Below header

ପରିବାର ଲୋକେ ପୋତିଦେଇଥିଲେ, କିନ୍ତୁ ମାଟିତଳୁ ମୃତଦେହକୁ ଖୋଳିଲା ପୋଲିସ ! ବ୍ୟବଚ୍ଛେଦ ପରେ ଜଣାପଡିବ ମୃତ୍ୟୁର ପ୍ରକୃତ ରହସ୍ୟ

ଯାଜପୁର (କେନ୍ୟୁଜ) : ଯୁବତୀ ମଲେ କେମିତି। ପରିବାର ଲୋକେ କାହିଁକି ଚୁପ୍‌। ମୃତ୍ୟୁ ପରେ କାହିଁକି ଗୋପନରେ ପୋତିଦେଲେ ପରିବାର ଲୋକେ। ଏମିତି ଅନେକ କିଛି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଜେସିବି ଲଗାଇ ମାଟି ତଳୁ ମୃତଦେହକୁ ଖୋଳୁଛି ପୋଲିସ। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଆରୁହା ପଞ୍ଚାୟତରେ। ଏଠାରେ ଶ୍ମଶାନରୁ ମାଟି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।

ଆରୁହା ଗ୍ରାମର ସ୍ବର୍ଗତ ଅନନ୍ତ ଜେନାଙ୍କ ଝିଅ ଉପାସନା ଜେନାଙ୍କର ରବିବାର ଦିନ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ପରିବାର ଲୋକେ ମୃତ ଦେହକୁ ଗାଁ ନିକଟସ୍ଥ ଶ୍ମାଶନରେ ପୋତି ଦେଇଥିଲେ। ତେବେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଯୁବତୀଙ୍କ ଘରେ ପହଁଚିଥିଲେ। ଯାଜପୁର ଏସପିଙ୍କ ନିର୍ଦେଶକ୍ରମେ ଯୁବତୀଙ୍କର କେଉଁ କାରଣରୁ ମୃତ୍ୟୁ ହେଲା ସେ ନେଇ ଅଧିକ ପଚରାଉଚରା କରିଥଲେ। କିନ୍ତୁ ପରିବାର ଲୋକଙ୍କଠାରୁ ସନ୍ତୋଷଜନକ ଉତ୍ତର ନପାଇପାରିଲାନି ପୋଲିସ।

ତେଣୁ ଆଜି ଯାଜପୁରରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକ, ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ, ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ସଦଳବଳ ଶ୍ମଶାନକୁ ଯାଇ ଜେସିବି ମେସିନ ସାହାଯ୍ୟରେ ମାଟି ତାଡି ଯୁବତୀଙ୍କ ମୃତ ଦେହକୁ ବାହାର କରି ଶବ ବ୍ୟବଛେଦ ପାଇଁ ଯାଜପୁର ପଠାଇଛି। ତେବେ ଯୁବତୀଙ୍କ ମୃତ୍ୟୁକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ନାନା ଚର୍ଚ୍ଚା ଆଲୋଚନା ହେଉଛି। ମୃତ୍ୟୁ ପରେ ପରିବାର ଲୋକେ କାହିଁକି ପୋଲିସକୁ ନ ଜଣାଇ ମୃତ ଦେହକୁ ପୋତି ଦେଲେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଘରେ ବିଧବା ମା ଓ ଭାଇ ରହୁଥିବା ବେଳେ ଯୁବତୀଙ୍କ କିଭଳି ଭାବେ ମୃତ୍ୟୁ ହେଲା ତାକୁ ନେଇ ଏବେ ସବୁଠି ଚର୍ଚ୍ଚା।

ତେବେ ଏହାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ। ତାପରେ ଯାଇ ଜଣାପଡିବ ଏହି ସନ୍ଦେହଜନକ ମୃତ୍ୟୁ ପ୍ରାକୃତିକ ନା ଆଉକିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.