ବୟସ ୬୦, ନିଶା ତାଙ୍କର ଅଜବ: ପୁରୁଣା ରେଡିଓ ସାଇତିବା ଓ ସଜାଡ଼ିବାରେ ତାଙ୍କୁ ମିଳୁଛି ଗଭୀର ଆତ୍ମସନ୍ତୋଷ

ଆଜିର ଟେକ୍ନୋଲୋଜି ଯୁଗରେ ମଣିଷ ଯେତେ ଆଗକୁ ଗଲେ ବି ନିଜର ଚିରାଚରିତ ଜୀବନଶୈଳୀଠାରୁ ଅଲଗା ହୋଇପାରେ ନାହିଁ। ଆଧୁନିକତା ଭିତରେ ବି ଲୁଚିରହିଥାଏ ବାସ୍ତବତା। ଆଜି ଆମେ ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ କାହାଣୀ କହିବାକୁ ଯାଉଛୁ, ଯିଏ କି ବର୍ଷ ବର୍ଷର ପୁରୁଣା ରେଡିଓ ଓ ଗ୍ରାମଫୋନ୍‌ ରେକର୍ଡସ୍‌କୁ ସାଇତି ରଖିଛନ୍ତି। ନିଜ ଘରେ କରିଥିବା ଏକ ଛୋଟିଆ ସଂଗ୍ରହାଳୟରେ ଦେଖିବାକୁ ମିଳୁଛି ଦେଶ, ବିଦେଶର ବହୁ ନାମୀଦାମୀ ରେଡିଓ ଓ ଗ୍ରାମଫୋନ୍‌। କେବଳ ଏତିକି ନୁହେଁ, ଗ୍ରାହକମାନଙ୍କ ରେଡିଓ ମରାମତି କରି ସେଥିରୁ ବେଶ୍‌ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି। ତେବେ ଆଜିକା ଦିନରେ ଏପରି କାମ କରି ପରିବାର ଚଳାଇବା ବଡ଼ କଷ୍ଟକର ହୋଇଥିଲେ ମଧ୍ୟ ଏହାକୁ ସେ ଛାଡ଼ିପାରୁନାହାନ୍ତି।

RADIO 3

ଆମେ କହୁଛୁ, କଟକ ଜିଲା କିଶନନଗର ବସ୍ତପଡ଼ା ଗ୍ରାମର କାଳୀପ୍ରସାଦ ପଣ୍ଡାଙ୍କ କଥା, ଯାହାଙ୍କ ବୟସ ୬୦। ହେଲେ ନିଶା ତାଙ୍କର ଅଜବ। ଦିନରାତି ଅନିଦ୍ରା ହୋଇ ଅସଜଡ଼ା ହୋଇ ପଡ଼ିଥିବା ରେଡିଓକୁ ସଜାଡ଼ିଥାଆନ୍ତି କାଳୀପ୍ରସାଦ। ଦେଶ, ବିଦେଶର ଜାପାନ, ଫିଲିପ୍ସ, ବୁସ୍‌, ମରଫି, ଜିଇସି ଭଳି ପୁରୁଣା ରେଡିଓକୁ ତାଙ୍କ ମିନି ସଂଗ୍ରହାଳୟରେ ସ୍ଥାନ ଦେଇଛନ୍ତି। କାଳୀପ୍ରସାଦ କେବଳ ଏହାକୁ ସାଇତି ରଖିଥାଆନ୍ତି ତା’ନୁହେଁ, ବରଂ ସମୟ ସମୟରେ ଲୋକଙ୍କ ରେଡିଓ ମରାମତି କରି ସ୍ୱତନ୍ତ୍ର ଗ୍ରାହକ ବି ସୃଷ୍ଟି କରିପାରିଛନ୍ତି। ୧୯୩୪ ମସିହାରୁ ସେ ଏହି କାମକୁ ଅତି ଯତ୍ନର ସହ କରିଆସୁଛନ୍ତି।

RADIO 2

କାଳୀପ୍ରସାଦ ରେଡିଓ ବ୍ୟତୀତ ରେକର୍ଡ ପ୍ଲେୟାର, ସ୍ପୁଲ ରେକର୍ଡ ପ୍ଲେୟାର, ଟୁ ଇନ୍‌ ଓ୍ଵାନ୍‌ ରେଡିଓ, ଟେପ୍‌ ରେକର୍ଡ, ପାଓ୍ଵାର ହାଉସ୍‌ ଓ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତାବିବାହ’ ରେକର୍ଡ ପଯ୍ୟର୍ନ୍ତ, ସବୁ କିଛିକୁ ସାଇତି ରଖିଛନ୍ତି। ଏପରି କି, ୧୯୩୪ରୁ ୧୯୮୫ ମସିହା ପଯ୍ୟର୍ନ୍ତ ବାହାରିଥିବା ଅନେକ ପୁରୁଣା ହିନ୍ଦୀ ରେକର୍ଡ ମଧ୍ୟ କାଳୀପ୍ରସାଦ ସଂଗ୍ରହ କରିଛନ୍ତି।

