ଦୀର୍ଘ ଷାଠିଏ ବର୍ଷ ଧରି ଗାଁ ଦାଣ୍ଡରେ ଶୁଭୁଛି ମକାମୁଆଁ ନିଅ ମକାମୁଆଁ…ମାନିବାକୁ ପଡିବ ୮୦ବର୍ଷର ଏହି ବୃଦ୍ଧଙ୍କ ମନବଳକୁ

ବେଗୁନିଆ(କେନ୍ଯୁଜ୍): ଦୀର୍ଘ ଷାଠିଏ ବର୍ଷ ଧରି ସେହି ଗୋଟିଏ କଉତୁକିଆ ବେପାର। ଗାଁ ଦାଣ୍ଡରେ ଯେତେବେଳେ ମକାମୁଆଁର ଡାକ ଶୁଭେ ହାତରେ ପଇସାଟିଏ ଧରି ଧାଇଁ ଆସନ୍ତି ପିଲାମାନେ। ସେଥିରେ ହିଁ ଚଳୁଛି ଦଶନ୍ଧି ଦଶନ୍ଧି ଧରି ତାଙ୍କ ତେଲ ଲୁଣର ସଂସାର । ଆମେ କହୁଛୁ ବେଗୁନିଆ ବ୍ଲକ ଗୋବିନ୍ଦପୁର ଗ୍ରାମର ଜଣେ ନିଆରା ବୃଦ୍ଧଙ୍କ ନିଆରା ବ୍ଯବସାୟ କଥା ।

ଏକ ପଇସା ଠାରୁ ଆରମ୍ଭ କରି ଟଙ୍କେ , ଦୁଇଟଙ୍କା ଆଉ ଏବେ ପାଞ୍ଚ ଟଙ୍କାରେ ପହଞ୍ଚିଲାଣି ତାଙ୍କ ମକ୍କା ମୁଆଁର ଦାମ୍‌ । ଖଣ୍ଡିଏ ଭଙ୍ଗା ଦଦରା ସାଇକେଲ କେରିଆଲରେ ଗୋଟିଏ ଜରି ବସ୍ତାରେ ବାନ୍ଧି ଗାଁର ସାହି ଗଳି କନ୍ଧିରେ ଡାକ ଛାଡନ୍ତି ଏହି ଅଶୀ ବର୍ଷର ବୃଦ୍ଧ। ମକାମୁଆଁ ନିଅ ମକାମୁଆଁ ।

maka

ବେଗୁନିଆ ବ୍ଲକ ଗୋବିନ୍ଦପୁର ଗାଁର ସୁରେନ୍ଦ୍ର ନାଥ ପରିଡା । ଚମ ଧୁଡୁଧୁଡୁ, ବୟସର ଅପରାହ୍ନ ଯାଇ ସୂର୍ଯ୍ଯାସ୍ତ ନିକଟ ପ୍ରାୟ। ଆଉ ଘର କହିଲେ ଏହି ଝାଟିମାଟି କୁଡିଆ ଏବଂ ତାହାରି ଭିତରେ ପ୍ରସ୍ତୁତ ହୁଏ ପିଲାମାନଙ୍କ ଅତି ପ୍ରିୟ ଏହି ସୁସ୍ୱାଦୁ ଚାଖଣା ମକାମୁଆଁ । ଆଉ ତାକୁ ଧରି ଗାଁ ଗାଁରେ ବିକ୍ରି ତ କରନ୍ତି ପେଟ ପାଟଣା ପାଇଁ ହେଲେ ଛୋଟ ଛୋଟ ପିଲାମାନଙ୍କ ଖୁସିରେ ପାଆନ୍ତି ବେଶ୍‌ ଆନନ୍ଦ ।

ବଜାରରୁ ମକା ଆଉ ମକା ଦାନା କିଣିକି ଆଣି ଘରେ ତାକୁ ଚୂଲିରେ ଭାଜିବା ପରେ ଗୁଡକୁ ହାଣ୍ଡିରେ ପକାଇ ଗରମ କରି ଏହି ମୁଆଁ ପ୍ରସ୍ତୁତ କରାଯାଏ । ଏଥିରେ ତାଙ୍କୁ ସପରିବାର ସହଯୋଗର କରୁ ଥିବା ବେଳେ ଆଜି ପର୍ଯ୍ଯନ୍ତ ଏହି ବ୍ଯବସାୟ ତାଙ୍କ ଅଭାବି ସଂସାର ଚଳାଇ ଆସୁଛି ବୋଲି କୁହନ୍ତି ତାଙ୍କ ସହଧର୍ମିଣୀ ।

maka aja

ତେବେ ବୃଦ୍ଧ ସୁରେନ୍ଦ୍ରକର ଏହି ବ୍ଯବସାୟ କାହିଁ କେଉଁ କାଳରୁ ବୋଲି ଶୁଣିବାକୁ ମିଳୁଥିବା ବେଳେ କିଏ କୁହେ ହେତୁ ପାଇବା ଦିନଠାରୁ ଗାଁ ଦାଣ୍ଡରେ ତାଙ୍କୁ ଦେଖିଆସୁଛନ୍ତି । ହେଲେ ଏହି ବ୍ଯବସାୟ କରି ବୃଦ୍ଧ ସୁରେନ୍ଦ୍ର ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ସତ କିନ୍ତୁ ସେମିତି କିଛି ଆଖିଦୃଶିଆ ଉନ୍ନତି କରି ପାରି ନାହାଁନ୍ତି । ସକାଳୁ ଯାଇ ସଞ୍ଜକୁ ଫେରନ୍ତି ଆଉ ଯାହା କିଛି ଆଣନ୍ତି ଚଳି ଯାଆନ୍ତି ଦୁଇ ପ୍ରାଣୀ ଖୁସିରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.