ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରେ ନଦୀରେ ବୁଡ଼ିଗଲା ଡଙ୍ଗା, ୫୮ ମୃତ; ଥିଲେ ୩୦୦ ଯାତ୍ରୀ
ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରୁ ଆସିଛି ଏକ ବଡ଼ ଡଙ୍ଗା ବୁଡ଼ି ଘଟଣା । ଏଠାରେ ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାଠ ତିଆରି ଡଙ୍ଗା ନଦୀରେ ବୁଡ଼ିଯିବାରୁ ୫୮ ଜଣଙ୍କ ମୃତ୍ୟୁ ହୋଇଛି ।

ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରୁ ଆସିଛି ଏକ ବଡ଼ ଡଙ୍ଗା ବୁଡ଼ି ଘଟଣା । ଏଠାରେ ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାଠ ତିଆରି ଡଙ୍ଗା ନଦୀରେ ବୁଡ଼ିଯିବାରୁ ୫୮ ଜଣଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ, ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ବେଳେ ଡଙ୍ଗାରେ ୩୦୦ରୁ ଅଧିକ ଯାତ୍ରୀ ଥିଲେ । ଯେତେବେଳେ ଡଙ୍ଗାଟି ରାଜଧାନୀ ବଙ୍ଗୁଇ ଦେଇ ଯାଇଥିବା ମପୋକୋ ନଦୀ ଅତିକ୍ରମ କରୁଥିଲା, ସେହି ସମୟରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ନୌକା ଚାଳକ ଏବଂ ମତ୍ସଜୀବୀମାନେ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ ।
ବଙ୍ଗୁଇ ୟୁନିଭର୍ସିଟି ହସ୍ପିଟାଲର ଅଧିକାରୀମାନେ କହିଛନ୍ତି ଯେ ସେନା ଯେତିକି ଉଦ୍ଧାର ଅଭିଯାନ ଆଗକୁ ବଢ଼ାଉଥିଲା, ମୃତକଙ୍କ ସଂଖ୍ୟା ମଧ୍ୟ ସେତିିକି ବଢ଼ିଚାଲିଥିଲା । ମଧ୍ୟ ଆଫ୍ରିକୀୟ ଗଣରାଜ୍ୟର ରାଜଧାନୀ ବଙ୍ଗୁଇରେ ନଦୀ ପାର୍ ହୋଇ ଏହି ଡଙ୍ଗା ଏକ ଗାଁକୁ ଯାଉଥିଲା । ଉକ୍ତ ଗାଁରେ ଏକ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ୩୦୦ ଜଣ ଯାତ୍ରୀ ଡଙ୍ଗାରେ ଯାଉଥିଲେ । ହେଲେ ହଠାତ୍ ଡଙ୍ଗାଟି ବୁଡ଼ିଯିବାରୁ ୫୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଶନିବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ନାଗରିକ ସୁରକ୍ଷା ବିଭାଗର ମୁଖ୍ୟ ଥୋମାସ୍ ଜିମାସେ କହିଛନ୍ତି ଯେ ଏହି ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ଘଟଣାର ୪୦ ମିନିଟ୍ ପରେ ଆମକୁ ଯୋଗାଯୋଗ କରାଯାଇଥିଲା । ଉଦ୍ଧାର କର୍ମୀମାନେ ନଦୀରୁ ୫୮ଟି ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଏବେ ବି ନଦୀରେ ନିଖୋଜ ଥିବା ଲୋକଙ୍କୁ ଖୋଜାଖୋଜି କରାଯାଉଛି । ନଦୀ ପରିବହନ ସୁରକ୍ଷା ନିୟମଗୁଡ଼ିକୁ ଉତ୍ତମ ଅନୁପାଳନ ପାଇଁ ମଧ୍ୟ ଆହ୍ଵାନ କରାଯାଇଛି ।
ଡଙ୍ଗାରେ ୩୦୦ରୁ ଅଧିକ ଲୋକ ଯାତ୍ରା କରୁଥିଲେ ବୋଲି ସୂଚନା ରହିଛି । ବହୁ ଜଣ ନିଖୋଜ ଥିବା କୁହାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।