ଶ୍ରୀମନ୍ଦିରରେ ସେବାୟତଙ୍କ ବଂଶାନୁକ୍ରମିକ ପ୍ରଥା ଉଚ୍ଛେଦ କରାଯାଇ ପାରିବ ନାହିଁ : ସୁପ୍ରିମକୋର୍ଟରେ ଆମିକସ କ୍ୟୁରୀଙ୍କ ରିପୋର୍ଟ

ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ନିଯୁକ୍ତ ହୋଇଥିଲା ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର। ଗତମାସ ପୁରୀ ଆସି ସବୁ ପକ୍ଷଙ୍କ ସହ ଆଲୋଚନା କରିଥିଲେ। ମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ସହ ବୈଠକ କରିଥିଲେ। ଏବେ ରିପୋର୍ଟ ପ୍ରସ୍ତୁତ କରି ସୁପ୍ରିମକୋର୍ଟରେ ଦାଖଲ କରିସାରିଛନ୍ତି ଆମିକସ କ୍ୟୁରୀ। କଳିଙ୍ଗ ଟିଭିକୁ ହସ୍ତଗତ ହୋଇଛି ରିପୋର୍ଟର ଏକ ନକଲ। ସୁପ୍ରିମକୋର୍ଟ ସଂସ୍କାର ନେଇ ୧୨ଟି ପ୍ରସ୍ତାବ ଉପରେ ସବିଶେଷ ତଥ୍ୟ ଓ ଆଲୋଚନା ତାଙ୍କ ରିପୋର୍ଟରେ ସ୍ଥାନ ପାଇଛି। ରିପୋର୍ଟରେ କୁହାଯାଇଛି ବଂଶାନୁକ୍ରମିକ ସେବା ପ୍ରଥା ସହ ନିଯୁକ୍ତି ଉଚ୍ଛେଦ ହୋଇ ପାରିବ ନାହିଁ। ଦ ପୁରୀ ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡ୍‌ମିନିଷ୍ଟ୍ରେସନ ଆକ୍ଟ ୧୯୫୨ ଅନୁଯାୟୀ ସେବାୟତଙ୍କୁ ବଂଶାନୁକ୍ରମିକ ସେବା ଅଧିକାର ମିଳିଛି। ତାହାକୁ ମାନ୍ୟତା ମଧ୍ୟ ମିଳିଛି। ଭିନ୍ନଭିନ୍ନ ପୂଜାନୀତି ପାଇଁ ଭିନ୍ନ ନିଯୋଗର ସେବାୟତ ଅଛନ୍ତି। ଆବାହମାନ କାଳରୁ ଏହା ଚାଲି ଆସୁଛି। ତେଣୁ ଏହାକୁ ଉଚ୍ଛେଦ କରି ହେବ ନାହିଁ।

ବର୍ତ୍ତମାନ ଭିନ୍ନଭିନ୍ନ ନିଯୋଗରେ ପ୍ରାୟ ୨୩ଶହ ସେବାୟତ ଅଛନ୍ତି। ସେଥିରୁ କିଛି ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି। ଫଳରେ ପାଳି କରିବ ସେବା କରୁଥିବା ସେବାୟତଙ୍କ ପାଳି ଶୀଘ୍ର ଆସିବ ଏବଂ ସେମାନଙ୍କୁ ପୁରସ୍କାର ମିଳି ପାରିବ। ଯେଉଁମାନଙ୍କୁ ବାହର କରାଯିବ ସେମାନଙ୍କୁ ମଧ୍ୟ ସହାୟତା ରାଶି ଦିଆଯିବ। ଏହାସହ ଏକ ସେବାୟତଙ୍କ ରିଜର୍ଭ ଲିଷ୍ଟ ରହିବେ। ଆବଶ୍ୟକ ସମୟରେ ସେମାନେ ନିଜର ସେବା ସମ୍ପାଦନ କରିବେ।

ସେବାୟତଙ୍କ ଦାନ ଦକ୍ଷିଣା ଗ୍ରହଣ କଟକଣା ଉପରେ ମଧ୍ୟ ରିପୋର୍ଟ ପ୍ରଦାନ କରାଯାଇଛି। ଅତିରିକ୍ତ ହୁଣ୍ଡି ଓ ଦାନ ବକ୍ସ ରଖାଯାଇଛି। ସେଠାରେ ହିଁ ଭକ୍ତ ଦାନ କରି ପାରିବେ। ସେଥିରୁ କିଛି ଅଂଶ ସେବାୟତଙ୍କୁ ଦିଆଯିବ। ଏହାସହ ସ୍ୱତନ୍ତ୍ର ଯାତ୍ରୀ ପୂଜା ପାଇଁ ମନ୍ଦିର ଅଫିସରେ ହିଁ ଟଙ୍କା ପଇଠ ହେବ। ସେଥିରୁ କିଛି ପ୍ରତିଶତ ସେବାୟତଙ୍କୁ ଦିଆଯିବ। ଏହାଫଳରେ ଶ୍ରଦ୍ଧାଳୁଙ୍କ କୌଣସି ଅସୁବିଧା ହେବ ନାହିଁ କି ସେବାୟତ ଅସନ୍ତୁଷ୍ଟ ହେବେ ନାହିଁ।

ରୋଷଘରକୁ ମନ୍ଦିର ପରିଚାଳନା କମିଟି ଅଧିନକୁ ଆଣିବାକୁ ଉଦ୍ୟମ ହେଉଛି। ଏହାସହ ରୋଷଘରର ପରିଷ୍କାର ଓ ପରିଛନ୍ନତା ବଜାୟ ରଖିବାକୁ ମନ୍ଦିର ପ୍ରଶାସନ ପଦକ୍ଷେପ ନେଇଛି। ସେବାୟତ ଓ କର୍ମଚାରୀଙ୍କ ପାଇଁ ପରିଚୟ ପତ୍ର ବ୍ୟବସ୍ଥା ତିନି ମାସ ମଧ୍ୟରେ ଲାଗୁ ହେବ। ସେବକ ଓ କର୍ମଚାରୀଙ୍କ ପାଇଁ ଭିନ୍ନ ଭିନ୍ନ କଲର କୋଡ୍‌ ଥାଇ ପରିଚୟ ପତ୍ର ପ୍ରସ୍ତୁତ ହେବ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଆମିକସ କ୍ୟୁରୀ ରଞ୍ଜି କୁମାର ଫେବ୍ରୁଆରୀ ୨୩ରେ ପୁରୀ ଆସି ଶଙ୍କରାଚାର‌୍ୟ୍ୟ, ଗଜପତି ମହାରାଜ, ଶ୍ରୀମନ୍ଦିର ପ୍ରସାଶନ ଓ ମନ୍ଦିରର ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.