ମା’ରକ୍ଷା କାଳୀଙ୍କ ପୀଠରେ ଗୁଆ ବସାଇଲେ ନିଶ୍ଚିତ ପୂର୍ଣ୍ଣ ହୁଏ ମାନସିକ

ଓଡିଶାର ଯେଉଁ କେତୋଟି ଶକ୍ତି ପୀଠ ପ୍ରତି ଭକ୍ତ ମାନଙ୍କ ବିଶ୍ୱାସ ଓ ଭରସା ଅଛି ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅଧିନସ୍ଥ ଦଳାଙ୍ଗ ପଂଚାୟତ ରମେଶ୍ଵର ପୁରଠାରେ ଥିବା ମା'ରକ୍ଷା କାଳୀଙ୍କ ପୀଠ ହେଉଛି ଅନ୍ୟତମ ।

ଭଦ୍ରକ(କେନ୍ୟୁଜ): ଓଡିଶାର ଯେଉଁ କେତୋଟି ଶକ୍ତି ପୀଠ ପ୍ରତି ଭକ୍ତ ମାନଙ୍କ ବିଶ୍ୱାସ ଓ ଭରସା ଅଛି ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅଧିନସ୍ଥ ଦଳାଙ୍ଗ ପଂଚାୟତ ରମେଶ୍ଵର ପୁରଠାରେ ଥିବା ମା’ରକ୍ଷା କାଳୀଙ୍କ ପୀଠ ହେଉଛି ଅନ୍ୟତମ । ଏହି ପୀଠର ପ୍ରସିଦ୍ଧି ଯେପରି ବଢୁଛି ମା’ଙ୍କ ପୂଜା ନୀତି ମଧ୍ୟ ସେପରି ନିଆରା ରହିଛି । ଏକଦା ବୋଦା ବଳି ପାଇଁ ଚର୍ଚ୍ଚାରେ ଥିବା ଏହି ପୀଠରେ ଏବେ ବଳି ପ୍ରଥା ବନ୍ଦ ରହିଛି ସତ କିନ୍ତୁ ମାନସିକଧାରୀଙ୍କ ଆବେଗ କିନ୍ତୁ ବନ୍ଦ ହୋଇନାହିଁ । ତେବେ ସବୁଠୁ ବଡ଼ କଥା ହେଲା ମା’ରକ୍ଷା କାଳୀ କେଉଁ ଆବାହମାନ କାଳରୁ ଏଠାରେ ପୂଜା ପାଇ ଆସୁଥିଲେ ମଧ୍ୟ ମା’ଙ୍କ ବାର୍ଷିକ ପୂଜାରେ ଗ୍ରାମବାସୀ ମାନେ କେହି ଅର୍ଥ ଦିଅନ୍ତି ନାହିଁ। କେବଳ ମାନସିକଧାରୀଙ୍କ ସହଯୋଗରେ ହିଁ ଏଠାରେ ଦୁଇ ଦିନ ଧରି ମହାଆଡମ୍ବର ସହିତ ପୂଜା ଅନୁଷ୍ଠିତ ହୋଇଥାଏ । ଯାହା ବିରଳ ।

ତେବେ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅଧିନସ୍ଥ ଦଳାଙ୍ଗ ପଂଚାୟତର ରାମେଶ୍ୱର ପୁରଠାରେ ଗେଙ୍ଗୁଟି ନଦୀ କୂଳରେ ରହିଛି ମା’ ରକ୍ଷା କାଳୀଙ୍କ ପୀଠ । ପୀଠର ପାରିସରର ଉନ୍ନତି ସେପରି କିଛି ହୋଇପାରିନଥିଲେ ବି ମା’ଙ୍କ କରୁଣା ଓ ମହିମା ଯୋଗୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଟାଣି ଆଣିଥାଏ ଏହି ପୀଠକୁ । ତେବେ ମା’ ଙ୍କୁ ବର୍ଷ ତମାମ ଏଠାରେ ପୂଜାର୍ଚ୍ଚନା କରାଯାଉଥିଲେ ବି ବର୍ଷକରେ ଥରେ ମହାଆଡମ୍ବର ସହିତ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଥାଏ ।

