ବାରିପଦା ଠାରେ ଚଳିତ ମାସରେ ଉଦ୍ଘାଟନ ହେବ କିସ୍ ବିଶ୍ୱବିଦ୍ୟାଳୟର ପ୍ରଥମ ଶାଖା
ଭୁବନଶ୍ୱର(କେନ୍ଯୁଜ୍): ଭୁବନଶ୍ୱରର କିସ୍ ବିଶ୍ୱବିଦ୍ୟାଳୟ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ଏବେ ଏହାର ଏକ ଶାଖା ବାରିପଦାରେ ଖୋଲିବାକୁ ଯାଉଛି। ଚଳିତ ମାସରେ ଉଦ୍ଘାଟିତ ହେବ ଆଦାନୀ କିସ୍ ଆବାସିକ ବିଦ୍ୟାଳୟ। ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଉପସ୍ଥିତ ରହିବେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାର ବିଧାୟକ ଓ ସାଂସଦ ମଧ୍ୟ ଉପସ୍ଥିତ ରହିବେ। ଏହି ସୂଚନା ଦେଇଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ବିଦ୍ୟାଳୟ ପରିସରରେ ୫୦ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସାଳୟ ଖୋଲାଯିବ। ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟ ସେବା ପାଇବା ସହ ଆଖପାଖ ଅଂଚଳବାସୀ ମଧ୍ୟ ଉପକୃତ ହେବେ। ବିଦ୍ୟାଳୟ ପରିସରରେ ପ୍ରାକୃତିକ ପରିବେଶ ସହ ସବୁଜ ବନାନୀ ଉପରେ ଦିଆଯାଇଛି ଗୁରୁତ୍ୱ। ୧୦ ବର୍ଷ ତଳେ କିସ୍ର ଶାଖା ପ୍ରତିଷ୍ଠା ଏଠାରେ ଜମି କିଣାଯାଇ ବୃକ୍ଷ ରୋପଣ କରାଯାଇଥିଲା। ଆଜି ଏହି ପରିବେଶ ଭିତରେ ଗଢି ଉଠିଛି ଆବାସିକ ବିଦ୍ୟାଳୟ।
୪୦ ଏକର ଜମିରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ଆଦାନୀ କିସ୍ ଆବାସିକ ବିଦ୍ୟାଳୟ। ଏଥିରେ ୧୨ଶହ ଛାତ୍ରଛାତ୍ରୀ ପଢିବାର ସୁଯୋଗ ପାଇବେ। କିସ୍ର ଆର୍କିଟେକ୍ଚର ଏସ. ଏସ. ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅତ୍ୟାଧୁନିକ ହଷ୍ଟେଲଠାରୁ ଆରମ୍ଭ କରି ପାଠ ପଢ଼ା ପାଇଁ ଶ୍ରେଣୀଗୃହ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଜିଲ୍ଲାରେ ପ୍ରଥମ କରି ଇକୋ ଫ୍ରେଣ୍ଡଲି, ରେନ ୱାଟର ହାର୍ଭେଷ୍ଟିଂ, ସୋଲାର ଏନର୍ଜି ଓ ୱାଇଫାଇ କ୍ୟାମ୍ପସ ପ୍ରସ୍ତୁତ ହୋଇଛି। ଏହି ଆବାସିକ ବିଦ୍ୟାଳୟ ପାଇଁ ସହଯୋଗର ହାତ ବଢାଇଥିଲା ଆଦାନୀ ଗ୍ରୁପ। ଚଳିତ ବର୍ଷ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢିବାକୁ ସୁଯୋଗ ପାଇବେ।