ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ପରେ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ

ପୁରୀ:ଖୋଲିବ କି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଆଭାସ ମିଳିଛି। ଭିତର ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ପରିଚାଳନା କମିଟି ସଦସ୍ୟ ମଧ୍ୟ ଯୁକ୍ତି ରଖିଛନ୍ତି। ମହାପ୍ରଭୁଙ୍କ ଅଳଙ୍କାର ପରି ସ୍ଥାବର ଅସ୍ଥାବର ସଂପତ୍ତିର ତାଲିକା, ଏହାର ମୂଲ୍ୟ ଏବଂ ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ସଂପର୍କରେ ଅନୁଧ୍ୟାନ କରି ଜାନୁଆରୀ ୮ ସୁଦ୍ଧା ରିପୋର୍ଟ ଦେବାକୁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଗତ ସେପଟେମ୍ବର ୧୭ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟପାଳଙ୍କୁ ଜଣେ ଆଇନ ଛାତ୍ର ଚିଠି ଲେଖିଥିଲେ। ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ସେପଟେମ୍ବର ୧୯ରେ ଆଇନ ବିଭାଗକୁ ଚିଠି ଲେଖାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି।

୧୯୭୮ରେ ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟିତ୍ୱ ନେବା ପରେ ପ୍ରଥମ କରି ଭିତର ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତ ହୋଇଥିଲା। ପରେ ୧୯୮୫ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲେ ମଧ୍ୟ ଅଳଙ୍କାର ଗଣତି ହୋଇ ପାରି ନଥିଲା। ଶ୍ରୀମନ୍ଦିର ଆଇନ ଅନୁଯାୟୀ ପ୍ରତି ତିନି ବର୍ଷ ଭିତରେ ରତ୍ନଭଣ୍ଡାର ଖୋଲାଯିବ କଥା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ, ପରବର୍ତ୍ତୀ ପରିଚାଳନା କମିଟି ବୈଠକରେ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପରିଚାଳନା କମିଟି ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି। ଭିତର ରତ୍ନଭଣ୍ଡାର ଖୋଲି ୮୩୭ ପ୍ରକାର ଅଳଙ୍କାରର ଇନଭେଣ୍ଟରୀ କରିବା ପାଇଁ ଭକ୍ତମାନେ ମଧ୍ୟ ଦାବି ରଖିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.