ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ସ୍ୱେଚ୍ଛାକୃତ ଭାବରେ ୭୫ ପ୍ରତିଶତ ହୋଇଛି ଘରୋଇ ଜମି ସଂଗ୍ରହ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ସ୍ୱେଚ୍ଛାକୃତ ଭାବରେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୪୦ ଦିନ ଭିତରେ ସିଧାସଳଖ ବିକ୍ର-ଖର୍ଦ୍ଦି ପ୍ରକ୍ରିୟାରେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି । ସାରା ଦେଶରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏହା ଏକ ଅଭୂତପୂର୍ବ ସଫଳତା । ମହାପ୍ରଭୁଙ୍କ ପାଇଁ ଆପଣମାନେ ଆପଣଙ୍କ ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ, ଲଜିଂ ଆଦି ତ୍ୟାଗ କରିଛନ୍ତି । ଅନେକ ମଠ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ମହାପ୍ରଭୁଙ୍କ ଇଚ୍ଛା ଓ ତାଙ୍କ ପ୍ରେରଣାରେ ଏସବୁ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୭୫ ମିଟର ଭିତରେ ଆସୁଥିବା ବିସ୍ଥାପିତଙ୍କୁ ଅତିରିକ୍ତ ପ୍ରୋତ୍ସାହନ ରାଶିର ସମୟ ଅବଧି ରହିଛି ।

ଶ୍ରୀମନ୍ଦିର ସୁରକ୍ଷା ବଳୟରେ ଆସୁଥିବା ବିସ୍ଥାପିତ ପରିବାର ପାଇଁ ଥଇଥାନ ପ୍ୟାକେଜ ସହ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନର ବ୍ୟବସ୍ଥା ରହିଥିଲା । ଶେଷ ଦିନରେ ଭୂଅର୍ଜନ ଅଧିକାରୀଙ୍କ ଅଫିସ ନିକଟରେ ବିସ୍ଥାପିତଙ୍କ ଭିଡ଼ ଲାଗିଥିଲା । ସେଲ ଡିଡ କରି ନଥିବା ବିସ୍ଥାପିତମାନେ କଣ୍ଟ୍ରୋଲ ରୁମରେ ଭୂଅର୍ଜନ ଅଧିକାରୀଙ୍କ ସହ ଆଲୋଚନା କରି ଥଇଥାନ ପ୍ୟାକେଜ ନେଇଛନ୍ତି । ଏପର୍ଯ୍ୟନ୍ତ ୭୫ ପ୍ରତିଶତ ବିସ୍ଥାପିତ ସହମତିରେ ଜମିର ସେଲ ଡିଡ୍‌ କରିଛନ୍ତି । ଆଉ କିଛି ନେଗୋସିଏସନ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ସେଲ ଡିଡ ହୋଇଥିବା ଭିତର ସେବାୟତ ନିଯୋଗ କୋଠାର ଚକବନ୍ଦୀ ଅଫିସ ସ୍ଥାନାନ୍ତରିତ ହେଉଛି । ତରବରିଆ ସ୍ଥାନାନ୍ତର ଯୋଗୁ ବହୁ ଜମିର ରେକର୍ଡ ଏଣେତେଣେ ପଡ଼ି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଦୁଇ ତିନି ଦିନ ଭିତରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.