ଗ୍ୟାସ ସିଲିଣ୍ଡର ସଜାଡିବାବେଳେ ହଠାତ୍‌ ଲାଗିଲା ନିଆଁ, ମହିଳା ଶିଶୁ ସମେତ ୬ ଗୁରୁତର

ଟିକିଏ ଅସାବଧାନତା ବଡ ବିପଦ ମୁହଁକୁ। ଗ୍ୟାସ ସିଲିଣ୍ଡର ସଜାଡୁ ସଜାଡୁ ହଠାତ୍‌ ଲାଗିଲା ନିଆଁ। ଅଳ୍ପକେ ତ ବର୍ତ୍ତିଗଲେ କିନ୍ତୁ ଯନ୍ତ୍ରଣାରେ ହେଲେ ଛଟପଟ। ଖୋର୍ଦ୍ଧା ବେଗୁନିଆ ଥାନା ଗଡମାଣିତ୍ରୀ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।

ସୂଚନା ମୁତାବକ ଘରେ ଗ୍ୟାସ ଚୂଲା ନଜଳିବାରୁ ସଜାଡିବାବେଳେ ଘଟିଗଲା ଏମିିତି ଏକ ବଡ ଅଘଟଣ। ଗତକାଲି ରାତି ୭ ଟା ୮ ସମୟରେ ବେଗୁନିଆ ଥାନା ଗଡମାଣିତ୍ରୀ ଗାଁର ଅଜୟ ରାଉତରାୟଙ୍କ ଘରେ ପରିବାର ଲୋକେ ଖାଇବା ପାଇଁ ଏକାଠି ହୋଇ ବସିଥିଲେ। ଖାଇବା ପୂର୍ବରୁ ରନ୍ଧା ଯାଇଥିବା ଖାଦ୍ୟକୁ ଗରମ କରିବା ପାଇଁ ଗ୍ୟାସ ଚୂଲା ଲଗାଯାଇଥିଲା। କିନ୍ତୁ ଗ୍ୟାସ ଚୂଲାଟି ଜଳିନଥିଲା। ତେବେ ଗ୍ୟାସ୍‌ ଚୂଲା ସଜାଡୁଥିବାବେଳେ ହଠାତ ନିଆଁ ଲାଗିଯାଇଥିଲା। ଫଳରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଘରର ୬ ଜଣ ପୋଡି ଯାଇଥିଲେ।।

ଘରେ ନିଆଁ ଜଳୁଥିବା ଦେଖି ପଡୋଶୀମାନେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହି ଆହତ ମାନଙ୍କ ମଧ୍ୟରୁ ୩ ଜଣ ମହିଳା ଥିବାବେଳେ ଜଣେ ଶିଶୁ ସମେତ ୬ ଗୁରୁତର ହୋଇଛନ୍ତି। ଏମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି।

ତେବେ ଏଇଠି ଆମେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିରଖିବାକୁ ଚାହିଁବୁ ଯେ ଆପଣ ଗ୍ୟାସ ସିଲିଣ୍ଡର ସହ ଜଡିତ ଛୋଟ ମୋଟ ତୃଟିକୁ ବି ଆଦୌ ଅଣାଦେଖା କରନ୍ତୁ ନାହିଁ। ନଚେତ ପରବର୍ତ୍ତୀ ସମୟରେ ଭୟାନକ ପରିସ୍ଥିତିକୁ ସାମ୍ନା କରିବାକୁ ପଡିପାରେ। ତେଣୁ ଯଦି ଆପଣଙ୍କ ଗ୍ୟାସ ଚୂଲା କିମ୍ବା ସିଲିଣ୍ଡରରେ କିଛି ତୃଟି ରହିଛି ତାହେଲେ ତୁରନ୍ତ ତାକୁ ସଜାଡିବାକୁ ଚେଷ୍ଟା କରନ୍ତୁ।