ଓଡ଼ିଶାରୁ ୨୨ଜଣଙ୍କୁ ମିଳିବ ରାଷ୍ଟ୍ରପତିଙ୍କ ପୋଲିସ ମେଡାଲ, ୯ ଜଣିଆ ଟିମ୍‌କୁ ମିଳିବ ସାହସିକତା ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ପାଇଁ ପୋଲିସ ସାହସିକତା ଓ ସେବା ପଦକ ଘୋଷିତ। ଚଳିତ ବର୍ଷ ସାହସିକତା ଓ ସେବା ପଦକରେ ସମ୍ମାନିତ ହେବେ ୯୩୯ଜଣ ପୋଲିସ କର୍ମଚାରୀ। ୧୮୯ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ସାହସିକତା ପାଇଁ ପୋଲିସ ପଦକରେ ସମ୍ମାନିତ ହେବେ। ୮୮ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ। ୬୬୨ଜଣ ପୋଲିସ କର୍ମଚାରୀ ପ୍ରଶଂସନୀୟ ସେବା ପଦକରେ ସମ୍ମାନିତ ହେବେ।

ଓଡ଼ିଶାରୁ ୨୨ଜଣଙ୍କୁ ମିଳିବ ପୋଲିସ ମେଡାଲ। ୯ଜଣ ପୋଲିସ କର୍ମତାରୀ ସାହସିକତା ପୁରସ୍କାରରେ ହେବେ ସମ୍ମାନିତ। ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କ ବିରୋଧରେ ପୋଲିସର ସଫଳତା ନେଇ ମିଳିବ ପୁରସ୍କାର। ତତ୍‌କାଳୀନ ମାଲକାନଗିରି ଏସପି ହୃଷୀକେଶ ଖିଲାରୀ ଓ ତାଙ୍କ ଟିମ୍‌ର ୮ସଦସ୍ୟ ୨୦୧୯ ଅଗଷ୍ଟ ୨୮ ତାରିଖରେ ବଣ୍ଡାଘାଟି ନିକଟରେ ନକ୍ସଲଙ୍କ ବିରୋଧରେ ବଡ଼ ଧରଣର ଅପରେସନ କରିଥିଲେ। ଏସଓଜି ଓ ଡିଭିଏଫର ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ଜଣେ ନକ୍ସଲ ନିହତ ହେବା ସହ ବହୁ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଥିଲା।

ତେବେ ଜଣେ ଯବାନ ଏଥିରେ ସହିଦ ହୋଇଥିଲା। ଏହାପରେ ସଂପୃକ୍ତ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଗତିବିଧି ବନ୍ଦ ହୋଇଯାଇଥିଲା। ଏସପି ହୃଷୀକେଶ ଖିଲାରୀ ଓ ଟିମ୍‌ ସଦସ୍ୟଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତତ୍‌କାଳୀନ ଡିଜିପି ଅଭୟ। ଏହି ସଫଳତା ପାଇଁ ଆଇଏପିସ ହୃଷୀକେଶ ଖିଲାରୀଙ୍କ ସହ ମରଣୋତ୍ତର ଭାବେ ଓଏପିଏଫ ଯବାନ ସ୍ୱର୍ଗତ ଜୟରାମ କବାସୀ, ଓଏପିଫ ଯବାନ ରାମୁ ଦୁରୁଆ, କନଷ୍ଟେବଳ ବନ୍ଧୁ ହନ୍ତାଳ, କନଷ୍ଟେବଳ ଘେନୁ ହନ୍ତାଳ, ହାବିଲଦାର ପ୍ରବୀଣ ଥାପା, ହାବିଲଦାର ରାଜେଶ ବିଶ୍ୱକର୍ମା, କନଷ୍ଟେବଳ ଜୀବନ ଶାହୀ ଓ କନଷ୍ଟେବଳ ଔଷଧୀନାଥ ବେହେରାଙ୍କୁ ମିଳିବ ସାହସିକତା ପାଇଁ ପୋଲିସ ପଦକ।ସେହିପରି ଉଲ୍ଲେଖନୀୟ ସେବା ପାଇଁ ୨ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ। ଅନ୍ୟ ୧୧ ଜଣଙ୍କୁ ମିଳିବ ପ୍ରଶଂସନୀୟ ସେବା ପାଇଁ ପୋଲିସ ପଦକ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.