ପୁଣି ଚର୍ଚ୍ଚାରେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା, ଅଭିଯୁକ୍ତକୁ ଗିରଫ ନକରି ଖସାଇଦେଇଥିବା ଅଭିଯୋଗ

ଗଜପତି(କେନ୍ଯୁଜ୍):ପୁଣି ଚର୍ଚ୍ଚାରେ ଗୁରାଣ୍ଡି ଥାନା ପୋଲିସ । ବିବାଦରେ ଓଆଇସି ମମତା ପଣ୍ଡା । ଅଭିଯୁକ୍ତକୁ ଗିରଫ ନକରି ଖସାଇଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଗୁରାଣ୍ଡି ଥାନାରେ ବିକ୍ଷୋଭ କରିଥିଲେ ଆଙ୍କୁଡି ଗ୍ରାମବାସୀ ।

ଗତ ୧୭ ତାରିଖରେ ବି.ଭାସ୍କର ରାଓଙ୍କୁ ସ୍ଥାନୀୟ ବୋଶି ବୁଡୁ କାଠରେ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ପୀଡିତଙ୍କ ପରିବାର । ହେଲେ ଅଭିଯୁକ୍ତକୁ ଗିରଫ ନକରି ଛାଡିଦେଇଥିବା ଅଭିଯୋଗ କରି ଆଜି ଥାନାରେ ଧାରଣା ଦେଇଥିଲେ ଗ୍ରାମବାସୀ । ତେବେ ଏନେଇ ଓଆଇସି ମମତା ପଣ୍ଡାଙ୍କ ପତିକ୍ରିୟା ମିଳିପାରି ନାହିଁ ।

ସୂଚନା ଥାଉକି, ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଚର୍ଚ୍ଚାରେ ରହିଥିଲେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ।  ତଦନ୍ତକାରୀ ଟିମ୍‌ ଆଗରେ ହାଜର ହୋଇଥିଲେ ଓଆଇସି ମମତା ପଣ୍ଡା । ମୃତ୍ୟୁ ମାମଲାରେ  ପାରଳାଖେମୁଣ୍ଡି ଥାନାରେ ତାଙ୍କୁ ପଚରାଉଚରା କରାଯାଇଥିଲା । ଘଟଣାଦିନ ରାତିରେ ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ରାସ୍ତାରେ ମମତା ପଣ୍ଡା ଅଟକାଇଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା । ଅଭିଯୋଗ ଉପରେ ତାଙ୍କର କଣ ଭୂମିକା ରହିଥିଲା ? କାହିଁକି ସେ ଆମ୍ବୁଲାନ୍ସ ଅଟକାଇଥିଲେ ? କେତେ ସମୟ ପାଇଁ ସେ ଅଟକାଇଥିଲେ ଆମ୍ବୁଲାନ୍ସ ? ସେଦିନ ସେ ହସ୍ପିଟାଲକୁ କାହିଁକି ଆସିଥିଲେ ? ବିଦ୍ୟାଭାରତୀ ତାଙ୍କୁ ଫୋନ୍‌ କରି ଡାକିଥିଲେ କି ? ଏମିତି ଅନେକ ପ୍ରଶ୍ନ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ପଚରାଉଚରା କରିଥିଲା । ଏହାପରେ ଗଜପତି ଡିଏଫଓଙ୍କ ସମେତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା ହୋଇଥିଲା। କେମିତି ଲାଗିଲା ଏସିଏଫ ସୌମ୍ୟରଂଜନଙ୍କ ଶରୀରରେ ନିଆଁ ? କ୍ରାଇମବ୍ରାଞ୍ଚ ଖିଅ ଖୋଜୁଥିବା ବେଳେ ପୂର୍ବରୁ ତିନି ଦିନ ଧରି ବିଭିନ୍ନ ଲୋକଙ୍କୁ ଘନ ଘନ ଜେରା ହୋଇଥିଲା ।

ଏହାରି ଭିତରେ ପୁଣି ଓଆଇସି ମମତା ପଣ୍ଡାଙ୍କୁ ନେଇ ବିବାଦ ମୁଣ୍ଡ ଟେକିଛି । ଅଭିଯୁକ୍ତକୁ ଗିରଫ ନକରି ଛାଡିଦେଇଥିବା ଅଭିଯୋଗ କରି ଆଜି ଥାନାରେ ଧାରଣା ଦେଇଥିଲେ ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.