ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ କହିଲେ, ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି

ଭୁବନେଶ୍ୱର : ୨୫ ବର୍ଷର ଲମ୍ବା ଯାତ୍ରା । ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଏହି ସଫଳତା ପଛରେ ଅଛନ୍ତି ସଶକ୍ତ, ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ଦେଖିଥିବା ପ୍ରତ୍ୟେକ ରାଜ୍ୟବାସୀ। ସମସ୍ତଙ୍କୁ ସାଥୀରେ ନେଇ ବିଜେଡି ଶହ ଶହ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରି ଚାଲିବ । ଆଜି ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳର ବସ୍ ହେଉଛନ୍ତି ଓଡ଼ିଶାବାସୀ। ଦିଲ୍ଲୀରେ କେହି ଆମର ବସ ନାହାନ୍ତି ବୋଲି ନବୀନ କହିଛନ୍ତି ।
ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ । ରାଜ୍ୟର ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଉତ୍ସାହିତ ଦଳୀୟ ନେତା ଓ କର୍ମୀ । ଏହି ଅବସରରେ ଉଦ୍ବୋଧନ ଦେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି।
ଏହି ସଫଳତା ପଛରେ ରହିଛନ୍ତି ସଶକ୍ତ, ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ଦେଖିଥିବା ପ୍ରତି ଓଡ଼ିଶାବାସୀ। ସମସ୍ତଙ୍କୁ ସାଥୀରେ ନେଇ ଶହ ଶହ ବର୍ଷ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ସେବା କରି ଚାଲିବ ଦଳ। ଓଡ଼ିଶାରେ ଗରିବୀ ୬୩ ପ୍ରତିଶତରୁ ୨୯ ପ୍ରତିଶତକୁ କମିଛି। ଅଶୀ ଲକ୍ଷ ଲୋକ ଗରିବୀ ରେଖା ଉପରକୁ ଆସିଛନ୍ତି। ଏହାସହ ଆଗାମୀ ପାଞ୍ଚ ବର୍ଷରେ ଗରିବୀକୁ ୧୦ ପ୍ରତିଶତକୁ ହ୍ରାସ କରି ଓଡ଼ିଶା ଇତିହାସ ରଚିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଦିନଥିଲା ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା ଓଡ଼ିଶା । କିନ୍ତୁ ଏବେ ସେ ସ୍ଥିତି ନାହିଁ। ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଆଜି ତିନି ନମ୍ବର ସ୍ଥାନରେ ଅଛି। ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଆଜି ଆଗରେ । ପଞ୍ଚାୟତ ଓ ପୌରାଞ୍ଚଳରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ରଖାଯାଇଛି।
ସଂସଦରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ସାରା ଦେଶକୁ ବାଟ ଦେଖାଇଛି। କରୋନା ସମୟରେ ମାଗଣା ଚିକିତ୍ସା ଦେଇଛନ୍ତି ରାଜ୍ୟ ସରକାର । ଲୋକଙ୍କ ଭିତରେ ଭରସା ସୃଷ୍ଟି କରିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ। ଫାଇଭ ଟି ସ୍କୁଲ ଟ୍ରାନ୍ସଫରେମେସନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଜୁ ଜନତା ଦଳର ବସ୍ ହେଉଛନ୍ତି ଓଡ଼ିଶାବାସୀ। ଦିଲ୍ଲୀରେ କେହି ଆମର ବସ ନାହାନ୍ତି। ଯାହା କରୁଛୁ ଓଡ଼ିଶାବାସୀଙ୍କ ପାଇଁ । ଆମ କାମ ପାଇଁ ଆମେ କେବଳ ଓଡ଼ିଶାବାସୀଙ୍କ ପାଖରେ ଉତ୍ତରଦାୟୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।