Below header

ବ୍ୟାଙ୍କ ଦୌଡ଼ି ଦୌଡି ଚାଷୀ ନୟାନ୍ତ, ମିଳୁନି ଋଣ, ଚାଷୀଙ୍କୁ ଋଣ ଦେବାରେ ମିଳୁନି ବ୍ୟାଙ୍କ ସହଯୋଗ

ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ଆୟକୁ ଦୁଇଗୁଣ କରିବାକୁ ଚାହୁଁଛନ୍ତି। କିନ୍ତୁ ଏଥିରେ ବାଧକ ସାଜୁଛି ବ୍ୟାଙ୍କ । ଚାଷୀଙ୍କୁ ଋଣ ଦେବାରେ ମିଳୁନି ବ୍ୟାଙ୍କ ସହଯୋଗ । ଅଲଗା ରାଜ୍ୟରେ କୃଷିକ୍ଷେତ୍ରରେ ୮୦ରୁ ୯୦ ପ୍ରତିଶତ ଯାଏଁ ଋଣ ମିଳୁଥିବା ବେଳେ ଓଡ଼ିଶାରେ ଏହି ହାର ୫୦ ପ୍ରତିଶତ ବି ଟପୁନି । କେଉଁଠି ରହୁଛି ଅସୁବିଧା, ଏହାର କାରଣ ଖୋଜିବା ପାଇଁ କୃଷି ଓଡ଼ିଶାରେ ବସିଥିଲା ବ୍ୟାଙ୍କର୍ସ ଓ ସରକାରୀ ଅଧିକାରୀଙ୍କ ବୈଠକ।

ବ୍ୟାଙ୍କ ଦୌଡ଼ି ଦୌଡି ଚାଷୀ ନୟାନ୍ତ । କିନ୍ତୁ ଋଣ ମିଳୁନି। କାଗଜପତ୍ର ଆଳରେ ଚାଷୀଙ୍କୁ ହଇରାଣ ହରକତ କରାଯାଉଛି। ଓଡ଼ିଶାରେ କାମ କରୁଥିବା ବ୍ୟାଙ୍କର୍ସଗୁଡ଼ିକର ଏଭଳି ଆଭିମୁଖ୍ୟକୁ ପରିବର୍ତ୍ତନ କରିବା ପାଇଁ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। କୃଷି ଓଡ଼ିଶାରେ ରାଜ୍ୟର ବିଭିନ୍ନ ବ୍ୟାଙ୍କର ୫ଶହରୁ ଅଧିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କୃଷିମନ୍ତ୍ରୀ। ଏବେ ନଜର ପକାନ୍ତୁ କେଉଁ ରାଜ୍ୟରେ କେତେ ପ୍ରତିଶତ ଋଣ କୃଷିକ୍ଷେତ୍ରରେ ଦିଆଯାଉଛି। ତାମିଲନାଡ଼ୁରେ ୯୫ % କୃଷିଋଣ ବ୍ୟବସାୟିକ ବ୍ୟାଙ୍କଗୁଡ଼ିକ ଦେଉଛନ୍ତି। ସେହିପରି ପଶ୍ଚିମବଙ୍ଗରେ ୯୦%, କେରଳ ୮୫% ଓ ଆନ୍ଧ୍ରପ୍ରଦେଶ ୮୦% କୃଷିଋଣ ଦେଉଛନ୍ତି ବ୍ୟାଙ୍କ। କିନ୍ତୁ ଓଡ଼ିଶାରେ ବ୍ୟବସାୟିକ ବ୍ୟାଙ୍କଗୁଡ଼ିକ ୪୦ରୁ ୫୦ ପ୍ରତିଶତ ମଧ୍ୟରେ କୃଷିଋଣ ଦେଉଛନ୍ତି। ଗୋଟିଏ ପଟେ ଚାଷୀଙ୍କର ଆୟକୁ ଦୁଇଗଣ କରିବା ପାଇଁ ସରକାର କହିଆସୁଛନ୍ତି। କିନ୍ତୁ ଏପଟେ ବ୍ୟାଙ୍କଗୁଡ଼ିର ଚାଷୀଙ୍କୁ ଅସହଯୋଗ ସରକାରଙ୍କୁ ଚିନ୍ତାରେ ପକାଇଛି।

ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣରେ କୌଣସି ବନ୍ଧକ ରଖିବା କଥା ନୁହେଁ। କିନ୍ତୁ ଅଧିକାଂଶ ବ୍ୟାଙ୍କ ୧୦ ଲକ୍ଷରୁ କମ୍‌ ଋଣ ପାଇଁ ମଧ୍ୟ ବନ୍ଧକ କଡାକଡ଼ି କରୁଛନ୍ତି। କୃଷି ଋଣ ପାଇଁ କୌଣସି ପ୍ରସ୍ତାବ ଆସିଲେ ବ୍ୟାଙ୍କ କର୍ତ୍ତୃପକ୍ଷ ୭ ଦିନ ଭିତରେ ତାହାକୁ ତର୍ଜମା କରି ଚାଷୀଙ୍କୁ ଅବଗତ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଅଧିକାଂଶ ବ୍ୟାଙ୍କ ଚାଷୀଙ୍କୁ ବାରମ୍ବାର କାଗଜପତ୍ର ମାଗି ହଇରାଣ ହରକତ କରୁଛନ୍ତି। ଅନ୍ୟପଟେ ବ୍ୟାଙ୍କର୍ସ ବୈଠକରେ ମଧ୍ୟ ବ୍ୟାଙ୍କ ଅଧିକାରୀମାନେ ସରକାରଙ୍କ ପାଖରେ କିଛି ପ୍ରସ୍ତାବ ରଖିଛନ୍ତି। ଏବେ ଓଡ଼ିଶାରେ ଜାତୀୟକରଣ ବ୍ୟାଙ୍କଗୁଡ଼ିକର ୩୦୭୭ଟି ଶାଖା ରହିଥିବା ବେଳେ ଘରୋଇ ବ୍ୟାଙ୍କର ୮୪୯ଟି,ଗ୍ରାମ୍ୟ ବ୍ୟାଙ୍କର ୯୮୭ଟି ଏବଂ ସମବାୟ ବ୍ୟାଙ୍କର ୩୪୦ଟି ଶାଖା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.