Below header

ଓଡ଼ିଶା ହାଇକୋର୍ଟରେ ଆଉ ତିନି ବିଚାରପତିଙ୍କ ନିଯୁକ୍ତି, ସଂଖ୍ୟା ପହଞ୍ଚିଲା ୨୧ରେ

କଟକ(କେନ୍ୟୁଜ୍):  ଓଡ଼ିଶା ହାଇକୋର୍ଟରେ ଆଉ ତିନି ବିଚାରପତିଙ୍କ ନିଯୁକ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ମନ୍ତ୍ରାଳୟର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ହାଇକୋର୍ଟରେ ନିଯୁକ୍ତି ପାଇଥିବା ତିନି ବିଚାରପତି ହେଲେ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀ ରମଣ। ଏହି ନିଯୁକ୍ତି ସହ ହାଇକୋର୍ଟରେ ବିଚାପତିଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି ।

ହାଇକୋର୍ଟର ପୂର୍ବତନ ବିଚାରପତି ସ୍ୱର୍ଗତ ଜଷ୍ଟିସ ଭି.ଗୋପାଳ ସ୍ୱାମୀଙ୍କ ପୁଅ ହେଉଛନ୍ତି ଭି.ନରାସିଂହ । ଭୁବନେଶ୍ୱର ୟୁନିଟ ୧ ସରକାରୀ ବାଳକ ବିଦ୍ୟାଳୟରୁ ମାଟ୍ରିକ ପାସ ପରେ ବିଜେବି କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ୧୯୮୯ରେ ସେ ଓକିଲାତି ଆରମ୍ଭ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ମାମଲା ପରିଚାଳନା ପାଇଁ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତି ପାଇଥିଲେ । ସିବିଆଇ ପକ୍ଷରୁ ମାମଲା ପରିଚାଳନା ପାଇଁ ତାଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା । ଜଷ୍ଟିସ ଏ.ଏସ.ନାଇଡୁ ତଦନ୍ତ କମିସନରେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଆଇନଜୀବୀ ଭାବେ ନିଯୁକ୍ତି ଦିଆଯାଇଥିଲା ।

ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଭଗବାନ ଶତପଥୀ ଓ ପ୍ରଭାବତୀ ଶତପଥୀଙ୍କ ପୁଅ ହେଉଛନ୍ତି ଆଇନଜୀବୀ ବିରଜା ପ୍ରସନ୍ନ ଶତପଥୀ । ୧୯୮୧ରେ ସେ ତିର୍ତ୍ତୋଲ ହାଇସ୍କୁଲରୁ ମାଟ୍ରିକ୍‌ ପାସ କରିଥିଲେ । ରେଭେନ୍ସାରୁ ଆଇ.କମ୍‌, ବି.କମ୍‌ ଓ ଏମ୍‌.କମ୍‌ ଡିଗ୍ରୀ ହାସଲ କରିଥିଲେ । ୧୯୯୩ରେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ସେ ବହୁ ଗିରବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମାମଲା ପରିଚାଳନା କରିଛନ୍ତି । …ସେହିପରି ଏମ.ଆର.ଭି ରାଓ ଓ ଅନସୂୟା ଦେବୀଙ୍କ ପୁଅ ମୁରାହରି ଶ୍ରୀ ରମଣ । ୧୯୯୭ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ବାଣିଜ୍ୟକର ବିଭାଗର ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ଭାବେ ୨୦୦୯ରେ ନିଯୁକ୍ତି ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.