ସାରୁଅ ଜମି ଜାଲିଆତି ମାମଲା: ଅନ୍ତରୀଣ ସୁରକ୍ଷା ପାଇଁ ପୁଣି ଥରେ ଜଗି ଓ ବୈଜୟନ୍ତଙ୍କ ପଣ୍ଡାଙ୍କ ପକ୍ଷରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ

କେନ୍ୟୁଜ୍(ବ୍ୟୁରୋ):  ସାରୁଅ ଜମି ଜାଲିଆତି ମାମଲାରେ ଅନ୍ତରୀଣ ସୁରକ୍ଷା ହଟିବା ପରେ ଓଆଇପିଏଲର ସେୟାର ହୋଲଡର ଜଗି ଓ ବୈଜୟନ୍ତଙ୍କ ପଣ୍ଡାଙ୍କ ପକ୍ଷରୁ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରାଯାଇଛି । ଆବେଦନର ଉଲ୍ଲେଖ ରହିଛି, ବୈଜୟନ୍ତ ଓ ଜଗି ଓଡ଼ିଶା ଇନଫ୍ରାଟେକର ସେୟାର ହୋଲଡର । କିନ୍ତୁ ବୈଜୟନ୍ତ କେବେବି ଏହାର ନିର୍ଦ୍ଦେଶକ ନଥିଲେ । ଏଥିସହ କଂପାନୀ ବ୍ୟାପାରରେ କେବେ ହେଲେ ଅଂଶଗ୍ରହଣ କରୁନଥିଲେ । ସେହିପରି ଜଗି ୨୩-୦୯-୨୦୦୮ରୁ ୧୩-୦୩-୨୦୧୦ ଯାଏ କଂପାନୀର ନିର୍ଦ୍ଦେଶକ ଥିଲେ । ପରବର୍ତ୍ତୀ ସମୟରେ ଓଆଇପିଏଲର ନିର୍ଦ୍ଦେଶକ ବିଭୁ ପ୍ରସାଦ ରଥ ଓ ମନୋରଂଜନ ଷଡ଼ଙ୍ଗୀ ନିର୍ଦ୍ଦେଶକ ଭାବେ କଂପାନୀ ପରିଚାଳନା କରୁଥିବା ବେଳେ ଏହାର ଦୈନନ୍ଦିନ ବ୍ୟାପାର ବୁଝୁଥିଲେ ।

ବିଭୁ ପ୍ରସାଦ ରଥଙ୍କ ଡ୍ରାଇଭର ଭାବେ ନିଯୁକ୍ତ ହୋଇଥିଲେ ରବୀନ୍ଦ୍ର ସେଠୀ । ସାରୁଅରେ ଜମି ଶିଳ୍ପ ପାଇଁ ଅଧିସୂଚିତ ହୋଇଥିବା ବେଳେ ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ସେଠାରେ ଫିଲ୍ମ ସିଟି ପାଇଁ ଶହେ ଏକର ଜମି କିଣିବାକୁ ନିଷ୍ପତ୍ତି ନେଇଥିଲା । ଏଥିପାଇଁ ଅନୁସୂଚିତ ଜାତିର ୨୨ଜଣ ବ୍ୟକ୍ତିଙ୍କ ଠାରୁ ପ୍ରାୟ ୭ ଏକର ଜମି କିଣାଯାଇଥିଲା । ଏହି ଜମି କିଣା ପାଇଁ ରବୀନ୍ଦ୍ର ସେଠୀଙ୍କୁ ନିୟୋଜିତ କରାଯାଇଥିଲା । ରବୀନ୍ଦ୍ର ସେଠୀଙ୍କୁ ଜଣେ ଲ୍ୟାଣ୍ଡ ଆଗ୍ରିଗେଟର ଭାବେ ନିୟୋଜିତ କରାଯାଇଥିବା ଅଗ୍ରୀମ ଜାମିନ ଆବେଦନରେ ଦର୍ଶାଯାଇଛି ।ଏବେ ସାରୁଅ ଜମି କିଣା ନେଇ ଓଆଇପିଏଲର ନିର୍ଦ୍ଦେଶକଙ୍କ ଉପରେ ସିଧା ଦୋଷ ଲଦିଛନ୍ତି ପ୍ରମୋଟର ଜଗି ଓ ବୈଜୟନ୍ତ । ତେଣୁ କ୍ରାଇମବ୍ରାଞ୍ଚ ଆଗକୁ କଣ ପଦକ୍ଷେପ ନେବ । ଆଇନଗତ ଦିଗ କଣ ରହିଛି । ସେଦିଗରେ କ୍ରାଇମବ୍ରାଞ୍ଚରେ ବିଚାରବିମର୍ଶ ଚାଲିଛି ।

ଚର୍ଚ୍ଚା ହେଉଥିଲା କି ଅନ୍ତରୀଣ ସୁରକ୍ଷା କବଚ ହଟିଥିବାରୁ ଓଆଇପିଏଲର ପ୍ରମୋଟର ଜଗି ଓ ବୈଜୟନ୍ତଙ୍କୁ ଗିରଫ କରିବାରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ । ତେବେ ଆଇଏଫଏସ ପାଠକ ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚର ବହୁ ଅଧିକାରୀ ଖୋଳତାଡ଼ ଚଳାଇଥିବାରୁ ବର୍ତ୍ତମାନ କୌଣସି ପଦକ୍ଷେପ ନିଆଯାଇ ପାରୁନଥିବା କୁହାଯାଉଛି । ଏପରିସ୍ଥିତିରେ ଆଗକୁ କ୍ରାଇମବ୍ରାଞ୍ଚର ପଦକ୍ଷେପ କଣ ହେବ ତା ଉପରେ ରହିଛି ନଜର । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.