Below header

ଚାଲିଗଲେ ଓଡିଆ ସାହିତ୍ୟ ଜଗତର ଆଉ ଏକ ତାରକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି, ଆଜି ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ

କେନ୍ୟୁଜ୍(ବ୍ୟୁରୋ):  ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ । କଟକ ବାଦାମବାଡ଼ି ସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକ ସ୍ଥିତ ସତୀଚଉରାରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ।

୧୯୩୬ ମସିହା ନଭେମ୍ବର ୧୧ ତାରିଖରେ ବ୍ରହ୍ମପୁର ସହରରେ ତାଙ୍କ ଜନ୍ମ । ୧୯୫୩ରେ ଚାନ୍ଦୋଳରୁ ମାଟ୍ରିକ୍‌ ପାସ୍‌, ୧୯୫୫ରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଆଇଏ ପାସ୍‌ କରିବା ପରେ ରେଭେନ୍ସାରେ ବିଏ ଅନର୍ସରେ ପାସ୍‌ କରିଥିଲେ । ୧୯୫୯ରେ ଏମ୍‌ଏ ଅର୍ଥନୀତିରେ ରେଭେନ୍ସା ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୬୦ରେ ବାଲେଶ୍ୱରର କୁନ୍ତଳାକୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ଅଧ୍ୟାପିକା ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅଧ୍ୟାପନା ଜୀବନ ସହ ଆରମ୍ଭ ହୋଇଥିଲା ତାଙ୍କର ସୁଦୀର୍ଘ ସାରସ୍ୱତ ଯାତ୍ରା । ତାଙ୍କର ପ୍ରଥମ ଗଳ୍ପ ‘ଗୋଟିଏ ରାତ୍ରିର କାହାଣୀ’ ୧୯୫୭ ମସିହାରେ ପ୍ରଜାତନ୍ତ୍ର ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ହୋଇଥିଲା ।

ଏପର୍ଯ୍ୟନ୍ତ ତାଙ୍କର ୩୦ ଗଳ୍ପ ସଂକଳନ, ତିନି ଖଣ୍ଡ ଉପନ୍ୟାସ, ପାଞ୍ଚ ଖଣ୍ଡ ଅନୁବାଦ, ଗୋଟିଏ କବିତା ଏବଂ ଗୋଟିଏ ଏକାଙ୍କିକା ପୁସ୍ତକ ପ୍ରକାଶିତ ହୋଇଛି । ତାଙ୍କର ପ୍ରସିଦ୍ଧ ଗଳ୍ପ ମଧ୍ୟରେ ରହିଛି ପାଟଦେଇ, ବସ୍ତ୍ରହରଣ ରହିଛି । ଏକାଧିକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ୧୯୬୮ରେ କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୦ରେ ପାଟଦେଇ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦ରେ ଶାରଳା ପୁରସ୍କାର, ୨୦୧୯ରେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଓ ୨୦୦୯ରେ କାଦମ୍ବିନୀ ସାହିତ୍ୟ ସମ୍ମାନରେ ସମ୍ମାନିତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.