ପୁରୀ: ସ୍ୱର୍ଗଦ୍ୱାରରୁ ହଟିବ ବିଜୁ ବାବୁଙ୍କ ସ୍ମୃତି ପୀଠ, ବଦଳରେ ରହିବ ଏକ ଫଳକ

ପୁରୀ(କେନ୍ୟୁଜ୍): ସ୍ୱର୍ଗଦ୍ୱାରରୁ ହଟିବ ବିଜୁ ବାବୁଙ୍କ ସ୍ମୃତି ପୀଠ। ଏହା ବଦଳରେ ରହିବ ଏକ ଫଳକ। ଏନେଇ ଆଜି ବିଧିବଦ୍ଧ ଭାବରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୫ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ । ଫୋନିକ୍ସ ଫାଉଣ୍ଡେସନ ସହୟତାରେ ଏହି ବିକାଶ କାର୍ଯ୍ୟ କରାଯିବ । ଆଜି ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବାତ୍ୟା ଫନିରେ ପୁରୀ ସ୍ୱର୍ଗଦ୍ୱାରରେ ବହୁ କ୍ଷୟକ୍ଷତି ହୋଇଥିଲା । ଏହାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର କାମ ହାତକୁ ନେଇଛନ୍ତି । ଏଥିରେ ଶବଦାହ ଠାରୁ ଆରମ୍ଭ କରି ଶବ ବାହାକଙ୍କ ପର୍ଯ୍ୟନ୍ତ ଅତ୍ୟାଧୁନିକ ସୁବିଧା ରହିବ । ଅସ୍ଥି ସଂଗ୍ରହ ଓ ଏହାର ସଂରକ୍ଷଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ୬ ମାସ ମଧ୍ୟରେ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁ ବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି । ସ୍ୱର୍ଗଦ୍ୱାରରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା ତାହା ଏବେ ଓଡ଼ିଶା ବାସୀଙ୍କ ସେବାରେ ଲାଗିବ । ସ୍ୱର୍ଗଦ୍ୱାରକୁ ବିଶ୍ୱାସର ପବିତ୍ର ଭୂମି ଭାବେ ବର୍ଣ୍ଣନା କରି ଏହାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.