ଆଜିଠୁ କାଳିଆ ଯୋଜନାର ଶୁଭାରମ୍ଭ,ସନ୍ଧ୍ୟାରେ ସଚିବାଳୟରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜିଠୁ ଆରମ୍ଭ ହେବ କୃଷକ ଆସିଷ୍ଟାନ୍‌ସ ଫର ଲାଇଭଲିହୁଡ୍‌ସ ଆଣ୍ଡ ଇନ୍‌କମ ଅଗମେଣ୍ଟେସନ ବା କାଳିଆ ଯୋଜନା। ସନ୍ଧ୍ୟାରେ ସଚିବାଳୟରେ ଭିଡିଓ କନଫେରେନ୍ସି ଜରିଆରେ ‘କାଳିଆ ଯୋଜନା’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବ୍ଳକର ଚାଷୀଙ୍କୁ ଏହି ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିବେ ।

ଏହି ଯୋଜନାରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୩୦ ଲକ୍ଷ ଚାଷୀ ଓ ଭାଗଚାଷୀ ଉପକୃତ ହେବେ। ଯୋଜନାରେ ବର୍ଷକୁ ମିଳିବ ୧୦ ହଜାର ଟଙ୍କା। ଖରିଫ ଓ ରବି ଋତୁରେ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ସେହିପରି ଭୂମିହୀନ ଚାଷୀଙ୍କୁ ଛେଳି, ଛତୁ, କୁକୁଡ଼ା, ମାଛ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ। ପରିବାର ପିଛା ୧୨୫୦୦ ଟଙ୍କା ଦିଆଯିବ। ଏହାଦ୍ୱାରା ୧୦ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ।

ଉଭୟ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ଦୁଇ ଲକ୍ଷ ଟଙ୍କାର ଜୀବନ ବୀମା ଯୋଗାଇ ଦିଆଯିବ। ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ଆଉ ଦୁଇ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦିଆଯିବ। ଏହାଦ୍ୱାରା ୫୭ ଲକ୍ଷ ପରିବାର ଉପକୃତ ହେବେ। କାଳିଆ ଯୋଜନାରେ ଚାଷୀଙ୍କୁ ୫୦ ହଜାର ଟଙ୍କା ପର‌୍ୟ୍ୟନ୍ତ ଫସଲ ଋଣ ବିନା ସୁଧରେ ଦିଆଯିବ। ଏଥିପାଇଁ ଆଗାମୀ ୩ ବର୍ଷରେ ୧୦ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆସନ୍ତା ତିନି ବର୍ଷ ପର‌୍ୟ୍ୟନ୍ତ ଏହି ଯୋଜନା କାର‌୍ୟ୍ୟକାରୀ କରିବା ପାଇଁ ମଂଜୁରି ଦେଇଛି କ୍ୟାବିନେଟ୍‌ ।