Below header

ଆଜି ସରୁଛି ଡେଡ୍‌ଲାଇନ, ଆସନ୍ତାକାଲି ସୁଦ୍ଧା ମାସିକିଆ ରିପୋର୍ଟ କାର୍ଡ ଦେବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : ଆଜି ସରୁଛି ଡେଡଲାଇନ । ପ୍ରଥମ ମାସ ରିପୋର୍ଟ କାର୍ଡ ୭ ତାରିଖ ସୁଦ୍ଧା ଦେବାକୁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ମାସରେ କେଉଁ ମନ୍ତ୍ରୀ କଣ କାର୍ଯ୍ୟ କରିଛନ୍ତି ତାହା ଉପରେ ରିପୋର୍ଟ ପ୍ରସ୍ତୁତ କରିବାରେ ବ୍ୟସ୍ତ । ଆଗାମୀ ମାସରେ କଣ ସବୁ କାର୍ଯ୍ୟକ୍ରମ ହାତକୁ ନେବେ ତାହାର ମଧ୍ୟ ତଥ୍ୟ ରଖିବେ ମନ୍ତ୍ରୀ।

ପ୍ରଥମେ ଅଫିସରଙ୍କୁ 5-T ଫଣ୍ଡା। ପରେ ବିଧାୟକଙ୍କୁ ଲୋକଙ୍କ ହୃଦୟ ଜିଣିବାର ମନ୍ତ୍ର । ଆଉ ଏବେ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ନେବାର ସମୟ । ପ୍ରଥମ ମାସରେ ମନ୍ତ୍ରୀମାନେ କିଏ କଣ କଲେ ତାହାର ରିପୋର୍ଟ କାର୍ଡ ୭ ତାରିଖ ସୁଦ୍ଧା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଗତ ମାସକ ମଧ୍ୟରେ କେଉଁ ମନ୍ତ୍ରୀ କଣ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆସନ୍ତୁ ନଜର ପକାଇବା। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପ୍ରଥମ ଦିନରୁ ପୂରା ଫର୍ମରେ । ସିଡିଏମଓ ସମ୍ମିଳନୀ ସରିଛି। ଅବସର ଗ୍ରହଣ ପରେ ନିୟୋଜିତ ଡାକ୍ତରଙ୍କ ଅବସର ବୟସ ବଢାଇ ୭୦ ବର୍ଷ କରିଛନ୍ତି। ଜିଲ୍ଲାସ୍ତରରେ କେଉଁଠି କେତେ ଡାକ୍ତର ଅବସର ନେଇଛନ୍ତି ତାର ତାଲିକା ଜୁଲାଇ ୧୫ ତାରିଖ ସୁଦ୍ଧା ଦେବାକୁ ସିଡିଏମଓଙ୍କୁ କୁହାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଆହୁରି ବ୍ୟାପକ କରିବା ପାଇଁ ନିଷ୍ପତ୍ତି ହୋଇଛି।

ନୂଆ ସରକାରରେ ଚର୍ଚ୍ଚାରେ ରହି ଆସିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆକ୍ସନ ମୋଡରେ ମନ୍ତ୍ରୀ ସମୀର ଦାସ । ଆରମ୍ଭରୁ ବଡ଼ ବଡ଼ ନିଷ୍ପତ୍ତି ନେବାରେ ଲାଗିଛନ୍ତି। ୧୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ୯୬୬ଟି ସରକାରୀ ସ୍କୁଲ ବନ୍ଦ । ମାଟ୍ରିକ ପରୀକ୍ଷା ଉତ୍ତୀର୍ଣ୍ଣ ହାର କମ୍‌ ହେଉଥିବାରୁ ପଞ୍ଚମ ଓ ଅଷ୍ଟମରେ ପୁଣି ଲାଗୁ ହେବ ପାସ୍‌-ଫେଲ ବ୍ୟବସ୍ଥା । ପ୍ରତି ମାସରେ ଗୋଟିଏ ତାରିଖରେ ସାରା ରାଜ୍ୟରେ ସବୁ ଘରୋଇ ଓ ସରକାରୀ ସ୍କୁଲରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହେବ।

ଗତ ମାସକ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ଉଚ୍ଚଶିକ୍ଷା ଓ କୃଷି ବିଭାଗରେ । ଏଣିକି କଲେଜ କ୍ୟାମ୍ପସରେ ୭ ଘଣ୍ଟା ଧରି ରହିବେ ଅଧ୍ୟାପକ । ଆସନ୍ତା ଦୁଇ ତିନି ମାସ ମଧ୍ୟରେ ସବୁ ସରକାରୀ କଲେଜରେ ବାୟୋମେଟ୍ରିକ ଉପସ୍ଥାନ ନିଆଯିବ। ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ଅଧିନରେ ସ୍ନାତକ ଶିକ୍ଷା ପାଇଁ ଗୋଟିଏ ପ୍ରକାର ସିଲାବସ୍‌ ପ୍ରଚଳନ ନିଷ୍ପତ୍ତି ନିଆଯାଇଛି। ସେହିପରି ଚାଷୀଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ପରିସର ବଢିଛି। କୃଷି ବିଭାଗର ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ସେ ବାବଦରେ ଜାଣିବା ପାଇଁ କ୍ଷେତ୍ର ପରିଦର୍ଶନ କରିବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।

ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ୧୫ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ଦିଆଯିବ । ସବୁ ବୈଷୟିକ ଶିକ୍ଷାନୁଷ୍ଠାନ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ମାଗଣାରେ ୱାଇଫାଇ ସେବା ମିଳିବ । ଏନେଇ ବୈଷୟିକ ଶିକ୍ଷା ବିଭାଗ ତରଫରୁ କାର୍ଯ୍ୟ ଆରମ୍ଭ ହୋଇଛି। ବିଭିନ୍ନ ବିଭାଗର ମନ୍ତ୍ରୀମାନେ ନିଜ ନିଜର ପ୍ରଥମ ମାସର ରିପୋର୍ଟ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.