Below header

ନବୀନ ନିବାସରେ ନୀତୀଶ କୁମାର: ଓଡିଶା-ବିହାର ରାଜନୀତି ନେଇ ଚାଲିଛି ଆଲୋଚନା !

ନବୀନ ନିବାସରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଯାଇଥିଲେ ନବୀନ ନିବାସ । ଏହାପରେ ଦୁଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରୁଥିବା ସୂଚନା ମିଳିଛି । ତେବେ କେଉଁ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ତାଉପରେ ସମସ୍ତଙ୍କର ନଜର ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ନବୀନ-ନୀତୀଶ ଆଲୋଚନା । ନବୀନ ନିବାସରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଯାଇଥିଲେ ନବୀନ ନିବାସ । ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିତରକୁ ପାଛୋଟି ନେଇଥିଲେ । ଏହାପରେ ଦୁଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରୁଥିବା ସୂଚନା ମିଳିଛି । ତେବେ କେଉଁ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ତାଉପରେ ସମସ୍ତଙ୍କର ନଜର ରହିଛି । ଆଲୋଚନା ପରେ ନୀତୀଶ ପାଟନା ଫେରିଯିବେ ।

ନୀତୀଶଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା । ଦୁୁଇ ନେତାଙ୍କ ସମ୍ପର୍କ ବହୁ ପୁରୁଣା । ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଉଭୟ କେନ୍ଦ୍ରମନ୍ତ୍ରୀ ଥିଲେ । ପୂର୍ବରୁ ବିଭିନ୍ନ ସମୟରେ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନୀତୀଶ କୁମାର । ୨୦୨୦ ଜାନୁଆରୀରେ ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ୍‌ କାଉନସିଲ୍‌ ବୈଠକରେ ଯୋଗ ଦେବାକୁ ଆସିଥିଲେ ନୀତୀଶ କୁମାର । ସେତେବେଳେ ନବୀନ ନିବାସରେ ଗୃହମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ସେତେବେଳେ ବିହାରରେ ଜେଡିୟୁ-ବିଜେପି ମେଣ୍ଟ ସରକାର ଥିଲା । ଏବେ ଚିତ୍ର ବଦଳିଛି । ବିଜେପି ମେଣ୍ଟରୁ ବାହାରି ଯାଇଛନ୍ତି ନୀତୀଶ । ତାପୂର୍ବରୁ ୨୦୧୭ ମାର୍ଚ୍ଚରେ ନବୀନ ନିବାସରେ ନୀତୀଶ ଓ ନବୀନ ଭେଟଘାଟ ହୋଇଥିଲା । ସେତେବେଳେ ବିହାରରେ ଥିଲା ଜେଡିୟୁ ଓ ଆରଜେଡି ମେଣ୍ଟ । ବର୍ତ୍ତମାନ ଅଣ ବିଜେପି ଦଳ ମୁଖ୍ୟଙ୍କୁ ଭେଟୁଛନ୍ତି ନୀତୀଶ କୁମାର । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକ ଜାତୀୟ ମେଣ୍ଟ ଗଠନ ପାଇଁ ପ୍ରଚେଷ୍ଟା କରି ଆସୁଛନ୍ତି । ତେଣୁ ନବୀନ-ନୀତୀଶଙ୍କ ଆଜିର ସାକ୍ଷାତ ଆଲୋଚନା ଉପରେ ସମସ୍ତଙ୍କର ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.