ଆସନ୍ତାକାଲି ୨୫ ବର୍ଷରେ ପାଦ ଥାପିବ ବିଜେଡି: ଜୟଯାତ୍ରା ଓ ଲୋକପ୍ରିୟତା ପଛରେ ରହିଛି କିଛି ଖାସ୍‌ ମନ୍ତ୍ର

କେନ୍ୟୁଜ୍(ବ୍ୟୁରୋ):  ୧୯୯୭ ରୁ ୨୦୨୧ । ୨୫ ବର୍ଷର ଲମ୍ବା ଯାତ୍ରା । ରାଜ୍ୟର ସବୁଠୁ ବଡ଼ ଦଳ ବିଜେଡି । ଦିନକୁ ଦିନ ଅଧିକ ସଶକ୍ତ ହେବା ସହ ଅଭୂତପୂର୍ବ ସଫଳତା ହାସଲ କରି ଚାଲିଛି । ପାଇଛି ରାଜ୍ୟବାସୀଙ୍କ ଅକୁଣ୍ଠ ସମର୍ଥନ । ଉଡ଼ାଇଛି ବିଜୟ ବାନା । ଶକ୍ତିଶାଳୀ ଆଞ୍ଚଳିକ ଭାବେ କେବଳ ରାଜ୍ୟ ନୁହେଁ ଜାତୀୟ ରାଜନୀତିରେ ରହିଛି ଢେର ଦବଦବା । ଆସନ୍ତାକାଲି ଦଳ ୨୫ ବର୍ଷରେ ପାଦ ଥାପିବ । ଏକ ଆଞ୍ଚଳିକ ଦଳ ଭାବେ ବିଜେଡିର ଜୟଯାତ୍ରା ଓ ଲୋକପ୍ରିୟତା ପଛରେ ରହିଛି କିଛି ଖାସ୍‌ ମନ୍ତ୍ର ।

୧-ସ୍ଥିର ଶୀର୍ଷ ନେତୃତ୍ୱ

୧୯୯୭ ମସିହା ଡିସେମ୍ବର ୨୬ରେ ନୂଆ ଆଞ୍ଚଳିକ ଦଳ ଭାବେ ବିଜେଡିର ହୋଇଥିଲା ଅଭ୍ୟୁଦୟ । ସେବେଠୁ ଦଳର ସୁପ୍ରିମୋ ରହିଆସିଛନ୍ତି ନବୀନ ପଟ୍ଟନାୟକ । ବିଜେଡି ତାଙ୍କର କମାଣ୍ଡ, ନିୟନ୍ତ୍ରଣ ଓ ଦିଗ୍‌ଦର୍ଶନରେ ପରିଚାଳିତ । ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସବୁବେଳେ ଲଢ଼େଇ କରିଆସିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ବର୍ଷ ଧରି ରାଜ୍ୟକୁ ସ୍ଥିର ସରକାର ଦେଇଛନ୍ତି । ୨୦୦୦ ମସିହାରୁ ଏଯାଏ ୫ଟି ସାଧାରଣ ଓ ବିଧାନସଭା ନିର୍ବାଚନରେ ବାଜିମାତ୍‌ କରିଛି ବିଜେଡି । ପ୍ରଥମ ଦୁଇଟି ନିର୍ବାଚନରେ ବିଜେପି ସହ ମେଣ୍ଟ କରି ଦଳ ନିର୍ବାଚନ ଲଢ଼ିଥିଲା ଓ ସରକାର ଗଠନ କରିଥିଲା । ତେବେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଅଧିକ ସିଟ୍‌ ଜିତିବା ସହ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛି ।

୨-ବିଜୁ ଲିଗାସୀ
ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ବିଜୁ ପ୍ରେମୀମାନେ ଗଠନ କରିଥିଲେ ବିଜେଡି । ବିଜୁଙ୍କ ନୀତି ଆଦର୍ଶକୁ ପାଥେୟ କରି ଦଳ ଆଗକୁ ବଢ଼ିିଛି । ଏହାସାଙ୍ଗକୁ ନବୀନଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଦଳ ପାଇଁ ଏକ ବଡ଼ ପ୍ଲସ ପଏଣ୍ଟ । ସ୍ୱଳ୍ପ ଭାଷୀ ସାଙ୍ଗକୁ ସାଧାରଣ ବେଶଭୂଷା । କିନ୍ତୁ ଠିକଣା ସମୟରେ ଠିକ୍‌ ନିଷ୍ପତ୍ତି ନେଇ ଚମକାଇ ଦିଅନ୍ତି । କିଛି ମାସ ତଳେ ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ଆର୍ଟିକିଲରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ନବୀନଙ୍କୁ ଏକ ଭିନ୍ନ ରାଜନେତା ଭାବେ ଅଭିହିତ କରିଥିଲେ। ଯେତେବେଳେ ନବୀନ ରାଜନୀତିରେ ପ୍ରବେଶ କଲେ ସେତେବେଳେ ସମ୍ମାନୀୟ ବିଜୁ ବାବୁଙ୍କ ପୁଅ ଭାବେ ତାଙ୍କୁ ଜାଣିଥିଲେ । କିନ୍ତୁ ଗତ ୨୪ ବର୍ଷ ଭିତରେ ସେ ନିଜର ଏକ ଲିଗାସୀ ସୃଷ୍ଟି କରିଛନ୍ତି।

