ବ୍ରହ୍ମପୁର ସହରର ଟ୍ରାଫିକ୍ ବ୍ୟବସ୍ଥାରେ ଆସିବ ସୁଧାର, ବଢାଗଲା କନେଷ୍ଟବଳଙ୍କ ସଂଖ୍ୟା

ବ୍ରହ୍ମପୁର(କେନ୍ୟୁଜ୍):ବ୍ରହ୍ମପୁର ସହରରେ ସବୁବେଳେ  ଦେଖାଦେଇଥାଏ  ଟ୍ରାଫିକର ସମସ୍ୟା  । ସହରର ଅଣ ଓସାରିଆ ରାସ୍ତା ସାଙ୍ଗକୁ ଖାଲ ଖମାରେ ପରିପୁଣ୍ଣ ରାସ୍ତା ଯୋଗୁଁ ଗୁରୁତର ଟ୍ରାଫିକ୍ ସମସ୍ୟା ଉପୁଜୁଥାଏ। ଏହା ଦ୍ୱାରା ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ମାନ ହେଉଥିବା ଦେଖିବାକୁ ମିଳେ  । ସହରବାସୀ ମଧ୍ୟ ଟ୍ରାଫିକ୍ ନିୟମକୁ ଭଙ୍ଗ କରୁଥିବା ନଜିର ରହିଛି  । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ପକ୍ଷରୁ ଇଣ୍ଟିଗ୍ରେଟେଡ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଣ୍ଚମ ( ଆଇଟିଏମଏସ ) କାର୍ଯ୍ୟକାରୀ କରିବା ସହ ସହରର ମୁଖ୍ୟ ଛକରେ ସିସି ଟିଭି କ୍ୟାମେରା ଓ ଟ୍ରାଫିକ୍ ଲାଇଟ ଖଞ୍ଜା ଯାଇଛି  । ଯାହା ଫଳରେ କିଛି ମାତ୍ରାରେ ଟ୍ରାଫିକ୍ ଉଲଘଂନକାରୀ ସଜାଗ ହେଉଥିବା ବେଳେ ସିସି ଟିଭି ଯାଞ୍ଚରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି  । ଏଭଳି ସ୍ଥିତିରେ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଲାଗି ବ୍ରହ୍ମପୁର ପୋଲିସର ଦାୟିତ୍ତ୍ୱ ସହ ଚ୍ୟାଲେଞ୍ଜ ରହିଛି  ।

ଆଉ ଏବେ ସହରର ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ବ୍ରହ୍ମପୁର ପୋଲିସ ଅଣ୍ଟା ଭିଡିଛି  । ଆଉ ଏଥିପାଇଁ ଏବେ ଟ୍ରାଫିକ୍ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ସଂଖ୍ୟା ଦୁଇଗୁଣ କରିଛି ବ୍ରହ୍ମପୁର ପୋଲିସ। ପୂର୍ବରୁ ସହରର ବିଭିନ୍ନ ଟ୍ରାଫିକ୍ ପୋଷ୍ଟ ଓ ବିଭିନ୍ନ ଛକର ପ୍ରାୟ 58 ଜଣ ପୋଲିସ କର୍ମଚାରୀ ନିୟୋଜିତ ହେଉଥିଲେ  । ଏହା ସହ ନିଜ ନିଜ ଥାନା ଅଞ୍ଚଳର ହୋମଗାର୍ଡ ଓ ଓଏପିଏଫ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଉଥିଲା  । ବର୍ତ୍ତମାନ ଏହି ସଂଖ୍ୟା 90ରେ ପହଞ୍ଚିଛି  । ସ୍ୱତନ୍ତ୍ର ଭାବେ ଟ୍ରାଫିକ୍ ପରିଚାଳନା ନେଇ ତାଲିମ ପାଇଥିବା 40 ଜଣ ପୁରୁଷ ମହିଳା କନେଷ୍ଟବଳଙ୍କୁ ବ୍ରହ୍ମପୁର ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗତ କାଲିଠାରୁ ନିୟୋଜିତ କରାଯାଇଛି  । ଟ୍ରାଫିକ୍ ଦାୟିତ୍ତ୍ୱରେ ନିୟୋଜିତ ହୋଇଥିବା ଏହି କର୍ମଚାରୀମାନେ ସହରର ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବାରେ ବେଶ ସହାୟକ ହେବେ ଓ ଏଥିପାଇଁ ସହରବାସୀ ସହଯୋଗ କରିବାଲାଗି ବ୍ରହ୍ମପୁର ଏସପି କହିଛନ୍ତି  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.