ପାରିବାରିକ ହିଂସା ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ଶୁଣାଣି, ଜବାବ ଦାଖଲ କରିବାକୁ ଅଧିକ ସମୟ ପାଇଁ ଅନୁଭବଙ୍କ ଆବେଦନ

କେନ୍ୟୁଜ ବ୍ୟୁରୋ : କଟକ ଏସଡିଜେଏମ କୋର୍ଟରେ ପାରିବାରିକ ହିଂସା ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ହୋଇଛି ଶୁଣାଣି। ନିଜ ଓକିଲ ଜରିଆରେ କୋର୍ଟରେ ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି । ଜବାବ ଦାଖଲ କରିବା ପାଇଁ ଅଧିକ ଦିନ ସମୟ ଦେବାକୁ ଅନୁଭବ ଆବେଦନ କରିଛନ୍ତି । ଆସନ୍ତା ଡିସେମ୍ବର ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି। ପୂର୍ବରୁ କଟକ ସଦର ଏସଡିଜେଏମଙ୍କ କୋର୍ଟରେ ଜିଲ୍ଲା ସୁରକ୍ଷା ଅଧିକାରୀଙ୍କ ରିପୋର୍ଟ ଦାଖଲ ହୋଇଥିଲା । ଏହାପରେ ପ୍ରତିପକ୍ଷ ଅନୁଭବଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ । କଟକ ସଦର ଏସଡିଜେଏମଙ୍କ ଅଦାଲତରେ ବର୍ଷା ପ୍ରିୟଦର୍ଶିନୀ ଭରଣପୋଷଣ ଓ ପାରିବାରିକ ହିଂସାର ଅଭିଯୋଗ ଆଣିଛନ୍ତି । ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ କରିଛନ୍ତି ବର୍ଷା ।

ପ୍ରୋଟେକସନ ଅଫ ଓମେନ ଫ୍ରମ ଡୋମେଷ୍ଟିକ ଭାଇଓଲେନ୍ସ ଆକ୍ଟ ୨୦୦୫ର ଧାରା ୧୨,୧୭, ୧୮, ୧୯, ୨୦ ଓ ୨୨ ଅନୁସାରେ ମକଦ୍ଦମା ଦାୟର କରିଛନ୍ତି। ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦିଲ୍ଲୀ ପଟିଆଲା ହାଉସ ଫାମିଲି କୋର୍ଟରେ ବିବାହ ବିଚ୍ଛେଦ ମାମଲା ଦାୟର କରାଯାଇଥିବା ବେଳେ ମାମଲାକୁ କଟକକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟରେ ଟ୍ରାନ୍ସଫର ପିଟିସନ ଦାୟର କରିଥିଲେ। ଟ୍ରାନ୍ସଫର ପିଟିସନର ଶୁଣାଣି କରି ଉଭୟଙ୍କ ମଧ୍ୟରେ ସୁପ୍ରିମକୋର୍ଟଙ୍କ ପରିବାର ମଧ୍ୟସ୍ଥତା କେନ୍ଦ୍ରରେ ଆପୋସ ସମାଧାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଛନ୍ତି । ସେପଟେ ବର୍ଷା ପ୍ରିୟଦର୍ଶିନୀ କଟକର ପରିବାର ଅଦାଲତରେ ଅନ୍ୟ ଏକ ମାମଲା ମଧ୍ୟ ଦାୟର କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.