ଚଳିତ ବର୍ଷ ମା’ଙ୍କ ଏହି ପୂଜାକୁ ମହା ଆଡମ୍ବର ସହିତ ଭକ୍ତ ମାନେ ପାଳନ କରିଥିଲେ । ସେହିପରି ଦୀର୍ଘ ଦଶନ୍ଧି ହେଲା ଏଠାରେ ବଳି ପ୍ରଥା ରହି ଆସିଥିଲା । ହଜାର ହଜାର ବୋଦା ବଳି ଏଠାରେ ପଡୁଥିଲା। ମା’ ଙ୍କ ପୀଠ ରକ୍ତ ରଂଜିତ ହୋଇ ପଡୁଥିଲ । ହେଲେ ପ୍ରଶାସନର ଅନୁରୋଧ ପରେ ଏହି ବଳି ପ୍ରଥା ବନ୍ଦ ରହିଛି ସତ କିନ୍ତୁ ମାନସିକଧାରୀ ଭକ୍ତ ମାନେ କିନ୍ତୁ ନିଜର ମନସ୍କାମନା ପୂର୍ଣ୍ଣି ପରେ ବୋଦା ଉତ୍ସର୍ଗ ପାଇଁ ପୀଠକୁ ଆଣୁଛନ୍ତି।

ଚଳିତ ବର୍ଷ ୭ଶହ ରୁ ଅଧିକ ବୋଦାକୁ ମାନସିକଧାରୀ ମାନେ ଆଣିଥିଲେ । କିନ୍ତୁ ପୂଜା କମିଟି ପକ୍ଷରୁ ବୋଦାଙ୍କ କାନକୁ ସାମାନ୍ୟ ଟିକେ କାଟି ଛାଡି ଦିଆଯାଇଛି । ତେବେ ମା’ଙ୍କ ପୀଠକୁ ଆସି ଗୁଆଟିଏ ବସାଇ ଯିଏ ଯାହା ମାନସିକ କରେ ମା’ ରକ୍ଷା କାଳୀ ବିପଦ ଆପଦ ଠାରୁ ଆରମ୍ଭ କରି ସବୁ ମନବାଞ୍ଛା ଭକ୍ତର ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଚଳିତ ବର୍ଷ ଏହି ପୀଠ ରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତ ମାନେ ମା’ ରକ୍ଷା କାଳୀଙ୍କୁ ପୂଜାର୍ଚ୍ଚନା କରି ତାଙ୍କ କୃପା ଲାଭ କରିବା ସହିତ ସେଠାରେ ଆୟୋଜିତ ମେଳା ବୁଲି ଜିନିଷ ପତ୍ର ମଧ୍ୟ କିଣା କିଣି କରି ମନ ଖୁସିରେ ଘରକୁ ଯାଇଛନ୍ତି ।

ଚଳିତ ବର୍ଷ ଏହି ପୂଜା ଉତ୍ସବରେ ଧାମନଗର ବ୍ଲକ ସହିତ ଭଦ୍ରକ ତଥା ଯାଜପୁର ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ପୂଜା ରେ ଯୋଗଦେଇଥିଲେ । ମା ରକ୍ଷା କାଳୀଙ୍କ ପ୍ରତି ଭକ୍ତ ମାନଙ୍କ ବିଶ୍ୱାସ ଓ ଭରସା ବଢ଼ି ବଢ଼ି ଚାଲୁଥିବାରୁ ପୂଜାର ମାହୋଲ ମଧ୍ୟ ପ୍ରତିବର୍ଷ ବଢ଼ିବାରେ ଲାଗିଛି । ବାସ୍ତବିକ ମା’ ରକ୍ଷା କାଳୀଙ୍କ ପ୍ରତି ଲୋକ ମାନଙ୍କ ବିଶ୍ୱାସ ଓ ଭରସା ଯୋଗୁ ଏହି ପୂଜା ଏବେ ଏକ ଗଣ ପର୍ବ ଭାବେ ପାଳିତ ହୋଇ ଆସୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.