ଶ୍ରୀମନ୍ଦିରରେ ଚାଲୁରହିଥିବା ନିର୍ମାଣାଧୀନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଏଏସଆଇ ଟିମ୍

ପୁରୀ: ଶ୍ରୀମନ୍ଦିରରେ ପହଂଚିଛନ୍ତି ଏଏସଆଇ ଟିମ୍‌ । ଏଏସଆଇ ସୁପରିଟେଣ୍ଡଣ୍ଟ ଅରୁଣ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏହି ଦଳ ‌ଶ୍ରୀମନ୍ଦିର ପରିସରରେ ଚାଲୁ ରହିଥିବା ନିର୍ମାଣାଧୀନ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି । ବିଶେଷ କରି ମନ୍ଦିରର ସ୍ନାନ ମଣ୍ଡପ, ନାଟ ମଣ୍ଡପ ଓ ଜଗମୋହନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଏହି ଟିମ । କହିରଖିବା ଉଚିତ ହେବଯେ, ସ୍ନାନ ମଣ୍ଡପରେ ୬୦ରୁ ଅଧିକ ଖଣ୍ଡେଲାଇଟ୍‌ ପଥର ଭାଙ୍ଗି ନଷ୍ଟ ହୋଇ ଯାଇଥିଲା । ଆଗକୁ ଥିବା ରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏହି ସମସ୍ତ ପଥର ଗୁଡିକୁ ସଜଡା ଯିବା ସହ ସବୁ କାମ କରାଯିବ ବୋଲି ଜଣାଯାଇଛି ।

ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଆଜି ମନ୍ଦିରରେ ପହଁଚିଥିବା ବେଳେ ବିଭିନ୍ନ କାର୍ଯ୍ୟ ଗୁଡିକର ତଦାରଖ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ସ୍ନାନ ମଣ୍ଡପର ପ୍ରାୟତଃ ସମସ୍ତ କାର୍ଯ୍ୟ ଶେଷ ହୋଇଛି । ସେହିପରି ନାଟମଣ୍ଡପ ବିମ୍‌ରେ ସୃଷ୍ଟି ହୋଇଥିବା ଫାଟ ଓ ନାଟମଣ୍ଡପର ଆବଶ୍ୟକ ମରାମତି କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଛି ଟିମ୍‌ । ନାଟମଣ୍ଡପ ଓ ଜଗମୋହନ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଏଏସ୍‌ଆଇ ଟିମ୍‌ ପକ୍ଷରୁ କୁହାଯାଇଛି । ଶ୍ରୀମନ୍ଦିର କୋର ଓ ବିଶେଷଜ୍ଞ କମିଟିର ଯାଞ୍ଚ ଓ ଅନୁଧ୍ୟାନ ପରେ ରଥଯାତ୍ରା ସମୟରେ ଆବଶ୍ୟକ ମରାମତି କାମ ଜାରି ରହିବ ବୋଲି ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ପ୍ରକାଶ କରିଛନ୍ତି ।

କହିରଖିବା ଉଚିତ ହେବାଯେ, କରୋନା ମୁକାବିଲା ନେଇ ଜାରି ହୋଇଥିବା ଲକ ଡାଉନ କାରଣରୁ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ଧରି ସମସ୍ତ କାମ ବନ୍ଦ ରହିଥିଲା | ଏହି କାର୍ଯ୍ୟ ଗତ ଶୁକ୍ରବାର ବାର ଠାରୁ ପୁଣି ଥରେ ଆରମ୍ଭ ହୋଇଛି | ସେପଟେ ଅନେକ ଟଣାଓଟରା ପରେ ମହାପ୍ରଭୁଙ୍କ ରଥନିର୍ମାଣ କାମ ବି ଜୋର ସୋରରେ ଆଗେଇ ଚାଲିଛି | ତିନି ରଥର ସମସ୍ତ ଚକ ଅଖ ଡେରା ବା ସଂଯୋଗ ସମ୍ପୂର୍ଣ୍ଣ ହୋଇଛି । ରଥଖଳାରେ ପୋଲ ଓ ଚନ୍ଦାଗୟଳ ପାଇଁ କାଠ ଚିରଟ ହୋଇ ଚଉପଟ କାର୍ଯ୍ୟ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.