୨୦ ଘଣ୍ଟା ଜେରା ପରେ ଗିରଫ ହେଲେ କୁବେର ଯନ୍ତ୍ରୀ ନିହାର ରଞ୍ଜନ ଦାସ, ଓଡ଼ିଶାରୁ ଲୁଟି କ୍ରିପ୍ଟୋ କରେନ୍ସିରେ ଲଗାଉଥିଲେ

ଭୁବନେଶ୍ବର(କେନ୍ୟୁଜ୍):କୋଟିପତି କ୍ରିପ୍ଟୋ କୁବେର ଗିରଫ। ୨୦ଘଣ୍ଟାର ମାରାଥନ ଜେରା ପରେ ଗିରଫ ହେଲେ ଭୁବନେଶ୍ୱର RWSSର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ। କ୍ରିପ୍ଟୋ କରେନ୍ସିରେ ନିବେଶ କରିଛନ୍ତି ପାଞ୍ଚକୋଟିରୁ ଅଧିକ ଟଙ୍କା। ତାଙ୍କ କ୍ରିପ୍ଟୋ କରେନ୍ସିକୁ ଅଚଳ କରାଯିବ। କ୍ରିପ୍ଟୋ ଲିଙ୍କରେ ତାଙ୍କ ସଂପତ୍ତି ଫ୍ରିଜ୍ କରାଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୁଆ କହିଛନ୍ତି । ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ନିହାର ରଞ୍ଜନ ଦାସଙ୍କ ଘର ଓ ଅଫିସ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢଉ କରିଥିଲା ଭିଜିଲାନ୍ସ। ପରେ ତାଙ୍କୁ ଜେରା କରିଥିଲା ଭିଜିଲାନ୍ସର ୧୦ ଜଣିଆ ଟିମ୍।
ଭିଜିଲାନ୍ସ ଅଧିକାରୀଙ୍କ ସହ ସାଇବର, ବ୍ୟାଙ୍କ, ଫାଇନାନ୍ସ ବିଶେଷଜ୍ଞ ସାମିଲ ଅଛନ୍ତି । ଅଧିକ ଖୋଳତାଡ ପାଇଁ କ୍ରିପଟୋ ଏକ୍ସପର୍ଟଙ୍କ ସହାୟତା ନିଆଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଯଶଓ୍ଵନ୍ତ ଜେଠଓ୍ଵା କହିଛନ୍ତି । ସେହିପରି କ୍ରିପଟୋ କରେନ୍ସୀ ଫ୍ରିଜ ପାଇଁ ରୁଷ୍ ଓ ଜର୍ମାନୀରେ ଥିବା କ୍ରିପଟୋ ଏକ୍ସଚେଞ୍ଜର ମୁଖ୍ୟାଳୟକୁ ଇ-ମେଲ୍ କରିଛି ଭିଜିଲାନ୍ସ ବିଭାଗ। ଗତକାଲି ଚଢଉ ବେଳେ କ୍ରିପ୍ଟୋ ସଂପର୍କିତ କାଗଜପତ୍ରର ପ୍ରମାଣ ନଷ୍ଟ କରିବାକୁ କିଛି କାଗଜପତ୍ର ଓ ମୋବାଇଲ ଫୋନକୁ ଝରକା ବାହାରକୁ ଫିଙ୍ଗି ଦେଇଥିଲେ।
ପରେ ଏହାକୁ ଜବତ କରିଥିଲା ଭିଜିଲାନ୍ସ ଟିମ୍। କ୍ରିପ୍ଟୋରେ ଟଙ୍କା ନିବେଶ ନେଇ ୩୮ଟି ଡକୁମେଣ୍ଟ ମିଳିଥିଲା। କ୍ରିପ୍ଟୋ କରେନ୍ସି ସହ ଭିଜିଲାନ୍ସ ତାଙ୍କର ୩ କୋଟି ୯୬ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଠାବ ହୋଇଛି । ଯାହା ତାଙ୍କ ଆୟ ଠାରୁ ୨୭୫ ପ୍ରତିଶତ ଅଧିକ । କେବଳ ସମ୍ବଲପୁରରେ ରହିଛି ୮ଟି ପ୍ଲଟ। ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ଦେଇଛନ୍ତି ଏସପି ଅନୁପମା ଜେମସ୍ ।
#…କୁବେର ଯନ୍ତ୍ରୀଙ୍କ କ୍ରିପଟୋ କରେନ୍ସୀ ନିଶା, ନିବେଶ କରିଥିଲେ ୫ କୋଟି ଟଙ୍କା… ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ… ୨୦ ଘଣ୍ଟାର ଜେରା ପରେ ଗିରଫ ହେଲେ ନିହାର ରଞ୍ଜନ ଦାସ… ରୁଷ୍ ଓ ଜର୍ମାନୀ କ୍ରିପଟୋ ଏକ୍ସଚେଞ୍ଜ ମୁଖ୍ୟାଳୟକୁ ମେଲ୍ କଲା ବିଭାଗ..