ରାସ୍ତା ନଥିବାରୁ ପ୍ରସବ କରାଇବା ପରେ ଚେୟାର ଭାରରେ ବୁହା ହେଲେ ଆଦିବାସୀ ମହିଳା
ଏହି ପଂଚାୟତଟି ଦୁଇ ଥର ଆଦର୍ଶ ଗ୍ରାମ ପଂଚାୟତ ଭାବେ ମାନ୍ୟତା ପାଇଥିବା ବେଳେ, ଏଠାରେ ରାସ୍ତା ନଥିବାରୁ ପ୍ରସୂତି ମହିଳାଙ୍କୁ ଭାରରେ ବୁହା ହେବା ଘଟଣା ଏବେ ଔପଦା ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି l

ସୋର(କେନ୍ୟୁଜ୍): ସରକାର ଆଦିବାସୀ ଅଂଚଳରେ ଥିବା ଦୁର୍ଗମ ଗ୍ରାମ ଗୁଡ଼ିକୁ ବ୍ଳକ ସଦର ମହକୁମା ସହିତ ଯୋଡ଼ିବା ପାଇଁ ବିଭିନ୍ନ ସ୍ଥାନରେ ପାହାଡ଼ କାଟି ରାସ୍ତା ନିର୍ମାଣ କରୁଛନ୍ତି , କିନ୍ତୁ ଏବେ ଅନେକ ସ୍ଥାନରେ ପହଁଚି ପାରିନି ଏହି ସୁବିଧା । ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକର ରାଇରମଚନ୍ଦ୍ରପୁର ପଂଚାୟତର ପାହାଡ଼ ପାଦ ଦେଶରେ ଅବସ୍ଥିତ ଆଦିବାସୀ ଅଂଚଳ ରାଜସ୍ୱ ଗ୍ରାମ ମହିଷାଡାଳିର କୁରାଢ଼ୀବସା ସାହିକୁ ନାହିଁ ରାସ୍ତା । ଯାହାଫଳରେ ଜଣେ ଆଦିବାସୀ ଗର୍ଭବତୀ ମହିଳାଙ୍କ ପ୍ରସବ ପରେ ଘରକୁ ଭାରରେ ବୁହା ହେବାର ଏକ ବିକଳ ଛବି ଏବେ ଭାଇରାଲ ହେବାରେ ଲାଗିଛି । ଏକ୍ ରେ ବର୍ଷା ଦିନ ଦୁଇରେ ରାସ୍ତା ନାହିଁ ଯାହାଫଳରେ ବିପଦ ସଙ୍କୁଳ ଅବସ୍ଥାରେ ପାଣି ଭିତରେ ପଶି ମହିଳାକୁ ଘରକୁ ଆଣିଛନ୍ତି ସମ୍ପର୍କୀୟ ।
ସୂଚନାନୁସାରେ କୁରାଢ଼ୀବସା ସାହିର ଆଦିବାସୀ ଚନ୍ଦନ ମୁର୍ମୁଙ୍କ ସ୍ତ୍ରୀ ଦାନଗି ମୁର୍ମୁଙ୍କ ପ୍ରସବ କରାଇବା ପାଇଁ ପ୍ରାୟ ତିନି ଦିନ ପୂର୍ବେ ସୋର ଡାକ୍ତରଖାନାକୁ ଯାଇଥିଲେ । ପ୍ରସବ ପରେ ଆଦିବାସୀ ମହିଳା ଜଣଙ୍କ ଘରକୁ ଫେରୁଥିବା ବେଳେ ସାହିକୁ ଭଲ ରାସ୍ତା ଟିଏ ନଥିବା ସହ ଲଗାଣ ବର୍ଷା ପ୍ରଭାବରେ ପାହାଡ଼ରୁ ବନ୍ୟା ଜଳ ସେହି ରାସ୍ତା ଦେଇ ଯାଉ ଥିବାରୁ ଶେଷରେ ଉପାୟ ଶୂନ୍ୟ ହୋଇ ପ୍ରସୂତି ମହିଳାଙ୍କୁ ଏକ ପ୍ଲାଷ୍ଟିକ ଚୌକିରେ ବସାଇ ଭାର କରି ଦେଢ଼ କିମି ରାସ୍ତା ଅତିକ୍ରମ କରି ଘରେ ପହଁଚାଇ ଥିବା ଜଣାପଡିଛି ।
ସବୁଠାରୁ ବିଡମ୍ବନାର ବିଷୟ ଏହି ପଂଚାୟତଟି ଦୁଇ ଥର ଆଦର୍ଶ ଗ୍ରାମ ପଂଚାୟତ ଭାବେ ମାନ୍ୟତା ପାଇଥିବା ବେଳେ, ଏଠାରେ ରାସ୍ତା ନଥିବାରୁ ପ୍ରସୂତି ମହିଳାଙ୍କୁ ଭାରରେ ବୁହା ହେବା ଘଟଣା ଏବେ ଔପଦା ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।