ଆଜି ହାଇକୋର୍ଟରେ ବିରଜା ରଥଯାତ୍ରା ମାମଲାର ହେବ ଶୁଣାଣି

କଟକ: ଆଜି ହାଇକୋର୍ଟରେ ବିରଜା ରଥଯାତ୍ରା ମାମଲାର ହେବ ଶୁଣାଣି। ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ କରିଥିଲେ ଅଦାଲତ। ଆଜି ସୁଦ୍ଧା ଏ ନେଇ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ କୁହାଯାଇଥିଲା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୁକ୍ତି ମଣ୍ଡପ ସେବାୟତ ପରିଷଦ ।

ପ୍ରତିବର୍ଷ ଦୂର୍ଗା ପୂଜା ଅବସରରେ ମା ବିରଜାଙ୍କର ସ୍ୱତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋରୋନା ଜନିତ କଟକଣା ରହିଥିବାରୁ କୌଣସି ମନ୍ଦୀର ରେ କୌଣସି ଧର୍ମୀୟ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ନିୟମ ରହିଛି। ଚଳିତ ବର୍ଷ ମଳ ମାସ ପଡୁଥିବାରୁ ମାଙ୍କ ଦୂର୍ଗାପୂଜା ୪୬ ଦିନ ଧରି ଚାଲିବ ଏବଂ ମାଙ୍କ ରଥଯାତ୍ରା ଆସନ୍ତା ଅକ୍ଟୋବର ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ୯ ଦିନ ଧରି ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ସେଥିପାଇଁ ମାଙ୍କ ରଥଯାତ୍ରା ପରମ୍ପରାକୁ ରକ୍ଷା କରିବା ପାଇଁ ମୁକ୍ତି ମଣ୍ଡପ ସେବାୟତ ପରିଷଦ ପକ୍ଷରୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ନିବେଦନ କରାଯାଇଛି ।

ଏହି ରଥଯାତ୍ରା ସମୟରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ସହିତ ହାଇକୋର୍ଟ ଅନ୍ୟ ଯେଉଁ ସବୁ ସର୍ତ ରଖିବେ ତାକୁ ମାନି ରଥାଯାତ୍ରା କରାଯିବ ବୋଲି ସେବାୟତ ପରିଷଦ ପକ୍ଷରୁ ଅଦାଲତଙ୍କୁ ଦର୍ଶାଯାଇଛି । ବିରଜା ରଥଯାତ୍ରା ନେଇ ହାଇକୋର୍ଟରେ ଏ ପର୍ଯ୍ୟନ୍ତ ୪ଟି ଜନ ସ୍ଵାର୍ଥ ମାମଲା ରୁଜୁ ହୋଇଛି। ମୁକ୍ତି ମଣ୍ଡପ ସେବାୟତ ପରିଷଦ,ଜିଲା ଓକିଲ ସଂଘ, ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ
ଓ ବିରଜା ବାହିନୀ ପକ୍ଷରୁ ପୃଥକ ପୃଥକ ଜନସ୍ୱାର୍ଥ ମାମଲା ରୁଜ୍ଜୁ କରାଯାଇଛି। ଆଜି ବିରଜା ରଥଯାତ୍ରା ସଂକ୍ରାନ୍ତରେ ଦୁଇଟି ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଦୁଇଟି ଯାକ ମାମଲାର ଏକତ୍ର ଶୁଣାଣି ପାଇଁ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.