Below header

କିଏ କେତେ ପାଣିରେ, ଦେଖୁଛନ୍ତି ଓ ପରଖୁଛନ୍ତି ଜନତା

ଓଡ଼ିଶା ରାଜନୀତିରେ ବି.ବି.ସି. । ଇଏ ବ୍ରିଟିଶ୍‌ ବ୍ରଡକାଷ୍ଟିଂ କର୍ପୋରେସନ୍‌ ନୁହେଁ ମ । B-ବିଜୁ ଜନତା ଦଳ, B-ଭାରତୀୟ ଜନତା ପାର୍ଟି ଏବଂ C-କଂଗ୍ରେସ ।
ଏବେ ନିର୍ବାଚନ ଆସନ୍ନ । ନିର୍ବାଚନକୁ ଦେଖି ଯଦି ଏହି ତିନି ଦଳର କଥାକୁ ବିଚାର କରାଯାଏ ତେବେ କିଏ କେଉଁ ସ୍ଥିତିରେ ଅଛନ୍ତି ଏବଂ ଏମାନେ ରାଜ୍ୟବାସୀଙ୍କ ଆସ୍ଥା ଜିଣିବା ଲାଗି କଣ କରୁଛନ୍ତି ତାକୁ ନେଇ ଏକ ବଡ଼ ଆଲୋଚନା ହୋଇ ପାରିବ । ତେବେ ଏଠି ଆମେ ଛୋଟିଆ ବିଶ୍ଲେଷରଟିଏ କରୁଛୁ । ଯାହା ଖାଲି ଆଖିରେ ବି ଦେଖା ଯାଉଛି । କେବଳ ବିବିସି ଭଳି ଖବର ଦେଇଦେଲେ ହେବ ନାହିଁ । ଦଳୀୟ ନେତାମାନଙ୍କୁ ଠୋସ୍‌ ପଦକ୍ଷେପ ନେବାକୁ ହେବ ଭୋଟ୍‌ ହାତେଇବା ପାଇଁ । କାରଣ ଆଉ ସେ କାଳ ପଖାଳ ନାହିଁ ଯେ ଲୋକେ ଖାଲି ଭାଷଣରେ ତରଳି ଯିବେ । ଏବେ କାମ ଦରକାର । ତାହା ପୁଣି ପକ୍କା ।
୨୦୧୯ ନିର୍ବାଚନ ପ୍ରତ୍ୟେକ ରାଜନୈତିକ ଦଳ ପାଇଁ ଏକ ବଡ଼ ଆହ୍ଵାନ । କାହାକୁ କ୍ଷମତା ବଜାୟ ରଖିବାକୁ ହେଉଛି ତ ଆଉ କାହାକୁ କ୍ଷମତାକୁ ଆସିବା ଲାଗି ଲଢ଼େଇ କରିବାକୁ ହେଉଛି । ପୁଣି କାହାକୁ ନିଜର ସ୍ଥିତି ଫେରାଇ ଆଣିବା ଲାଗି ସଜାଡ଼ିବାକୁ ହେବ ନିଜର ମୂଳଦୂଆ । ଇଏ ହେଉଛି ଓଡ଼ିଶା ରାଜନୀତିର ସ୍ଥିତି ।
ଆଜି ବିଜେଡି ତାର ୨୨ତମ ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ତାକୁ ବିରୋଧ କରି ବିଜେପି ଅରମ୍ଭ କରିଛି ‘ଜବାବ ମାଗୁଛି ଓଡ଼ିଶା’ ଅଭିଯାନ । ସେପଟେ କଂଗ୍ରେସର କଳା ଦିବସ ପାଳନ । ଏସବୁ ଦର୍ଶାଉଛି ଯେ ସାଧାରଣ ନିର୍ବାଚନ ଆଉ ବେଶି ଦିନ ନାହିଁ । ହେଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ ବିରୋଧ କରିବାକୁ କଣ ଗୋଟିଏ ଦିନ ମିଳିଲା ତିନି ରାଜନୈତିକ ଦଳକୁ ? ଇଏ କିଭଳି ରଣନୀତି ? ଏଥିରେ କଣ ସାଧାରଣ ଜନତା ପ୍ରଭାବିତ ହେବେ ?

କର୍ମୀ ଅଛନ୍ତି ତ ?

NIRANJAN

ଆଗେ ଆଲୋଚନା କରିବା କଂଗ୍ରେସ ସମ୍ପର୍କରେ । ଦେଶ ଓ ରାଜ୍ୟରେ ଯେଉଁ ସ୍ଥିତିରେ ଥିଲା କଂଗ୍ରେସ ସେଥିରେ ଟିକେ ସୁଧାର ଆସିଛି । ସେମିଫାଇନାଲ୍‌ କୁହାଯାଉଥିବା ୫ଟି ରାଜ୍ୟର ନିର୍ବାଚନ ପରେ କଂଗ୍ରେସ ଆଉ ଟିକେ ଉତ୍ସାହିତ ହୋଇଛି । ହେଲେ ଉତ୍ସାହ କେବଳ ରାଜଧାନୀ ଭୁବନେଶ୍ୱରରେ ହେଲେ ଚଳିବ ନାହିଁ । ତୃଣମୂଳ ସ୍ତରରେ ହେବା ଦରକାର । ଲୋକଙ୍କ ଆସ୍ଥା ହରାଇଥିବା ଦେଶର ସବୁଠାରୁ ପୁରୁଣା ଓ ବଡ଼ ଦଳକୁ ଅନେକ ପରିଶ୍ରମ କରିବାକୁ ହେବ । କାରଣ ଏଇ କିଛି ବର୍ଷ ଭିତରେ ଲକ୍ଷ ଲକ୍ଷ କର୍ମୀଙ୍କୁ ହରାଇଛି କଂଗ୍ରେସ ଦଳ । ସେମାନଙ୍କୁ ପୁଣି ଫେରାଇ ଆଣିବା ସହଜ ନୁହେଁ । କିଛି କର୍ମୀ ବିଭିନ୍ନ ଦଳକୁ ଚାଲି ଯାଇଥିବା ବେଳେ ଆଉ କିଛି ନିରବି ଯାଇଛନ୍ତି । ଏହି ସୁପ୍ତ କର୍ମୀଙ୍କୁ ଜାଗ୍ରତ କରିବାରେ ବରିଷ୍ଠ ତଥା ଅଭିଜ୍ଞ ନିରଞ୍ଜନ ପଟ୍ଟନାୟକ କି ରଣନୀତି ଆପଣାଉଛନ୍ତି ତା ଉପରେ ରାଜନୀତି ବିଶେଷଜ୍ଞଙ୍କର ନଜର ରହିଛି ।

ସିଧା ଫାଇଟ୍‌ ରଣନୀତି ଠିକ୍‌ ହେଉନି

BJP

ସେପଟେ ବିଜେପି ସିଧାସଳଖ ଫାଇଟ୍‌ କରୁଛି ବିଜେଡି ସହିତ । ଅଭିଯୋଗ ଓ ପ୍ରତ୍ୟଭିଯୋଗ ଏବଂ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି । ରାଜ୍ୟ ସରକାର ଅପରାଗ ଏବଂ ଓଡ଼ିଶାକୁ ସ୍ଥାଣୁ କରି ସାରିଲେଣି ବୋଲି ଅକ୍ଷେପ କରିଛି । କେନ୍ଦ୍ର ଯାହା ଦେଲେ ବି ତାକୁ ଠକଣା ଭାବେ କାମରେ ଲଗାଇ ପାରୁନି ଆଦି ଅନେକ ସମାଲୋଚନା କରୁଛି ବିଜେପି । ପୁଣି ଲୋକପ୍ରିୟତା ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛି । ପ୍ରଧାନ ମନ୍ତ୍ରୀଙ୍କ ସମେତ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କ ଘନ ଘନ ଓଡ଼ିଶା ଗସ୍ତ ଏବଂ ଓଡ଼ିଶା ପାଇଁ ସେମାନଙ୍କ ଦରଦ ଦେଖାଇ ଲୋକ ସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ତୃଣମୂଳ ସ୍ତରରେ ଏସବୁର କେତେ ପ୍ରଭାବ ପଡ଼ିଛି ସେକଥା କେବଳ ଇଭିଏମ୍‌ର ଫଳାଫଳ କହିବ । ତଥାପି ନେତା ସ୍ତରରେ ବିଜେପି ବେଶ୍‌ ସକ୍ରିୟ ଅଛି । କିନ୍ତୁ ନା ନଥିବା ନେତାମାନେ ଯେତେବେଳେ ମହାଦ୍ରୁମ ନବୀନଙ୍କୁ ଟାର୍ଗେଟ୍‌ କରୁଛନ୍ତି ସାଧାରଣ ଲୋକଙ୍କ ମନରେ ଟିକେ ଖଟ୍‌କା ଲାଗୁଛି ।

