କିଏ ହେବ ଓଡିଶା ପୋଲିସର ମୁଖିଆ? ରେସରେ ୭ ବରିଷ୍ଠ IPS

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ଡିସେମ୍ବରରେ ଅବସର ନେବେ ଡିଜି ଅଭୟ। ତାଙ୍କ ପରେ କିଏ ହେବ ଡିଜି। ଏ ନେଇ ଚର୍ଚ୍ଚା ଜାରି ରହିଛି। ବରିଷ୍ଠତା ଭିତ୍ତିରେ ଯେଉଁମାନଙ୍କ ନାଁ ଚର୍ଚ୍ଚାରେ ରହିଛି ସେମାନଙ୍କ ଭିତରେ ଅଛନ୍ତି ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ପ୍ରଦୀପ କପୁର ଓ ବି.କେ.ଶର୍ମା । ୧୯୮୭ ବ୍ୟାଚ୍‌ର ଆଇପିଏସ ସୁନୀଲ କୁମାର ବଂଶଲ । ୧୯୮୮ ବ୍ୟାଚ୍‌ର ମନୋଜ ଛାବ୍ରା, ସନ୍ତୋଷ ଉପାଧ୍ୟୟ, ବିନୟାନନ୍ଦ ଝା ଓ ଅରୁଣ କୁମାର ରାୟ ।

 ନୂଆ ପୋଲିସ ମୁଖିଆ ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଯୋଗ୍ୟ ପୋଲିସ ଅଧିକାରୀଙ୍କ ଏକ ତାଲିକା ୟୁପିଏସସିକୁ ପଠାଇବେ । ୟୁପିଏସସି ୭-୮ ଜଣଙ୍କ ମଧ୍ୟରୁ ୩ଟି ନାଁ ରାଜ୍ୟ ସରକାରଙ୍କ ପାଖକୁ ପଠାଇବେ । ସେହି ୩ଟି ନାଁରୁ ଜଣଙ୍କୁ ରାଜ୍ୟ ସରକାର ପୋଲିସ ଡିଜି ଭାବରେ ନିଯୁକ୍ତି ଦେବେ । ୨୦୧୮ ଜୁଲାଇରେ ସୁପ୍ରିମକୋର୍ଟଙ୍କ ରାୟ ଥିଲା, ଯିଏ ଡିଜିପି ହେବେ ତାଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ନିଯୁକ୍ତି ପ୍ରକ୍ରିୟା ସମୟରେ ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ଅଳ୍ପ କିଛି ମାସ ଥିବା ତାଙ୍କୁ ଏଡାଇ ଦେବାକୁ ରାଜ୍ୟଗୁଡିକୁ ଦିଆଯାଇଥିଲା ପରାମର୍ଶ ।

କୁହାଯାଇଥିଲା, ରାଜ୍ୟଗୁଡିକ ସେହି ଅଧିକାରୀଙ୍କୁ ବାଛିବେ ଯେଉଁମାନଙ୍କ କାର୍ଯ୍ୟକାଳରେ ଯଥୋଚିତ ସମୟ ରହିଥିବ। କିନ୍ତୁ ଏହି ପ୍ରକ୍ରିୟା ଯୋଗୁଁ ବହୁ ଯୋଗ୍ୟ ଅଧିକାରୀ ଡିଜି ପଦବୀରୁ ବାଦ୍‌ ପଡୁଥିଲେ। ତେଣୁ ସୁପ୍ରିମକୋର୍ଟରେ ଏହାକୁ ନେଇ ପୁଣି ଥରେ ଆବେଦନ ହୋଇଥିଲା। ୨୦୧୯ରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ। ଯଥୋଚିତ ସମୟ ପ୍ରସଙ୍ଗରେ ପୂର୍ବରୁ ଦିଆଯାଇଥିବା ରାୟରେ ଆସିଥିଲା ପରିବର୍ତ୍ତନ। କୁହାଯାଇଥିଲା, ଡିିଜି ଚୟନ ସମୟରେ ଯେଉଁ ଅଧିକାରୀଙ୍କ ଚାକିରୀକାଳ ସର୍ବନିମ୍ନ ୬ମାସ ଥିବ ସେମାନଙ୍କ ନାଁ ବିଚାରକୁ ନିଆଯାଇ ପାରିବ ।

 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରେସରେ ଥିବା ଅଧିକାରୀମାନେ ହେଲେ, ପ୍ରଦୀପ କପୁର। ତାଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୨ ଯାଏ ରହିଛି। ବି କେ ଶର୍ମା, ତାଙ୍କ କାର୍ଯ୍ୟକାଳ ସରୁଛି ଅକ୍ଟୋବର ୨୦୨୨ରେ। ସୁନୀଲ କୁମାର ବଂଶଲ, ଯାହାଙ୍କ କାର୍ଯ୍ୟକାଳ ଜୁନ ୨୦୨୨ରେ ସରୁଛି। ସେ ଏବେ ଦିଲ୍ଲୀରେ ସ୍ୱତନ୍ତ୍ର ଆଇବି ନିର୍ଦ୍ଦେଶକ ଅଛନ୍ତି। ଡିସେମ୍ବର ମାସ ପରେ ତାଙ୍କ କାର୍ଯ୍ୟକାଳ ଠିକ୍‌ ଛଅ ମାସ ରହୁଛି। ଏମ୍‌କେ ଛାବ୍ରାଙ୍କ ଅକ୍ଟୋବର ୨୦୨୩, ସନ୍ତୋଷ ଉପାଧ୍ୟୟ ଏପ୍ରିଲ ୨୦୨୩, ଅରୁଣ କୁମାର ରାୟଙ୍କର ଏପ୍ରିଲ ୨୦୨୫ ଯାଏ କାର୍ଯ୍ୟକାଳ ରହିଛି। ୧୯୮୮ ବ୍ୟାଚ୍‌ ଆଇପିଏସ ଏମ୍‌ ଅକ୍ଷୟଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଛି। ସେହିପରି ବିନୟାନନ୍ଦ ଝାଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୨୦୨୨ରେ ସରୁଛି। ଉଭୟଙ୍କ କାର୍ଯ୍ୟକାଳ ଛଅ ମାସରୁ କମ୍‌ ସମୟ ରହିଛି। ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ନୀତି ଅନୁସାରେ ସରକାର ୟୁପିଏସସିକୁ ୭-୮ ଜଣଙ୍କ ନାଁ ପଠାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.