୍ରପଡ଼ା ଯାଇଥିଲା। ଚକ୍ରପଡ଼ା ଗାଁରେ ଉଭୟଙ୍କ ମଧ୍ୟର ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତି ତର୍କକୁ କେନ୍ଦ୍ର କରି ଚିତ୍ତରଂଜନ ପଲେଇଙ୍କ ହତ୍ୟା କରାଯାଇଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି। ଏ ଘଟଣାରେ ଆହୁରି କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି। ଘଟଣାର ତଦନ୍ତ ଜାରି ରହିଛି।
ଗତ ୧୧ ରାତିରୁ ନିଖୋଜ ଥିଲେ ଚିତ୍ତରଞ୍ଜନ ପଲ୍ଲେଇ। ୧୩ ତାରିଖ ସକାଳୁ ଚିତ୍ତରଞ୍ଜନଙ୍କ ମୃତଦେହ ନୂଆନଇ ପଠାରୁ ମିଳିଥିଲା। ୧୫ ତାରିଖରୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଆସିଥିଲା।