Below header

ବାହୁଡ଼ିଲେ ମହାବାହୁ : ଧାର୍ୟ୍ୟ ସମୟର ବହୁ ପୂର୍ବରୁ ସିଂହଦ୍ୱାର ଆଗରେ ଲାଗିଲେ ତିନି ରଥ

ପୁରୀ : ବାହୁଡ଼ିଲେ ମହାବାହୁ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥାଋୂଢ଼ ହୋଇ ନୀଳକନ୍ଦର ଅଭିମୁଖେ ଫେରିଲେ ନୀଳମଣି। ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା । ଘୋଷଯାତ୍ରା ପରି ବାହୁଡ଼ା ଯାତ୍ରା ମଧ୍ୟ ରେକର୍ଡ ଭାଙ୍ଗିଛି । ସିଂହଦ୍ୱାର ଆଗରେ ଲାଗିଛି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ । ବାହୁଡ଼ା ଯାତ୍ରା ପାଇଁ ପୁରୀରେ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି ।

bahuda

ଶ୍ରୀକ୍ଷେତ୍ର ଜନସମୁଦ୍ର । ଫାଟି ପଡ଼ୁଥିଲା ଶରଧାବାଲି, କମ୍ପୁଥିଲା ବଡ଼ଦାଣ୍ଡ । ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପ୍ରସ୍ତୁତ ରହିଥିଲେ ତିନି ରଥ । ସମସ୍ତଙ୍କ ଅପେକ୍ଷା ଥିଲା ମହାପ୍ରଭୁଙ୍କୁ । ନୀତିକାନ୍ତିରେ ସେବାୟତ ଓ ପ୍ରଶାସନ ମଧ୍ୟରେ ସମନ୍ଵୟ ଯୋଗୁ ପ୍ରାୟ ତିନି ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ । ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ଦେଇ ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର ଓ ତାପରେ ଆସିଥିଲେ ଦେବୀ ସୁଭଦ୍ରା । ଶେଷରେ ଝୁଲି ଝୁଲି ଆସିଥିଲେ କାଳିଆ ଠାକୁର ।

bahuda

ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ତାମଯାନରେ ଆସି ପହଁଚିଥିଲେ ଗଜପତି ମହାରାଜା ଦିବ୍ୟସିଂହ । ତିନି ରଥରେ ସେ ଛେରାପହଁରା କରିଥିଲେ । ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ପରେ ଧାର୍ଯ୍ୟ ସମୟର ପ୍ରାୟ ଅଢ଼େଇ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ବଲଭଦ୍ରଙ୍କ ତାଳଧ୍ୱଜ, ତା’ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଗଡ଼ିଥିଲା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଭାବ ଓ ଭକ୍ତିର ସହ ତିନି ରଥକୁ ଶ୍ରୀମନ୍ଦିର ଅଭିମୁଖେ ଟାଣିନେଇଥିଲେ ଭକ୍ତ ।

POda pitha

ଜନ୍ମଦେବୀରୁ ନୀଳକନ୍ଦର ଅଭିମୁଖେ ଫେରିବା ବାଟରେ ମାଉସୀ ମା’ ମନ୍ଦିର ପାଖରେ ମହାପ୍ରଭଙ୍କୁ ଲାଗି ହୋଇଥିଲା ପୋଡ଼ପିଠା । ଏହାପରେ ତିନି ରଥ ଲାଗିଥିଲା ସିଂହଦ୍ୱାର ଆଗରେ । ବାହୁଡ଼ା ଯାତ୍ରାରେ ୧୪୦ ପ୍ଲାଟୁନ ପୋଲିସ ସହ ହଜାରେରୁ ଅଧିକ ପୋଲିସ ଅଧିକାରୀ ସୁରକ୍ଷା, ଟ୍ରାଫିକ ଓ ଗହଳି ନିୟନ୍ତ୍ରଣ ପାଇଁ ନିୟୋଜିତ ହୋଇଥିଲେ ।

ଦୁଇ ଦିନ ଧରି ପ୍ରବଳ ବର୍ଷା ପରେ ଆଜି ପୁରୀରେ ପାଗ ଅନୁକୂଳ ରହିଥିଲା । ଲକ୍ଷ ଲକ୍ଷ ଭକ୍ତ ସମବେତ ହୋଇଥିଲେ । ମହାପ୍ରଭୁଙ୍କ ଘୋଷଯାତ୍ରା ପରି ବାହୁଡ଼ା ଯାତ୍ରା ମଧ୍ୟ ରେକର୍ଡ ଭାଙ୍ଗିଛି । ଧାର୍ଯ୍ୟ ସମୟର ବହୁ ପୂର୍ବରୁ ରଥଟଣା ସଂପନ୍ନ ହୋଇଥିଲା ।

ରଥ ଉପରେ ମହାବାହୁଙ୍କୁ ଦେଖି ଭକ୍ତ ବିଭୋର : 

bahuda

ବଡ଼ଦାଣ୍ଡରେ ବଡ଼ ଠାକୁର । ରଥ ଉପରେ ମହାବାହୁଙ୍କୁ ଦେଖି ଭକ୍ତ ବିଭୋର । କେହି କେହି ଲୋଟି ଯାଉଥିଲେ । କିଏ ଆସିଥିଲେ କେତେ ରୂପରେ, କେତେ ବେଶରେ । କିଏ ହନୁମାନ, ତ କିଏ ଜାମ୍ବବାନ । ଆଉ କିଏ ଶିବ ରୂପରେ ନୃତ୍ୟ କରୁଥିଲେ । କାଳିଆ ଦରବାରରେ ନିଜକୁ ହଜାଇ ଦେଇଥିଲେ ଓଡ଼ିଶୀ ଓ ଗୋଟିପୁଅ ନୃତ୍ୟଶିଳ୍ପୀ । ସଂକୀର୍ତ୍ତନରେ କାଳିଆକୁ ଭଜନ କରୁଥିଲେ ଭକ୍ତ । ଛୋଟରୁ ବଡ଼, ସମସ୍ତେ ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପିତ କରି ଦେଇଥିଲେ । ଜନସମୁଦ୍ର ଭିତରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଝଲକ ଟିକେ ପାଇବା ମାତ୍ରେ ଉଠି ଯାଉଥିଲା ସମସ୍ତଙ୍କ ଯୋଡ଼ହସ୍ତ । ହରିବୋଳ, ହୁଳହୁଳି, ସଂକୀର୍ତ୍ତନ ଓ ନୃତ୍ୟରେ କମ୍ପି ଉଠିଥିଲା ବଡ଼ଦାଣ୍ଡ ।

bahuda ଶରଧାବାଲିରୁ ସିଂହଦ୍ୱାର ଯାଏଁ ଲହଡ଼ି ଭାଙ୍ଗୁଥିଲା ଜନସମୁଦ୍ର । ବିଦେଶୀ ତଥା ଅନ୍ୟ ଧର୍ମର ଲୋକ ବି ନିଜକୁ ସମର୍ପିତ କରି ଦେଉଥିଲେ ଜଗତର ନାଥ ଜଗନ୍ନାଥଙ୍କ ପାଖରେ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ଯାଇଥିଲେ । କଳା ବଦନକୁ ଦେଖି ଭକ୍ତି ରାଇଜରେ ହଜି ଯାଇଥିଲେ ଭକ୍ତ ।

ବର୍ଷରେ ଥରେ ନବଦିନାତ୍ମକ ରଥଯାତ୍ରାରେ ବାହିରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ଜନ୍ମବେଦୀ ଲୀଳା ସାରି ଏବେ ପୁଣି ଥରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ।

ଅନ୍ଯପଟେ ଭୁବନେଶ୍ୱର କିସ୍‌ ଶ୍ରୀବାଣୀ କ୍ଷେତ୍ରରେ ମହାଆଡ଼ମ୍ବରରେ ପାଳିତ ହୋଇଛି ଶ୍ରୀଜିଉଙ୍କର ବାହୁଡ଼ା ଯାତ୍ରା । ଘଣ୍ଟ ଓ ଶଙ୍ଖ ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଥିଲା । ସକାଳୁ ସକାଳୁ ଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହୋଇଥିଲା ଠାକୁରଙ୍କ ବିଭିନ୍ନ ରୀତିନୀତି । ଏହାପରେ ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରାଯାଇଥିଲା । ପ୍ରଥମେ ଶ୍ରୀସୁଦର୍ଶନ, ପରେ ପରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ପହଣ୍ଡିରେ ଜଗନ୍ନାଥ ମହାପ୍ରଭୁ ରଥାରୂଢ଼ ହୋଇଥିଲେ । ଏହାପରେ ମହାଆନନ୍ଦରେ ଭକ୍ତମାନେ ଗୁଣ୍ଡିଚା ମନ୍ଦିରରୁ ତିନି ରଥକୁ ଶ୍ରୀବାଣୀ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ପର୍ୟ୍ୟନ୍ତ ଟାଣି ନେଇଥିଲେ । କିସ୍‌ ଶ୍ରୀବାଣୀ କ୍ଷେତ୍ରରେ ପୁରୀ ଶ୍ରୀମନ୍ଦିର ପରି ସବୁ ରୀତିନୀତି ସଂପନ୍ନ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.