ଜବାବ ତ ଦେବାକୁ ହେବ

NAVEEN

ଅନ୍ୟପକ୍ଷରେ ଦୀର୍ଘ ୧୫ ବର୍ଷର ଶାସନ ପରେ ବିଜେଡି ପ୍ରତି ଅନେକ ଆଙ୍ଗୁଠି ଉଠିଛି । ଏହାର ଦୁର୍ବଳତା ଉଜାଗର କରିବା ଲାଗି ଦୁଇ ବିରୋଧୀ ଦଳ ‘ବି’ ଫର୍‌ ବିଜେପି ଓ ‘ସି’ ଫର୍‌ କଂଗ୍ରେସ ପୂରା ଦମ୍‌ରେ ଲାଗି ପଡ଼ିଛନ୍ତି । ହେଲେ ଲାଗୁନି ସେମାନେ କୌଣସି ନିର୍ଦ୍ଦିଷ୍ଟ କୌଶଳରେ ଲଢ଼ିଲା ଭଳି । କାରଣ ସବୁର ଜବାବ ଦେବା ଲାଗି ଯେମିତି ବିଜେଡି ପାଖରେ ଉତ୍ତର ପ୍ରସ୍ତୁତ । ବିଜେଡିର ସବୁଠାରୁ ବଡ଼ ରଣନୀତି ହେଉଛି ଏହାର ମୁଖ୍ୟ ନୀବନ ପଟ୍ଟନାୟକ । ଯାହାଙ୍କୁ ଲୋକେ ଭରସା କରୁଛନ୍ତି । ତଥାପି ବର୍ତ୍ତମାନର ରାଜନୈତିକ ପାଣିପାଗରେ ମଧ୍ୟ ବିଜୁ ଜନତା ଦଳକୁ ସଜାଗ ରହିବାକୁ ପଡ଼ିବ ବୋଲି ଦଳର ଥିଙ୍କଟ୍ୟାଙ୍କ ଜାଣି ସାରିଛନ୍ତି । ସେଥିଲାଗି ଯୋଜନା ପରେ ଯୋଜନା ଘୋଷଣା କରି ଚାଲିଛନ୍ତି । ଉଦ୍‌ଘାଟନ ଓ ଶିଳାନ୍ୟାସରେ ପୂରି ଗଲାଣି ସାରା ରାଜ୍ୟ । ଦଳ ଭିତରେ କିଛି ଅସନ୍ତୋଷ ଥିଲେ ମଧ୍ୟ ନବୀନଙ୍କ ଭୟ ହେଉ କି ତାଙ୍କ ଭରସାରେ ବାହାରକୁ ବାହାରୁ ନାହିଁ । ତଥାପି କର୍ମୀଙ୍କୁ ଆହୁରି ପ୍ରେରଣାର ଆବଶ୍ୟକତା ରହିଛି ବୋଲି ଆମେ ଅନୁଭବ କରୁଛୁ ।
ଆହୁରି ମଧ୍ୟ ଖାଲି ଯୋଜନା ପ୍ରସ୍ତୁତ କରିଦେଲେ ହେବ ନାହିଁ । ଏତେ ସବୁ ଚମତ୍କାର ଯୋଜନା ଯେମିତି ଲୋକଙ୍କ ପାଖରେ ପହଞ୍ଚି ପାରିବ ଏବଂ ଲୋକେ ଏହାର ସୁଫଳ ପାଇ ପାରିବେ ସେକଥା ସ୍ଥାନୀୟ ପ୍ରଶାସନ, ଜନପ୍ରତିନିଧି ଏବଂ ବିଜେଡି କର୍ମୀ ଭଲ ଭାବେ ଦେଖିବା ଉଚିତ । ନଚେତ କେବଳ କାଗଜପତ୍ରରେ ହାତଗଣତି କେଇ ଜଣ ଯୋଜନାର ଲାଭ ପାଇବେ ଓ ଅନ୍ୟମାନେ ସଚେତନତା ଅଭାବରୁ ବଦ୍‌ ପଡ଼ିଯିବେ । ଯାହା ଉଭୟ ସରକାର ଓ ଜନସାଧାରଣଙ୍କ ପାଇଁ ବଡ଼ କ୍ଷତି ବୋଲି କୁହାଯିବ । ପୁଣି କେନ୍ଦ୍ରକୁ ଟାର୍ଗେଟ୍‌ କରିବା ଏବଂ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଆଦି ପ୍ରସଙ୍ଗ ପୁରୁଣା ହେଲାଣି । ଏହକୁ ନଦୋହରାଇଲେ ଭଲ ।
ରାଜନୀତିରେ ମିଛ ସତ ତ ଲାଗି ରହିବ । ହେଲେ ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ରାଜନେତାମାନେ ଏଭଳି କିଛି କରନ୍ତୁ ନାହିଁ କି କେଇ କ୍ଷଣ ଭିତରେ ବଦନାମ ହୋଇଯିବେ । ଏବେ ପରା ନେତାଙ୍କୁ ନେଇ ଲୋକ ନୁହଁ, ଲୋକଙ୍କୁ ନେଇ ନେତା । ତେଣୁ ଜନନାୟକ ହେବା ଲାଗି ‘ଜାତି ନନ୍ଦିଘୋଷ…’ କବିତାକୁ ମନେ ପକାଇବା ଦରକାର । ୨୦୧୯ ସେଭଳି ନେତାଙ୍କ ପାଇଁ ବଡ଼ ପରୀକ୍ଷା ନେବ ।

ହିମାଂଶୁ ପତିମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.