ପୁଣି ଆତଙ୍କ ଖେଳାଇଛି ବାଘ, ଗୋଠରୁ ଗାଈକୁ ଟାଣିନେଇ ଖାଉଛି

ମାତିଛି ବାଘ। ଗୋଠରେ ପଶୁଛି, ଗାଈ ଓ ବଳଦଙ୍କୁ ଟାଣି ନେଇ ମାରି-ଖାଉଛି । କେଉଁଠି ଘର ପାଖରୁ ଟାଣିନେଉଛି ତ ପୁଣି ଆକ୍ରମଣ କରୁଛି । ଗୋଟିଏ ଜାଗାରେ ଶିକାର କଲେ, ସ୍ଥାନ ବଦଳାଉଛି ବାଘ ।

ଗଞ୍ଜାମ(କେନ୍ୟୁଜ୍‌): ମାତିଛି ବାଘ। ଗୋଠରେ ପଶୁଛି, ଗାଈ ଓ ବଳଦଙ୍କୁ ଟାଣି ନେଇ ମାରି-ଖାଉଛି । କେଉଁଠି ଘର ପାଖରୁ ଟାଣିନେଉଛି ତ ପୁଣି ଆକ୍ରମଣ କରୁଛି । ଗୋଟିଏ ଜାଗାରେ ଶିକାର କଲେ, ସ୍ଥାନ ବଦଳାଉଛି ବାଘ । ବାଘ ଭୟରେ ରହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଗୋଟିଏ ପରେ ଗୋଟିଏ ଗାଈ, ଗୋରୁ, ମଇଁଷିକୁ ଟାଣିନେଇ, ମାରି-ଖାଉଛି ବାଘ । ବନବିଭାଗ ଜଗୁଛି, ହେଲେ ଜଣାପଡୁନି ବାଘର ଠିକଣା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳୁଛି ଏଭଳି ଘଟଣା । ବାଘର ଗତିବିଧି ଜାଣିବା ପାଇଁ, ବନବିଭାଗ ଟ୍ରାପ୍ କ୍ୟାମେରା ଲଗାଉଛି, ହେଲେ ଧରା ପଡୁନି ବାଘ । ଗତ ପ୍ରାୟ ୨୦ ରୁ ଅଧିକ ଦିନ ହେଲା , ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର ବିଭିନ୍ନ ସ୍ଥାନରେ, ଘୁରି ବୁଲୁଛି ବାଘ ।

ବେଲାଟୁଣୁ ଗାଁ ନିକଟ ଦିବିରିସିଙ୍ଗି ଗାଁର ହରି ପ୍ରଧାନଙ୍କ ଘର ନିକଟରେ ବନ୍ଧା ହୋଇଥିବା ବଳଦକୁ, ଆକ୍ରମଣ କରିଥିଲା ବାଘ । ଆକ୍ରମଣ ସମୟରେ ବାଘ ଓ ବଳଦର ଗର୍ଜନ ଶୁଣି ପାଖକୁ ଦୈାଡି ଯାଇଥିଲେ, ପରିବାର ଲୋକେ । ହେଲେ ବାଘ ସେଠାରୁ ଖସି ଚାଲିଯାଇଥିଲା । ଏହା ପୂର୍ବରୁ ନିକଟସ୍ଥ ବୁଦୁଲି ଗାଁ ନିକଟ ଏକ ଗାଈ-ଗୋଠ ରୁ ୩ ଟି ଗାଈଙ୍କୁ ଗୋଠରୁ ଟାଣି ନେଇ ମାରିଥିଲା । ସେହିଭଳି ନିକଟସ୍ଥ ଗୁଣ୍ଡୁରିବାଡି ଗାଁ ରୁ ଗୋଟିଏ ମଇଁଷିକୁ ଟାଣି ନେଇ ଖାଇଥିଲା ବାଘ ।

ବିଭିନ୍ନ ସ୍ଥାନରେ ପଡିଥିବା ପାଦ ଚିହ୍ନ, ଏବଂ ଗୋରୁ-ଗାଈଙ୍କୁ ଆକ୍ରମଣ କରୁଥିବା ତରିକାକୁ ଅନୁଧ୍ୟାନ କରି ବନବିଭାଗ ନିଶ୍ଚିତ ଯେ, ସ୍ଥାନୀୟ ଅଞ୍ଚଳରେ ବାଘ ବୁଲୁଛି । ଜଙ୍ଗଲର ବିଭିନ୍ନ ସ୍ଥାନରେ, ବନବିଭାଗ ୮ ଟି ଟ୍ରାପ୍ କ୍ୟାମେରା ଲଗାଇଥିଲେ ମଧ୍ୟ, ବାଘର ଚିତ୍ର ଉତ୍ତୋଳନ ହୋଇ ପାରୁନି । ସଞ୍ଜ ନଇଁଲେ ଘରୁ ବାହାରକୁ ବାହାରି ପାରୁନାହାନ୍ତି ସ୍ଥାନୀୟ ଗ୍ରାମବାସୀ । ଫୁଲବାଣୀ- ଭଞ୍ଜନଗର ରାସ୍ତାରେ ଯାତାୟତ କରିବାକୁ ନିରାପଦ ମଣୁ ନାହାଁନ୍ତି ଲୋକେ । ଏନେଇ, ଲୋକଙ୍କୁ ସତର୍କ କରାଇବା ସହ, ପେଟ୍ରୋଲିଂ ଜାରି ରଖିଛି ବନବିଭାଗ ।

ପୂର୍ବରୁ, ଘୁମୁସର ବନଖଣ୍ଡ ରେ ବାଘ ରହିଥିବା ସ୍ପଷ୍ଟ ହୋଇଛି । ତେବେ ଏହା କେଉଁ ପ୍ରଜାତିର ବାଘ ସେନେଇ ସ୍ପଷ୍ଟ କରିନି, ବନବିଭାଗ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଏବେ ବନବିଭାଗ ଏ କ୍ଷେତ୍ରରେ ପଦକ୍ଷେପ ନେବାକୁ, ସାଧାରଣରେ ଦାବୀ ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.