ବିପଦ ଆସିବା ପୂର୍ବରୁ ଆଗୁଆ ସୂଚନା ଦେଉଛନ୍ତି ବାଦୁଡି, ଗାଁକୁ କରୁଛନ୍ତି ବିପଦରୁ ରକ୍ଷା

, ଏହି ବାଦୁଡିଙ୍କ ପାଇଁ ତ ଏମାନେ ଗାଁରେ ଶାନ୍ତିରେ ଶୋଇପାରୁଛନ୍ତି । ଫସଲର ସୁରକ୍ଷା ସହିତ ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୁଚନା ଦେଉଛନ୍ତି ବାଦୁଡି ।

ବୌଦ୍ଧ (କେନ୍ୟୁଜ) : ଗଛ ସାରା ଏତେ ବାଦୁଡି ଝୁଲି ରହିଛନ୍ତି ଯେ ଆପଣ ଚାହିଁଲେ ବି ଗଣି ପାରିବେନି । ଗଛର ଏ ଡାଳରୁ ଯେ ସେ ଡାଳକୁ ଝୁଲିଝୁଲି ଦୋଳି ଖେଳୁଛନ୍ତି । ଲାଗୁଛି ସତେ ଯେମିତି ଏମାନଙ୍କ କୌଣସି ଚିନ୍ତା ନାହିଁ କି ଏମାନଙ୍କ ପାଇଁ ବି କାହାରି ଚିନ୍ତା ନାହିଁ। ଆପଣ ମାନେ ଯଦି ଏମିତି ଭାବୁଛନ୍ତି ତ ତାହାହେଲେ ଭୁଲ ଭାବୁଛନ୍ତି । କାହିଁକିନା ଏମାନଙ୍କ ପାଇଁ ଢ଼ାଲ ହୋଇ ଛିଡା ହୋଇଛନ୍ତି ଗାଁ ଲୋକେ । କେମିତି ବା ଛିଡା ହେବେନି, ଏହି ବାଦୁଡିଙ୍କ ପାଇଁ ତ ଏମାନେ ଗାଁରେ ଶାନ୍ତିରେ ଶୋଇପାରୁଛନ୍ତି । ଫସଲର ସୁରକ୍ଷା ସହିତ ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୁଚନା ଦେଉଛନ୍ତି ବାଦୁଡି । ବାଦୁଡିଙ୍କ ସୁରକ୍ଷାରେ ପୁରା ଗାଁ । ଅସନ୍ତୁଳିତ ପରିବେଶ, ଦୃତ ଗତିରେ ବୃଦ୍ଧି ପାଉଥିବା ସହରାୟନ ଓ ଆଧୁନିକତାର ଛାପରେ ଲୋପ ପାଇବାକୁ ବସିଥିବା ବିରଳ ବାଦୁଡି ପକ୍ଷୀଙ୍କ ବଂଶ ବିସ୍ତାର କରି ଚର୍ଚ୍ଚାରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ରାମଗଡ ଗାଁ ।

ଗାଁର ମହାନଦୀ କୁଳରେ ଥିବା ବାବା କେଦାରଶ୍ୱର ଶୈବ ପୀଠ ପରିସରର ଚିତ୍ର ଇଏ। ପିଢିପିଢି ଧରି ରାମଗଡ ଗ୍ରାମବାସୀ ବିରଳ ବାଦୁଡିଙ୍କ ସୁରକ୍ଷା କରିଆସୁଛନ୍ତି ଫଳରେ ବାଦୁଡି ମାନଙ୍କ ବଂଶ ବିସ୍ତାର ଆଶାତିତ ଭାବେ ବୃଦ୍ଧି ପାଇଛି। କୌଣସି ଶିକାରୀ ମାନଙ୍କ ଲୋଲୁପ ଦୃଷ୍ଟି ଯେପରି ବାଦୁଡିଙ୍କ ଉପରେ ପଡିବ ନାହିଁ ସେଥିପାଇଁ ଗାଁର ଲୋକମାନେ ପାଳିଆ ଓଳିଆ କରି ବାଦୁଡି ରହୁଥିବା ସ୍ଥାନରେ ପ୍ରହରା ଦେଇଥାନ୍ତି । ଏଥିରେ ମୁଖ୍ୟ ଭୁମିକା ଗ୍ରହଣ କରିଥାନ୍ତି ମନ୍ଦିର ସେବାୟତ । ଗ୍ରାମବାସୀ ଯେ କେବଳ ବାଦୁଡିଙ୍କ ସୁରକ୍ଷା ଦେଉଛନ୍ତି ତାହା ନୁହେଁ ବାଦୁଡି ମାନେ ମଧ୍ୟ ଗ୍ରାମବାସୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ହେଉ କି କୌଣସି ଅଘଟଣର ଆଗୁଆ ସୁଚନା ଦେଉଥିବା କହିବା ସହିତ ଗ୍ରାମରେ ହେଉଥିବା ସମସ୍ତ ଫସଲର ସୁରକ୍ଷା କରନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।

ଅସନ୍ତୁଳିତ ପରିବେଶ ଜଳବାୟୁ ପରିବର୍ତନ ସ୍ୱତେ ଏଠାରେ ନିର୍ଭୟରେ ବସବାସ କରନ୍ତି ଲକ୍ଷାଧିକ ବାଦୁଡି । ବାବା କେଦାରେଶ୍ୱର ଶୈବପୀଠ ପରିସରରେ ଥିବା ଫାସି,ତେନ୍ତୁଳୀ ଓ ବରଗଛ ଡାଳରେ ବସା ବାନ୍ଧି ରହୁଥିବା ବାଦୁଡି ପକ୍ଷୀ ଦିନ ତମାମ କିଚିରିମିଚିରି ଶବ୍ଦ କରୁଥିବାବେଳେ ରାତି ହେଲେ ବାହାରି ଯାଆନ୍ତି ଖାଦ୍ୟ ଅନ୍ୱେଷଣରେ । ବାଦୁଡିଙ୍କ ଏପରି ଉପକାରିତାକୁ ବେଶ ଭଲଭାବେ ବୁଝି ପାରିଛନ୍ତି ରାମଗଡ ଗାଁ ଲୋକେ । ସେଥିପାଇଁ ତ ଗାଁ ଲୋକେ ପ୍ରହରା ମାରି ବାଦୁଡିଙ୍କ ସୁରକ୍ଷାରେ ନିଜକୁ ନିୟୋଜିତ କରିଥାନ୍ତି । ଦିନକୁ ଦିନ ଲୋପ ପାଇବାକୁ ବସିଥିବା ଏହି ବିରଳ ପ୍ରଜାତିର ବାଦୁଡିଙ୍କ ସୁରକ୍ଷା କରି ଏବେ କେବଳ ଜିଲ୍ଲା କାହିଁ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛନ୍ତି ରାମଗଡ ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.