ଶାସନ କେନାଲରେ ଅଘଟଣ, ଦୁର୍ଘଟଣାରେ ୭ ମୃତ ; ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର ଶାସନ କେନାଲରେ ଅଘଟଣ । କେନାଲକୁ ଖସିଲା ବରଯାତ୍ରୀ ଗାଡି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର (କେନ୍ୟୁଜ): ସମ୍ବଲପୁର ଶାସନ କେନାଲରେ ଅଘଟଣ । କେନାଲକୁ ଖସିଲା ବରଯାତ୍ରୀ ଗାଡି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏପରି ଏକ ଦୁଃଖଦ ଘଟଣା ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଶାସନ କେନାଲରେ ଘଟିଛି। ସମସ୍ତ ମୃତାହତ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବଡ଼ଧରା ଗାଁର।
ସୂଚନା ଅନୁଯାୟୀ ଝାରସୁଗୁଡା ଜିଲ୍ଲା କନକତୁରା ବଡ଼ଧରା ଅଞ୍ଚଳରୁ ପରମାନପୁରକୁ ଆସିଥିଲେ ବରଯାତ୍ରୀ । ହସ ଖୁସିରେ କନ୍ୟା ଘରେ ସମସ୍ତେ ପହଞ୍ଚିଥିଲେ । ଭୋଜି ଖାଇ ଫେରୁଥିବା ବେଳେ ବିଶାଳଖିଣ୍ଡା ବୁଲାଣି ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ସିଧା ଶାସନ କେନାଲ ଭିତରେ ପଶି ଯାଇ ଓଲଟି ପଡିଥିଲା l ଫଳରେ ଗାଡ଼ି ଭିତରେ ଥିବା ଲୋକମାନେ ବାହାରି ପାରି ନଥିଲେ । କୌଶଳ କ୍ରମେ ଜଣେ ଯୁବକ ବାହାରି ସମ୍ପର୍କୀୟଙ୍କୁ ଫୋନ୍ କରିଥିଲେ । ପରେ ୩ ଜଣ ବାହାରି ପାରିଥିଲେ । ଆଉ ୬ ଜଣ ବାହାରି ପାରି ନଥିଲେ । ବର୍ତ୍ତମାନ ସୁଦ୍ଧା ଗାଡ଼ି ଚାଳକଙ୍କ କୌଣସି ପତ୍ତା ମିଳିନାହିଁ । ଗାଡ଼ିରେ ପ୍ରକୃତରେ କେତେ ଜଣ ଥିଲେ ସ୍ପଷ୍ଟ ହୋଇନାହିଁ ।
ସମ୍ବଲପୁରରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏଥିସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।
— Naveen Patnaik (@Naveen_Odisha) March 31, 2023
ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ । ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।