Below header

କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ, ୧୬ ହଜାର ଜଣଙ୍କୁ ମିଳିବ ନିଯୁକ୍ତି

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ। ନିବେଶ ହେବ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା। ମହାକାଳପଡା ବ୍ଳକରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ ବଡ଼ ପୁଞ୍ଜି ନିବେଶ କରିବା ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠା ହେବ ସମନ୍ଵିତ ଷ୍ଟିଲ୍‌ ପ୍ଲାଣ୍ଟ । ବାର୍ଷିକ ଉତ୍ପାଦନ କ୍ଷମତା ରହିବ ୨୪ ନିୟୁତ ଟନ୍‌। ୧୬ ହଜାର ଜଣଙ୍କୁ ମିଳିବ ପ୍ରତ୍ୟକ୍ଷ ନିଯୁକ୍ତି। ଏହାସହ ଆନ୍‌ସିଲାରୀ ଏବଂ ଡାଉନ୍‌ଷ୍ଟ୍ରିମ ଇଣ୍ଡଷ୍ଟ୍ରି ଜରିଆରେ ଅନେକ ପରୋକ୍ଷରେ ନିଯୁକ୍ତି ପାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଏଚଏଲସିଏ ବୈଠକରେ ଏହି ପ୍ରକଳ୍ପକୁ ମିଳିଛି ଅନୁମତି। ପର୍ଯ୍ୟାୟକ୍ରମେ ପ୍ରକଳ୍ପ କାମ ୭ ବର୍ଷରେ ସମ୍ପୂର୍ଣ୍ଣ ହେବ। ସରକାରଙ୍କ ବିଭିନ୍ନ ସଂସ୍ଥା ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଭିତ୍ତିଭୂମି, ଶକ୍ତି ଓ ବିଦ୍ୟୁତ ଯୋଗଣ ସୁନିଶ୍ଚିତ କରିବେ। ଏ ସବୁର କାମ ତଦାରଖ କରିବେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତା ସମ୍ପନ କମିଟି।

ବର୍ତ୍ତମାନ ଅନୁମୋଦିତ ପ୍ରକଳ୍ପ ଦେଶର ମାନୁଫେକ୍‌ଚରିଂ ସେକ୍ଟରରେ ସବୁଠାରୁ ବଡ଼ ପ୍ରକଳ୍ପ। କେନ୍ଦ୍ରାପଡ଼ା କମ୍ପ୍ଲେକ୍‌ସରେ AMNS ଗ୍ରୀନ୍‌ ଷ୍ଟିଲ ମେକିଂ ଜ୍ଞାନକୌଶଳରେ ବାର୍ଷିକ ବିଭିନ୍ନ ଗ୍ରେଡର ୨୪ ନିୟୁତ ଟନ ଷ୍ଟିଲ ଉତ୍ପାଦନ କରିବ। ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ନିୟୁତ ଟନ୍‌ ସିମେଣ୍ଟ ଉତ୍ପାଦନ ହେବ। ଯାହା ଦେଶର ସବୁଠାରୁ ସର୍ବାଧିକ ସିମେଣ୍ଟ ଉତ୍ପାଦନକାରୀ ପ୍ଲାଣ୍ଟ ହେବ। ଷ୍ଟିଲ କମ୍ପ୍ଲେକ୍ସ ସହ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ AMNS ଡାଉନ୍‌ଷ୍ଟ୍ରିମ ପାର୍କ ବିକଶିତ କରିବ। ଷ୍ଟିଲ ତିଆରିରେ ସହଯୋଗ ଲାଗି ବହୁ ସଂଖ୍ୟାରେ ଆନସିଲାରୀ ମାନୁଫେକ୍‌ଚରିଂ କଂପାନୀ ମେଗା ପ୍ରକଳ୍ପ ଅଂଚଳରେ ନିଜ ୟୁନିଟ୍‌ ପ୍ରତିଷ୍ଠା କରିବେ।

କେନ୍ଦ୍ରାପଡ଼ାରେ ପ୍ରକଳ୍ପ ପାଇଁ AMNS ଗତ ମାର୍ଚ୍ଚ ମାସରେ ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର କରିଥିଲା। ଗତ ଅଗଷ୍ଟ ମାସରେ ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନିୱାସ ମିତ୍ତଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏବେ ହାଇଲେଭଲ କ୍ଲିଅରାନ୍‌ସ ଅଥରିଟିରୁ ମିଳିଛି ଅନୁମତି। ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ର ପ୍ରକଳ୍ପ ଯୋଗୁଁ କେନ୍ଦ୍ରାପଡ଼ାର ସାମଗ୍ରିକ ବିକାଶ ହୋଇ ପାରିବ। ବିଶ୍ୱ ଇସ୍ପାତ ଉତ୍ପାଦନ ମାନଚିତ୍ରରେ ଏହି କାରଖାନା କେନ୍ଦ୍ରାପଡ଼ା ଓ ଓଡ଼ିଶାକୁ ଦେବ ସ୍ୱତନ୍ତ୍ର ପରିଚୟ। AMNS ନିବେଶ ସହ ଗତ ୧୨ ମାସରେ ରାଜ୍ୟରେ ୨ ଲକ୍ଷ ୭୦ ହଜାର କୋଟି ଟଙ୍କାର ନିବେଶ ଆକୃଷ୍ଟ କରି ପାରିଛି ଓଡ଼ିଶା। ୧ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶା ଦେଶରେ ସର୍ବାଧିକ ଷ୍ଟିଲ ଉତ୍ପାଦନକାରୀ ରାଜ୍ୟ। ଏପରି ବୃହତ ନିବେଶ ଦ୍ୱାରା ୨୦୩୦ ସୁଦ୍ଧା ବାର୍ଷିକ ୧୦୦ ନିୟୁତ ଟନ୍‌ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ ରଖିଛି ଓଡ଼ିଶା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.