ଏମିତି ତ ଏମିତି ବଦଳେ ସମୟ: ରଙ୍ଗ ମିସ୍ତ୍ରୀରୁ କାଉନସିଲର, ଏବେ ଚର୍ଚ୍ଚାରେ କଳ୍ପନା

ରେଢାଖୋଲ(କେନ୍ୟୁଜ୍) : ସାଧାରଣ ଜୀବନରୁ କାଉନସିଲର। ପ୍ରଥମଥର ରାଜନୀତିରେ ପାଦଦେଇ ପାଇଲେ ସଫଳତା। କଥାରେ ଅଛି ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳେ। ଯାହା ସମ୍ଭବ କରି ଦେଖାଇଛନ୍ତି ୨୭ ବର୍ଷୀୟା ଯୁବତୀ କଳ୍ପନା ନାୟକ। ଯିଏ ଦିନ ମଜୁରୀଆ ରୁ ହୋଇପାରିଛନ୍ତି କାଉନସିଲର । ରେଢାଖୋଲ ଏନଏସି ନିର୍ବାଚନରେ ଏଥର ୧୨ନମ୍ବର ୱାର୍ଡରୁ କଳ୍ପନା ନାୟକ ବିଜେପିରୁ କାଉନସିଲର ପ୍ରାଥିୀ ହୋଇ ୧୫୦ ଖଣ୍ଡ ଭୋଟ ବ୍ଯବଧାନରେ ବିଜୟୀ ହୋଇଛନ୍ତି । ଯାହାକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ।

ଗରିବ ପରିବାରରେ ତାଙ୍କ ଜନ୍ମ। ତେଣୁ ଗରିବର କଷ୍ଟକୁ ସେ ନିଜେ ଅନୁଭବ କରିଛନ୍ତି। ଗୋଟିଏ ଭାଇ, ତିନି ଭଉଣୀ ଓ ବିଧବା ମାଁ ସହ ରେଢାଖୋଲ ଯଦୁମଣିପାଟଣାରେ ରୁହନ୍ତି । ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିଛନ୍ତି କଳ୍ପନା । ହେଲେ ଅର୍ଥ ଅଭାବରୁ ଆଗକୁ ପଢିପାରିଲେନି । ମଝିଆ ଝିଅ ହେଲେ ବି ବାପାଙ୍କ ମୃତ୍ୟୁ ପରେ ଘରର ସମସ୍ତ ଦାୟିତ୍ୱ କଳ୍ପନାଙ୍କ ଉପରେ । ଦିନମଜୁରିଆ କାମ, ରଂଗ ମିସ୍ତ୍ରୀ , କାଠକାଟିବା କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ । ତାହା ସହିତ ସାହି ପଡିଶା ଙ୍କ ସୁଖଦୁଖ ରେ ସାମିଲ ହୁଅନ୍ତି ସବୁ କାମରେ । ସ୍କୁଟି ହେଉ ବା ସାଇକେଲ ସେସବୁକୁ ଚଲାଇ ଲୋକମାନଙ୍କ ପାଖରେ ପହଁଚି ଯାଆନ୍ତି କଳ୍ପନା ।

ରାଜନୀତିରେ ଟିକିଏ ବି ସଉକ ନଥିବା ସତ୍ୱେ ମେଡିକାଲ କାମ, ବିପଦ ଆପଦରେ ଦିନରାତି ସମସ୍ତଙ୍କ ପାଖରେ ପହଁଚିବାରେ କଳ୍ପନା ପୁରା ଧୁରନ୍ଦର । ଏମିତି ଜନହିତକର କାମ କରି ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇଥିଲେ । ଏଥର ଭାରତୀୟ ଜନତା ପାର୍ଟୀ ତାଙ୍କୁ ୧୨ ନମ୍ବର ୱାର୍ଡ ରୁ ପ୍ରାର୍ଥୀ କରିଥିଲା । ନିଜ ୱାର୍ଡର ବିଭିନ୍ନ ସମସ୍ଯା କୁ ଦେଖି ଲୋକଙ୍କ ସମର୍ଥନ ପାଇ ପ୍ରାଥିୀ ହେବାକୁ ରାଜିହେଲେ କଳ୍ପନା । ଆଉ ଏବେ ବିଜୟ ହେବାପରେ ସାହି ପଡିଶା ସହିତ ବିଭିନ୍ନ ମହଲରୁ ତାଙ୍କୁ ମିଳୁଛି ପ୍ରଶଂସା । କାଉନସିଲର ହେଲାପରେ ବି ସେ ପୂର୍ବ ଭଳି ନିଜ ବୃତି କରି ଲୋକଙ୍କ ପାଖରେ ପହଁଚିବି ବୋଲି କୁହିଛନ୍ତି କଳ୍ପନା ।

ସୁଖ ଦୁଃଖ ସମୟର ଦାସ। ସମୟ ସହ ପାଦ ଦେଇ ପରିସ୍ଥିତି ବଦଳିଥାଏ । ତେଣୁ ଜୀବନରେ କେବେ କୌଣସି ପରିସ୍ଥିତିରେ ଭାଙ୍ଗିନପଡି ନିଜର ଆତ୍ମବିଶ୍ବାସକୁ ଦ୍ରୁଢ ରଖିବା ଉଚିତ୍। ଯାହା ପ୍ରମାଣ କରି ଦେଖାଛନ୍ତି କଳ୍ପନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.