ବାହାନଗା ଟ୍ରେନ ଦୁର୍ଘଟଣାକୁ ୨୭ଦିନ: ଆଜି ହୋଇପାରେ ୮୧ ଶବର ସାମୂହିକ ସତ୍କାର

ବାଲେଶ୍ୱର ଜିଲ୍ଲା ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣା ଆଜି ୨୯ଟି ମୃତଦେହ ଚିହ୍ନଟ ହୋଇଛି ।ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଫୋରେନ୍ସିକ ସାଇନ୍ସ ଲ୍ୟାବକୁ ପଠାଯାଇଥିଲା। ମାତ୍ର କିଛି ଶବର ହାଡ଼,ମାଂସ, ଦାନ୍ତ ଆଦି ନଷ୍ଟ ହୋଇଥିବାରୁ ସେମାନଙ୍କର ଡିଏନଏ ମେଳ କରିବାରେ ସମସ୍ୟା ହେଉଥିଲା ।

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାକୁ ୨୭ଦିନ ପୂରିବାକୁ ବସିଲାଣି । ଟ୍ରେନ ଟ୍ରାଜେଡିରେ ଅଣ ଦାବିବାର ମୃତଦେହଗୁଡ଼ିକର ଆଜି ସାମୂହିକ ସତ୍କାର କରାଯିବାର ସମ୍ଭାବନା ରହିଛି । ଭୁବନେଶ୍ୱର ସତ୍ୟନଗର ଓ ଭରତପୁର ଶ୍ମଶାନରେ ଗଣସତ୍କାର ପାଇଁ ପ୍ରସ୍ତୁତି କରାଯାଉଛି । ଟ୍ରେନ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ମଧ୍ୟରୁ ୮୧ଟି ଅଚିହ୍ନା ଶବ ଏବେ ଭୁବନେଶ୍ୱର ଏମ୍‌ସରେ ରହିଛି । ୩ଟି କଣ୍ଟେନରରେ ମୃତଦେହ ରଖାଯାଇଛି । ସେଥିମଧ୍ୟରୁ ଅଧିକାଂଶ ଅଣଦାବିଦାର ରହିଛି । ଏଥିପାଇଁ ଶବଦାହ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ଓ ଆବଶ୍ୟକ କାଠ ସହ ଅନ୍ୟ ସାମଗ୍ରୀ ପ୍ରସ୍ତୁତ ରଖାଯାଇଥିବା କୁହାଯାଉଛି ।

ତେବେ ମୃତ ଯାତ୍ରୀଙ୍କ ତୁଳନାରେ ଦାବିଦାର ସଂଖ୍ୟା ଅଧିକ ରହିବାରୁ ଡିଏନଏ ପରୀକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ନେଇଥିଲା । କିଛି ମୃତଦେହର ଡିଏନଏ ପରୀକ୍ଷା ପାଇଁ ଦିଲ୍ଲୀ ପଠାଯାଇଥିବା ବେଳେ ଆଜି ୨୯ଟି ମୃତଦେହ ଚିହ୍ନଟ ହୋଇଛି । ଡିଏନଏ ନମୂନା ଭାବେ ମୃତ ଯାତ୍ରୀଙ୍କର ଚୁଟି, ଦାନ୍ତ, ହାଡ଼, ନଖ,ମାଂସ ଓ ଶରୀରର ଅନ୍ୟାନ୍ୟ ଅଙ୍ଗର ନମୂନା ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଫୋରେନ୍ସିକ ସାଇନ୍ସ ଲ୍ୟାବକୁ ପଠାଯାଇଥିଲା। ମାତ୍ର କିଛି ଶବର ହାଡ଼,ମାଂସ, ଦାନ୍ତ ଆଦି ନଷ୍ଟ ହୋଇଥିବାରୁ ସେମାନଙ୍କର ଡିଏନଏ ମେଳ କରିବାରେ ସମସ୍ୟା ହେଉଥିଲା ।

ସେହିପରି ଏମସ ହସ୍ପିଟାଲରେ ସଂରକ୍ଷିତ ଥିବା ୮୧ଜଣ ଯାତ୍ରୀଙ୍କ ଶବକୁ ଅତି ବେଶୀରେ ୬ମାସ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରିବ । ଏବେବି ୩୫ରୁ ୪୦ଜଣ ମୃତ ଯାତ୍ରୀଙ୍କ ସମ୍ପର୍କୀୟ ଏମସ ପରିସରରେ ଡେରା ପକାଇଥିବାରୁ ସେମାନଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ ଏମ୍ସ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ଅଧିକାଂଶ ପୀଡ଼ିତ ଲୋକ ବିହାର ଓ ପଶ୍ଚିମବଙ୍ଗର ହୋଇଥିବାରୁ ସେମାନଙ୍କୁ ଘରକୁ ଫେରିଯିବାକୁ କୁହାଯାଇଛି । ଡିଏନଏ ରିପୋର୍ଟ ଆସିଲେ ସେମାନଙ୍କୁ ସୂଚିତ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଉଥିଲେ ମଧ୍ୟ ନିଜର ଆତ୍ମୀୟଙ୍କ ହରାଇଥିବା ଲୋକେ ଶବ ବିନା ଘରକୁ ଫେରିବାକୁ ଚାହୁଁନଥିବା ଜଣାପଡ଼ିଛି । ନିଜର ଆତ୍ମୀୟଙ୍କୁ ହରାଇବାର ଦୁଃଖ ତୁଳନାରେ ସେମାନଙ୍କର ଶବକୁ ନେବାରେ ହେଉଥିବା ବିଳମ୍ବ ଏବେ ସମ୍ପୃକ୍ତ ପ୍ରଭାବିତ ଲୋକମାନଙ୍କୁ ଅଧିକ ହତାଶ କରିଦେଇଛି । ଗତ ୨ ତାରିଖ ରାତିରେ ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Leave A Reply

Your email address will not be published.