ରଣବୀର ସିଂ ନେଲେ ଲିଗାଲ୍ ଆକ୍ସନ, ନିଜର ଡିପ୍ଫେକ୍ ଭିଡିଓ ବିରୋଧରେ ଦେଲେ FIR
ବଲିଉଡ୍ ଅଭିନେତା ରଣବୀର ସିଂ ନିଜର ଡିପ୍ଫେକ୍ ଭିଡିଓ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି । ରଣବୀରଙ୍କ ଅଫିସିଆଲ୍ ସ୍ପୋକ୍ସପର୍ସନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ବଲିଉଡ୍ ଅଭିନେତା ରଣବୀର ସିଂ ନିଜର ଡିପ୍ଫେକ୍ ଭିଡିଓ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି । ରଣବୀରଙ୍କ ଅଫିସିଆଲ୍ ସ୍ପୋକ୍ସପର୍ସନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ‘ଆମେ ପୋଲିସରେ ଅଭିଯୋଗ ଦାଖଲ କରିଛୁ ଏବଂ ସେହି ହ୍ୟାଣ୍ଡେଲ ବିରୋଧରେ ଏଫ୍ଆଇଆର୍ ଦିଆଯାଇଛି, ଯାହା ରଣବୀର ସିଂଙ୍କ AI-ଜେନେରେଟେଡ୍ ଡିପ୍ଫେକ୍ ଭିଡିଓକୁ ପ୍ରୋତ୍ସାହିତ କରୁଥିଲା’ ।
କହି ରଖୁଛୁ ଯେ ଲୋକସଭା ନିର୍ବାଚନ ଭିତରେ ଅଭିନେତାଙ୍କର ଏକ ଡିପ୍ଫେକ୍ ଭିଡିଓ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ସେ ଏକ ରାଜନୈତିକ ଦଳକୁ ସମର୍ଥନ କରୁଥିବାର ଦେଖାଯାଇଥିଲା ।
ନିକଟରେ ଏକ ଫ୍ୟାସନ ଶୋ’ ପାଇଁ କ୍ରିତି ସାନନ୍ ଓ ରଣବୀର ସିଂ ପ୍ରସିଦ୍ଧ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହ ବାରାଣସୀ ଯାଇଥିଲେ । ସେହି ସମୟର ତାଙ୍କର ଏକ ଇଣ୍ଟରଭ୍ୟୁ ଭାଇରାଲ ହୋଇଥିଲା, ଯାହାକୁ ନେଇ ସୋସିଆଲ ମିଡିଆରେ ଅଭିନେତାଙ୍କ ଫ୍ୟାନ୍ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହି ଡିପ୍ଫେକ୍ ଭିଡିଓରେ ରଣବୀର ସିଂଙ୍କୁ ଏକ ରାଜନୈତିକ ଦଳ ପାଇଁ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା । ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ ବର୍ତ୍ତମାନ ଅଭିନେତା ଏହା ବିରୋଧରେ ଲିଗାଲ୍ ଆକ୍ସନ ନେଇଛନ୍ତି । ସେ ନିଜର ଡିପ୍ଫେକ୍ ଭିଡିଓ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି ।
ସୂଚନାଥାଉ କି, ଡିପ୍ଫେକ୍ ଭିଡିଓରେ ରଣବୀର ସିଂଙ୍କ ଅଡିଓକୁ AI ସାହାଯ୍ୟରେ ପରିବର୍ତ୍ତନ କରାଯାଇଛି । ଏଥିରେ ଶୁଣାଯାଇଥିବା ସ୍ୱର ମଧ୍ୟ ତାଙ୍କର ନୁହେଁ ।
ତେବେ ରଣବୀର ସିଂଙ୍କ ପୂର୍ବରୁ ଅଭିନେତା ଆମିର ଖାନଙ୍କର ମଧ୍ୟ ଏକ ଡିପ୍ଫେକ୍ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ତାଙ୍କୁ ଏକ ରାଜନୈତିକ ଦଳର ପ୍ରଚାର କରୁଥିବାର ଦେଖାଯାଇଥିଲା । ଭିଡିଓ ଭାଇରାଲ ହେବା ପରେ ଅଭିନେତାଙ୍କ ଟିମ୍ ସମ୍ପୃକ୍ତ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲା, ଯେଉଁଥିରୁ ଭିଡିଓଟିକୁ ପୋଷ୍ଟ କରାଯାଇଥିଲା । ଡିପ୍ଫେକ୍ ଭିଡିଓକୁ ଭଲ ଭାବରେ ଯାଞ୍ଚ କରିବାକୁ ଦାବି କରାଯାଇଛି ।