୩-ଯୁବ ନେତୃତ୍ୱକୁ ପ୍ରାଧାନ୍ୟ
ବିଜେଡି ସଂଗଠନରେ ସବୁବେଳେ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ । ବିଭିନ୍ନ ପଦପଦବୀରେ ଯୁବ ଓ ଟାଣୁଆ ନେତା ମଙ୍ଗ ଧରିଛନ୍ତି । ୩୦ ଓ ୪୦ ବର୍ଷ ବୟସ ବର୍ଗର ନେତା ଦଳର ଗୁରୁତ୍ୱପୂର୍ଣ୍ଣ ପଦରେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ସଂଗଠନରେ ଭେଟରାନ ଓ ଯୁବ ଗୋଷ୍ଠୀଙ୍କ ତାଳମେଳ ଦ୍ୱାରା ନୂଆ ଶିଖର ଛୁଇଁପାରିଛି ବିଜେଡି ।
୪-ବିଶୃଙ୍ଖଳାକୁ ବରଦାସ୍ତ ନାହିଁ
ଦଳରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରିନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପାର୍ଟିର ଭାବମୂର୍ତ୍ତିରେ ଆଞ୍ଚ ଆଣିଥିବା ନେତାଙ୍କୁ ବିଭିନ୍ନ ସମୟରେ ଦଳ ବାହାରର ରାସ୍ତା ଦେଖାଇଛନ୍ତି । ପ୍ରମାଣ ଆଧାରରେ ନେତାଙ୍କ ବିରୋଧରେ ନେଇଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ।
୫-ଲୋକାଭିମୁଖୀ ଯୋଜନା
ନବୀନ ସରକାର ଜନ୍ମଠୁ ମୃତ୍ୟୁ ଯାଏ ଅନେକ ଯୋଜନା କରି ଜନସମର୍ଥନ ସାଉଁଟିଛନ୍ତି । ଭୋକମୁକ୍ତ ଓଡ଼ିଶା ପାଇଁ ଟଙ୍କିକିଆ ଚାଉଳରେ ଖାଦ୍ୟ ସୁରକ୍ଷା,କାଳିଆରେ ନାମମାତ୍ର ଓ କ୍ଷୁଦ୍ର ଚାଷୀ ସହ ଭୂମିହୀନ, ଭାଗଚାଷୀ ଉପକୃତ ହେଉଛନ୍ତି । ଅନେକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ସହ ଏସ୍‌ସିବି ମେଡିକାଲ କଲେଜକୁ ଏମ୍‌ସ ପ୍ଲସ କରିବା ପାଇଁ ପଦକ୍ଷେପ ନେଉଛନ୍ତି। BSKYରେ ବଣ୍ଟାଯାଉଛି ସ୍ମାର୍ଟ ହେଲଥ କାର୍ଡ । ଫାଇଲିନଠାରୁ ଆରମ୍ଭ କରି ୟଶ ପ୍ରାୟ ୮ଟି ବାତ୍ୟା ଦେଖିଛି ଓଡ଼ିଶା। ଆଉ ବିଶ୍ୱ ଦେଖିଛି ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ପରିଚାଳନା। ସେହିପରି ହକି ବିଶ୍ୱକପ୍‌ ଆୟୋଜନ ସମେତ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଢେର ଓଡ଼ିଶା ସାଉଁଟିଛି ଅନେକ ପ୍ରଶଂସା ।
୬-ମହିଳା ସଶକ୍ତୀକରଣ
ମମତା ଠୁ ଆରମ୍ଭ କରି ମିଶନ ଶକ୍ତି । ମହିଳା ସଶକ୍ତୀକରଣ ନବୀନଙ୍କ ଦୂରଦର୍ଶୀ ନୀତିର ଏକ ଉଦାହରଣ। ବିଜେଡି ସହ ମହିଳା ଓ ସମାଜର ଦୁର୍ବଳ ବର୍ଗଙ୍କ ରହିଛି ସବୁଠୁ ବଡ଼ ସମର୍ଥନ । SHG ଜରିଆରେ ମହିଳାଙ୍କ ମଧ୍ୟରେ ବିଜେଡି ନିଜ ସମର୍ଥନକୁ ବ୍ୟାପକ କରିପାରଛି । ବର୍ତ୍ତମାନ SHG ଦ୍ୱାରା ପ୍ରାୟ ୫ଶହ କୋଟିର ସରକାରୀ ବିଜନେସ ହେଉଛି । ପ୍ରାୟ ୭୦ ଲକ୍ଷ ଲୋକ ଏସଏଚଜି ଜରିଆରେ ଅର୍ଥନୈତିକ କ୍ଷେତ୍ରରେ ସଶକ୍ତ ହୋଇପାରିଛନ୍ତି । ସେହିପରି ମ୍ୟାଲେରିଆ ନିରାକରଣ ଓ ମାତୃ ମୃତ୍ୟୁ ହାର ରୋକିବାରେ ଅଗ୍ରଣୀ ରାଜ୍ୟ ପାଲିଟିଛି ଓଡ଼ିଶା । ଗତ ଲୋକସଭା ନିର୍ବାଚନରେ ମଧ୍ୟ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ଦଳ ପ୍ରାର୍ଥୀ କରିଥିଲା ।୨୫ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ରାଜନୈତିକ ପଣ୍ଡିତ ଓ ଜ୍ୟୋତିର୍ବିଦ୍‌ଙ୍କ ସବୁ ଆକଳନକୁ ଭୁଲ ପ୍ରମାଣିତ କରିଛି ବିଜେଡି । ଆଉ ରାଜ୍ୟ ରାଜନୀତିରେ ନିଜକୁ ଅପରାଜେୟ ସାବ୍ୟସ୍ତ କରିଛନ୍ତି ନବୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.