Below header

ଶ୍ରୀମନ୍ଦିରରେ ବିଶୃଙ୍ଖଳା ନେଇ ବିଜୟଙ୍କ ଅଭିଯୋଗ ପରେ ଉତ୍ତର ରଖିଲେ ଗଜପତି

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁରୀ ଶ୍ରୀମନ୍ଦିର ନୀତି ବିଶୃଙ୍ଖଳା ନେଇ ଗଜପତି ମହାରାଜଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ଗଜପତି ମହାରାଜ ଶସ୍ତା ବିବୃତି ଦେଇ ଖସିଯିବା ଅନୁଚିତ । ନିଜକୁ ମହାପ୍ରଭୁଙ୍କ ଆଦ୍ୟ ସେବକ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ବୋଲି ଗଜପତି ଭୁଲିଯିବା ଅନୁଚିତ । ତାଙ୍କର ମଧ୍ୟ ନିର୍ଦ୍ଦିଷ୍ଟ ଦାୟିତ୍ୱ ରହିଛି । ନୀତିଶୃଙ୍ଖଳା ନେଇ ସେ ମଧ୍ୟ ପ୍ରୟାସ କରିବା ଆବଶ୍ୟକ। ଶ୍ରୀମନ୍ଦିର ପରିଚାଳନାକୁ କେହି ମାମୁଲି ଭାବେ ନନିଅନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି । ସରକାର ମଧ୍ୟ ଶୃଙ୍ଖଳିତ ନୀତି ପାଇଁ ଚେଷ୍ଟା କରିବା ଆବଶ୍ୟକ । ଛୋଟ ଘଟଣାର ସମାଧାନ ପାଇଁ ପ୍ରଶାସନ ମଧ୍ୟ ଆନ୍ତରିକତା ଦେଖାଇଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଏହା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆଘାତ ଦେଇଛି ବୋଲି ବିଜୟ କହିଛନ୍ତି।

ସ୍ପଷ୍ଟୀକରଣ ଦେଲା ଗଜପତିଙ୍କ କାର୍ଯ୍ୟାଳୟ

GAJAPATI

ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ଗଜପତି ମହାରାଜାଙ୍କ କାର୍ଯ୍ୟାଳୟ । ୧୯୬୦ ମସିହାଠାରୁ ଓଡ଼ିଶା ସରକାର ସଂପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ପରିଚାଳନା ଭାର ହାତକୁ ନେଇଛନ୍ତି । ସେବେଠୁ ରାଜ୍ୟ ସରକାର ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ଓ ଶ୍ରୀମନ୍ଦିର ପ୍ରଶାସନ ଦୈନନ୍ଦିନ ପରିଚାଳନାର ଦାୟିତ୍ୱ ପୂର୍ଣ୍ଣମାତ୍ରାରେ ନେଇଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ କମିଟିର ବୈଠକରେ ଅଧ୍ୟକ୍ଷତା କରିବା ଗଜପତିଙ୍କ କାର୍ଯ୍ୟ । ଏହା ବ୍ୟତୀତ ଶ୍ରୀମନ୍ଦିର ପରିଚାଳନାରେ ତାଙ୍କର କୌଣସି ଅଧିକାର କିମ୍ବା ଦାୟିତ୍ୱ ନାହିଁ ବୋଲି ଗଜପତିଙ୍କ କାର୍ଯ୍ୟାଳୟ ସ୍ପଷ୍ଟୀକରଣ ଦେଇଛି । ସେହିପରି ଆଦ୍ୟ ସେବକଙ୍କ ସେବାରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱର କୌଣସି ଅଂଶ ନାହିଁ । ଏହା ସହ ଗଜପତିଙ୍କ ବାରମ୍ବାର ସ୍ପଷ୍ଟୀକରଣ ପରେ ବି ଏଭଳି ଭ୍ରାନ୍ତ ଧାରଣା ଉପୁଜିବା ଅନୁଚିତ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.