ମାଡ଼ି ଆସୁଛି ପାଣି: ହୀରାକୁଦରୁ ଜଳ ନିଷ୍କାସନ ପରେ ତଳମୁଣ୍ଡରେ ବନ୍ୟା ଭଳି ସ୍ଥିତି

ହୀରାକୁଦର ୨୬ ଟି ଗେଟ ଦେଇ ଜଳ ନିଷ୍କାସନ ହେବା ପରେ ମହାନଦୀ ଅବବାହିକାରେ ବଢିଛି ଜଳପ୍ରବାହ। ହୀରାକୁଦ ଗେଟ ଖୋଲିବା ପରେ ସମ୍ବଲପୁର - ସୁବର୍ଣ୍ଣପୁର ରାସ୍ତାର ଗୁଣ୍ଡେରପୁର ପୋଲ ଉପରେ ୨ଫୁଟର ପାଣି।

କେନ୍ୟୁଜ୍(ବ୍ୟୁରୋ): କେଉଁଠି ଆଣ୍ଠୁଏ, କେଉଁଠି ଅଣ୍ଟାଏ। ରାସ୍ତାରେ ଆଣ୍ଠୁଏ ପାଣି।  ପୋଲ ଉପରେ ଫୁଟେ । ମନ୍ଦିରରରେ ବନ୍ୟାଜଳ।  ମହାନଦୀ ଫୁଲିବା ପରେ ତଳମୁଣ୍ଡରେ ବନ୍ୟା ଭଳି ସ୍ଥିତି। ହୀରାକୁଦର ୨୬ ଟି ଗେଟ ଦେଇ ଜଳ ନିଷ୍କାସନ ହେବା ପରେ ମହାନଦୀ ଅବବାହିକାରେ ବଢିଛି ଜଳପ୍ରବାହ। ହୀରାକୁଦ ଗେଟ ଖୋଲିବା ପରେ ସମ୍ବଲପୁର – ସୁବର୍ଣ୍ଣପୁର ରାସ୍ତାର ଗୁଣ୍ଡେରପୁର ପୋଲ ଉପରେ ୨ଫୁଟର ପାଣି।

ବଡ଼ମ୍ବାର ଭଟ୍ଟାରିକା ପୀଠରେ ମାଙ୍କ ଆସ୍ଥାନକୁ ଛୁଇଁଛି ମହାନଦୀର ବନ୍ୟା ଜଳ। ଗର୍ଭଗୃହରେ ୩ଫୁଟର ପାଣି। ଅର୍ଦ୍ଧରାତିରେ ମା ହୋଇଛନ୍ତି ସ୍ଥାନାନ୍ତର।  ବାଙ୍କୀର ହୁଳୁହୁଳା ପୋଲ ଉପରେ ୪ଫୁଟର ପାଣି ପ୍ରବାହିତ ହୋଇଛି। ବହୁ ଚାଷ ଜମି ଜଳମଗ୍ନ ହୋଇଛି। ଲୋକଙ୍କ ପାଇଁ ବୋଟର ବ୍ୟବସ୍ଥା କରିଛି ପ୍ରଶାସନ। ଆଠମଲ୍ଲିକର ଚଣାଗଡି ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ୮ଖଣ୍ଡ ଗାଁକୁ ଯୋଗାଯୋଗ ବ୍ୟାହତ ହୋଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଜଗନ୍ନାଥ ସଡ଼କ ବାଲାଟ ନାଳ ଉପରେ ୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି।

ହୀରାକୁଦର ଉପରମୁଣ୍ଡରେ ବର୍ଷା ପରେ ବଢିଛି ଜଳ ପ୍ରବାହ। ଆଜି ୪ଟି ଗେଟ ଖୋଲିବା ସହ ୨୬ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ଏବେ ବର୍ଷା କମିଥିବାରୁ ଆଉ ଅଧିକ ଗେଟ ଖୋଲିବନାହିଁ ବୋଲି କହିଛନ୍ତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୫୫ ହଜାର କ୍ୟୁସେକ ପାଣି ନିଷ୍କାସିତ ହେଉଛି। ୨୬ଟି ଗେଟ ଜଳ ନିଷ୍କାସନ ହେଉଥିଲେ ସୁଦ୍ଧା ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। କେବଳ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି। ଏସଆରସିଙ୍କ ଯୋଗାଯୋଗରେ ରହିଛି ଜଳସଂପଦ ବିଭାଗ। ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି।

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ବଙ୍ଗୋପସାଗରରେ ମୌସୁମୀ ନିମ୍ନ ଚାପ ରେଖା ବି ସକ୍ରିୟ ରହିଛି। ଦୁଇଦିନ ଧରି ପାଗ ସାମାନ୍ୟ ରହିବ। ୧୮ ତାରିଖରୁ ବଢିବ ବର୍ଷାର ପରିମାଣ। ପ୍ରବଳ ବର୍ଷା ନେଇ ୧୮ ତାରିଖରେ ୫ଟି ଜିଲ୍ଲା ଗଞ୍ଜାମ, ନୟାଗଡ଼, କନ୍ଧମାଳ, କଟକ ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୯ତାରିଖରେ ବଢିବ ବର୍ଷାର ବିସ୍ତୃତି ଓ ପରିମାଣ।   ଲଘୁଚାପ ବର୍ଷା ପରେ ସ୍ବାଭାବିକ ହୋଇଛି ରାଜ୍ୟର ବୃଷ୍ଟିପାତ ପରିମାଣ। ଚଳିତ ମୌସୁମୀ ଋତୁରେ ଏଯାଏ ୧୦୦୫. ୯ ମିମି ବର୍ଷା ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.