ଏହାସହ ପଢ଼ନ୍ତୁ: ରାଉରକେଲା : ଡଙ୍ଗାରେ ଭବିଷ୍ୟତ, ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି କୁନି କୁନି ପିଲା

ସେ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ, ସେହି ସମୟରୁ ରେଡିଓ ମରାମତି କାମ ଶିଖିଥିଲେ। କାଠ କ୍ୟାବିନେଟରେ ନୂଆ ରେଡିଓ ତିଆରି କରି ତାହାକୁ ନିକଟସ୍ଥ ଯସପଡ଼ା ବାଲିହାଟରେ ୧୫୦ରୁ ୩୦୦ ଟଙ୍କା ମୂଲ୍ୟରେ ବିକ୍ରି କରୁଥିଲେ। ଏମିତି କି, ବାପାଙ୍କ ସାଇତା ଗ୍ରାମଫୋନକୁ ମାତ୍ର ୫୦ ଟଙ୍କାରେ ବିକ୍ରି କରିଦେଇଥିଲେ କାଳୀପ୍ରସାଦ, ହେଲେ ପରେ ଗାଳି ଶୁଣିବାରୁ ଏହାକୁ ସାଇତି ରଖିବାରେ ଲାଗିପଡ଼ିଲେ। ୫ଟି ଗ୍ରାମଫୋନ୍‌ ସଂଗ୍ରହ କରି ବାପାଙ୍କୁ ଖୁସି କରାଇଥିଲେ। ସେହିଦିନଠାରୁ ବାପାଙ୍କ ଖୁସି ପାଇଁ କାଳୀପ୍ରସାଦ ଏହି କାମକୁ ଆଜି ପଯ୍ୟର୍ନ୍ତ ଛାଡ଼ିପାରିନାହାନ୍ତି, ଯାହାକି ଏବେ ତାଙ୍କର ଏକ ନିଶାରେ ପରିଣତ ହୋଇଯାଇଛି। କାଳୀପ୍ରସାଦଙ୍କ ପରିବାର କହିଲେ, ଦୁଇ ଝିଅ ଓ ସ୍ତ୍ରୀ। ବଡ଼ ଝିଅ ବିବାହ କରିସାରିଥିବା ବେଳେ ସାନ ଝିଅ ଘରେ ଅଛି। ଦୁଇଝିଅଙ୍କ ପାଠପଢ଼ା, ବନ୍ଧୁବାନ୍ଧବଙ୍କ ଖର୍ଚ୍ଚ, ସବୁକିଛି ଏହି ରୋଜଗାରରୁ ସେ ତୁଲାଇଥାଆନ୍ତି।

RADIO 4

କେବଳ କିଶନ ନଗର ନୁହେଁ, କଟକ, ଭୁବନେଶ୍ୱର, ତାଳଚେର, ପାରାଦ୍ୱୀପ ଓ ଜଗତ୍‌ସିଂପୁର ଅଞ୍ଚଳରୁ ମଧ୍ୟ ଲୋକେ ଏଠାକୁ ରେଡିଓ ମରାମତି କରିବାକୁ ଧାଇଁଆସନ୍ତି। ପ୍ରତିବର୍ଷ ଫେବୃୟାରୀ ୧୩, ୧୪ ଓ ୧୫ ତାରିଖରେ ପାଳିତ ହେଉଥିବା ବିଶ୍ୱ ରେଡିଓ ଦିବସରେ କାଳୀପ୍ରସାଦ ଭାଗ ନେଇଥାଆନ୍ତି। ତେବେ ସରକାରୀ ପ୍ରୋତ୍ସାହନ କିମ୍ବା ଖଣ୍ଡେ ଘର ମିଳିଲେ, ସେ ଆହୁରି ଅଧିକ ରେଡିଓ ଓ ଗ୍ରାମଫୋନ୍‌ ସାଇତି ରଖିପାରନ୍ତେ ବୋଲି କହିଛନ୍ତି।