କିସରେ ବାର୍ଷିକ ଅଭିଭାବକ ସମ୍ମିଳନୀ ୨୦୨୧

ଭୁବନେଶ୍ୱର : ରବିବାର କିସ୍ ପରିସରରେ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ବାର୍ଷିକ ଅଭିଭାବକ ସମ୍ମିଳନୀ ୨୦୨୧। ଅଭିଭାବକ ସଂଘର ପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଥିଲେ, ଜନଜାତିଙ୍କ ସ୍ଥାୟୀ ବିକାଶ ପାଇଁ ଶିକ୍ଷା ଅପରିହାର୍ଯ୍ୟ। ଜନଜାତିମାନେ ହେଉଛନ୍ତି ସମାଜର ଅବହେଳିତ ବର୍ଗ।

ଏମାନଙ୍କର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। କିନ୍ତୁ ଜନଜାତିଙ୍କ ସ୍ଥାୟୀ ବିକାଶ ପାଇଁ ଶିକ୍ଷା ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ଏହି ଲକ୍ଷ୍ୟ ନେଇ ଦୀର୍ଘ ୨୫ବର୍ଷ ଧରି କିସ୍ ଏ ଦିଗରେ କାର୍ଯ୍ୟ କରିଆସୁଛି। ଆଜି କିସ୍ର ହଜାର ହଜାର ଛାତ୍ରଛାତ୍ରୀ ପାଠ ପଢି ନିଜେ ସାମାଜିକ ଓ ଆର୍ଥିକ ଭାବେ ସଶକ୍ତ ହେବା ସହ ନିଜ ପରିବାର ଓ ସମାଜକୁ ସଶକ୍ତ କରିବାରେ ସକ୍ଷମ ହୋଇପାରିଛନ୍ତି।

କରୋନା ମହାମାରୀ ଯୋଗୁଁ ଦୀର୍ଘ ୨ ବର୍ଷ ଧରି ଅଭିଭାବକ ସମ୍ମିଳନୀ ପ୍ରତ୍ୟକ୍ଷ ଭାବେ ହୋଇପାରିନଥିଲା। ଦୁଇ ବର୍ଷ ପରେ ଅଭିଭାବକ ପ୍ରତିନିଧିଙ୍କୁ ନେଇ ଏହି ସମ୍ମିଳନୀ ହୋଇପାରିଥିବାରୁ ଡ. ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ସମସ୍ତ ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଦୀର୍ଘ ୧୮ ମାସ ହେଲା ପିଲାମାନେ ଘରେ ରହୁଥିବାରୁ ସେମାନଙ୍କ ପାଠପାରେ ଯେଭଳି କିଛି ଅସୁବିଧା ନ ହୁଏ ସେଥିପାଇଁ କିସର ଶିକ୍ଷକ ଶିକ୍ଷୟିତ୍ରୀମାନେ ସର୍ବଦା ଛାତ୍ରଛାତ୍ରୀଙ୍କ ଯୋଗାଯୋଗରେ ରହି ଆସୁଥିଲେ।ଏହା ସହ ସେମାନଙ୍କ ପାଇଁ ପ୍ରତିମାସରେ ଶୁଖିଲା ଖାଦ୍ୟ ଓ ପାଠ୍ୟୋପକରଣ ମଧ୍ୟ ସେମାନଙ୍କ ଘରେ ପହଞ୍ଚାଇ ଦିଆଯାଉଛି। ଏଥିପାଇଁ ଅଭିଭାବକମାନେ କିସ୍ ର ଭୂୟସୀ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ କିସ୍ ଅଭିଭାବକ ସଂଘର ସଭାପତି ରାମ ଶବର, ସମ୍ପାଦକ ଲମ୍ବୋଦର ସିଂହ, ପଦ୍ମଶ୍ରୀ ଦୈତାରୀ ନାଏକ, କିସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ, ଉପକାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ପାତ୍ର, ଉନ୍ନୟନ ଅଧିକାରୀ ବସନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ବ୍ଲକରୁ ଅଭିଭାବକ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ଅବସରରେ ପଦ୍ମଶ୍ରୀ ଦୈତାରୀ ନାୟକଙ୍କୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧିତ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.