ଘର କଳିରେ ଫସିଗଲା ପୋଲିସ୍‌, ଆଠଘଣ୍ଟା ଅଟକ ରଖିଲେ ଗାଁ ମହିଳା

କାକଟପୁର (କେନ୍ୟୁଜ୍‌) : ପାରିବାରିକ କଳହକୁ ସମାଧାନ କରିବା ପାଇଁ ଆସିଥିବା ବେଳେ ଗାଁ ମଝିରେ ମହିଳାଙ୍କ ଦ୍ଵାରା ଆଠଘଣ୍ଟା ଅଟକ ରହିଛି ଅସ୍ତରଙ୍ଗ ପୁଲିସ | ଏ ଘଟଣା ଘଟିଛି ଅସ୍ତରଙ୍ଗ ଥାନା ଅନ୍ତର୍ଗତ ବେଗୁନିଆବସ୍ତ ଗ୍ରାମରେ ।

ଘଟଣା ଅନୁଯାୟୀ ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗ୍ରାମରେ ଗୋବିନ୍ଦ ସାହୁ ନାମକ ଜଣେ ବ୍ୟକ୍ତି ଦୁଇଟି ବିବାହ କରିଛନ୍ତି । ପ୍ରଥମ ପତ୍ନୀ ଲକ୍ଷ୍ମୀପ୍ରିୟା ଏବଂ ତାଙ୍କର ଗୋଟିଏ ଦଶ ବର୍ଷର ଝିଅ ଅଛନ୍ତି । ତେବେ ସେମାନଙ୍କୁ ଅନେକ ସମୟରେ ନିର୍ଯାତନା ସହ ଭରଣ ପୋଷଣ ଦେଉ ନଥିବା ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ | ଘଟଣାର ଅପୋଷ ବୁଝାମଣା ପାଇଁ ଗତକାଲି ସ୍ଥିର ହୋଇଥିବା ବେଳେ ଗୋବିନ୍ଦ ସାହୁ ଘରେ ଉପସ୍ଥିତ ନଥିଲେ | ଯାହାଫଳରେ ପ୍ରଥମ ପତ୍ନୀ ଲକ୍ଷ୍ମୀପ୍ରିୟା ଗ୍ରାମର ମହିଳା ସଙ୍ଘରେ ଫେରାଦ ହୋଇଥିଲେ | ମହିଳା ସଙ୍ଘର ସଦସ୍ୟମାନେ ଗୋବିନ୍ଦଙ୍କ ଦିତୀୟ ପତ୍ନୀଙ୍କୁ ସ୍ୱାମୀ କାହାନ୍ତି ବୋଲି ଯାଇ ପଚାରିବାରେ ସେ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ | ଏଥିରେ ମହିଳା ସଂଘର ସଦସ୍ୟମାନେ ଗୋବିନ୍ଦଙ୍କ ଘରେ ତାଲା ପକାଇ ଦେଇଥିଲେ । ଗୋବିନ୍ଦ ଆସିଲେ ଘଟଣାର ବିଚାର ହେବ ବୋଲି କହିଥିଲେ |

ହେଲେ ଗୋବିନ୍ଦଙ୍କ ଦିତୀୟ ପତ୍ନୀ ଅସ୍ତରଙ୍ଗ ଥାନାରେ ମହିଳା ସଂଘ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଅସ୍ତରଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ଗୋବିନ୍ଦ ତାଙ୍କର ପ୍ରଥମ ପତ୍ନୀଙ୍କୁ ନିର୍ଯାତନା ଦେବା ସହ ଭରଣ ପୋଷଣ ଦେଉନଥିବାରୁ ଉଭୟ ମା ଓ ଝିଅ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି | ଏହାର ସମାଧାନ କରିବାକୁ ଯାଇ ମହିଳା ସଙ୍ଘ ଆଲୋଚନା ପାଇଁ ଗତକାଲି ଦିନ ସ୍ଥିର କରିଥିଲା । ହେଲେ ଏଥିରେ ଗୋବିନ୍ଦ ସହଯୋଗ କରି ନଥିଲେ ବୋଲି ମହିଳା ସଂଘର ସଦସ୍ୟମାନେ ପୋଲିସକୁ କହିଥିଲେ | ଅସ୍ତରଙ୍ଗ ପୋଲିସ ଘଟଣା ସମ୍ପର୍କରେ ସବୁ ଜାଣିଲା ପରେ ଗୋବିନ୍ଦ ସାହୁଙ୍କୁ ଥାନାକୁ ନେବା ପାଇଁ ଗାଡିରେ ବସାଇ ଥିଲେ । ହେଲେ ପର ମୁହୂର୍ତ୍ତରେ ଛାଡିଦେଇ ଥିଲେ । ଯାହାଫଳରେ ମହିଳାମାନେ ରାଗି ଯାଇ ପୋଲିସ ଗାଡି ଆଗରେ ବସି ରହିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଗାଡ଼ିକୁ ଘେରି ରହି ଦୀର୍ଘ ଆଠଘଣ୍ଟା ପର୍ଯ୍ୟନ୍ତ ଅଟକ ରଖି ଥିଲେ |

ଗୋବିନ୍ଦ ସାହୁଙ୍କୁ ଗିରଫ କରିବା ସହ ତାଙ୍କର ପ୍ରଥମ ପତ୍ନୀ ଏବଂ ଝିଅକୁ ନ୍ୟାୟ ପ୍ରଦାନ କରିବାକୁ ପୋଲିସ ନିକଟରେ ଦାବି କରିଥିଲେ | ଉପଯୁକ୍ତ ତଦନ୍ତ କରି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ମହିଳାମାନେ ପୋଲିସ ଗାଡିକୁ ଛାଡିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.