ଲଣ୍ଡା ପାହାଡରେ ସୃଷ୍ଟି କରିଛନ୍ତି ସବୁଜ ବନାନୀ, ଜଙ୍ଗଲକୁ ଜୀବନ ଭାବନ୍ତି ନୂଆପଡାର ଭୂଷଣ

ନୂଆପଡା(କେନ୍ୟୁଜ): ଲଣ୍ଡା ପାହାଡରେ ସୃଷ୍ଟି କରିଛନ୍ତି ସବୁଜ ବନାନୀ । କାନ୍ଧରେ କୁରାଢୀ ଆଉ ହାତରେ ଧନୁ ଧରି ଦୀର୍ଘ ୪୦ ବର୍ଷ ହେବ ନିର୍ଭୟରେ ଜଙ୍ଗଲ ସୁରକ୍ଷା କରିଆସୁଛନ୍ତି ଭୂଷଣ ବନଛୋର । ଜଙ୍ଗଲକୁ ଜୀବନ ଭାବୁଥିବା ନୂଆପଡା କେନ୍ଦୁପାଟି ଗାଁର ଭୂଷଣ ଏବେ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଅନନ୍ୟ ଉଦାହରଣ ।

ଜଙ୍ଗଲର ପ୍ରତ୍ୟେକ ଗଛ ତାଙ୍କୁ ଚିହ୍ନନ୍ତି । ଗଛର ପ୍ରତ୍ୟେକଟି ଶାଖା ତାଙ୍କୁ ସଖା ବୋଲି ଭାବନ୍ତି । କାରଣ ସେ ଗଛକୁ ନିଜ ସନ୍ତାନ ଭଳି ସ୍ନେହ କରନ୍ତି । ଆପଣ ଦେଖୁଥିବା ଏହି ଅନନ୍ୟ ସୃଷ୍ଟିର ସ୍ରଷ୍ଟା ହେଉଛନ୍ତି ନୂଆପଡା ଖଡିଆଳ ବ୍ଲକ୍‌ କେନ୍ଦୁପାଟି ଗାଁର ଭୂଷଣ ବନଛୋର । ୪୦ ବର୍ଷ ତଳେ ଗାଁର ଲଣ୍ଡା ପାହାଡ ରତାଲୁ ଡୁଙ୍ଗୁରୀରେ ପ୍ରଥମେ ୮୦ ହେକ୍ଟର ଏବଂ ପରେ ୭ ଶହ ଏକର ପରିଧିରେ ଗଛ ଲଗାଇବା ଆରମ୍ଭ କରିଥିଲେ ଭୂଷଣ । କାନ୍ଧରେ କୁରାଢୀ ଆଉ ହାତରେ ଧନୁ ତୀର ଧରି ଜଙ୍ଗଲକୁ ନିଜ ସନ୍ତାନ ଭାବେ ସୁରକ୍ଷା ଦେଇଆସୁଛନ୍ତି ସେ । ହେଲେ ଗତ କିଛି ବର୍ଷ ତଳେ ଭୂଷଣଙ୍କୁ ଟାଙ୍ଗିଆରେ ହାଣି ଲହୁଲୁହାଣ କରିଦେଇଥିଲେ ଜଙ୍ଗଲ ମାଫିଆ । ତଥାପି ନିଜ ଲକ୍ଷରୁ ବିଚ୍ୟୁତ ହୋଇ ନାହାଁନ୍ତି ଭୂଷଣ ।

ଅନ୍ୟପଟେ ବନବିଭାଗ ପକ୍ଷରୁ ଭୂଷଣ ବନଛୋରଙ୍କୁ ପ୍ରକୃତି ମିତ୍ର ଏବଂ ବନମିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି । ହେଲେ ଏଯାଏ ତାଙ୍କୁ ନା ମିଳିପାରିଛି ବିଜୁ ପକ୍କା ଘର ନା ମିଳିଛି ବାର୍ଦ୍ଧକ୍ୟ ଭତ୍ତା । ତେବେ ଆଗାମୀ ଦିନରେ ସରକାରଙ୍କ ନିୟମ ଅନୁସାରେ ଆହୁରୀ ସୁବିଦା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଖଡିଆଳ ବନବିଭାଗ ରେଞ୍ଜର ।

Leave A Reply

Your email address will not be published.