ଆଜି ବିଜେଡି ବିଜୟୀ ସାଂସଦ ପ୍ରାର୍ଥୀଙ୍କ ବୈଠକ, ନବୀନ ନିବାସରେ ସାଂସଦଙ୍କୁ ଭେଟିବେ ବିଜେଡି ସୁପ୍ରିମୋ

ଆଜି ବସୁଛି ବିଜେଡି ବିଜୟୀ ସାଂସଦ ପ୍ରାର୍ଥୀଙ୍କ ବୈଠକ । ଦିନ ୧୦ଟା ୩୦ରେ ନବୀନ ନିବାସରେ ଦଳର ନବ ନିର୍ବାଚିତ ଲୋକସଭା ସାଂସଦଙ୍କୁ ଭେଟିବେ ବିଜେଡି ସୁପ୍ରିମୋ । ଭର୍ତ୍ତୃହରି ମହତାବଙ୍କୁ ଲୋକସଭା ସଂସଦୀୟ ଦଳ ନେତା ନିର୍ବାଚିତ କରାଯାଇପାରେ । ସେହିପରି ପିନାକୀ ମିଶ୍ରଙ୍କୁ ଚିଫ୍‌ ହ୍ଵିପ୍‌ କରାଯାଇପାରେ । ଏଥର ବିଜେଡିରୁ ୧୨ସାଂସଦ ନିର୍ବାଚିତ ହୋଇଛନ୍ତି । ୧୨ ଜଣଙ୍କ ମଧ୍ୟରୁ ୧୦ ନୂଆ ମୁହଁ । କଟକରୁ ଭର୍ତ୍ତୃହରି ଓ ପୁରୀରୁ ପିନାକୀ ମିଶ୍ର ଛାଡି ଦେଲେ, ଅନ୍ୟ ୧୦ ଜଣ ପ୍ରଥମ ଥର ଲୋକସଭାକୁ ଯିବେ । ବିଜୟୀ ହୋଇଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ମହିଳା । ଜଗତସିଂହପୁରୁ ରାଜଶ୍ରୀ ମଲ୍ଲିକ ଏଥର ରାଜ୍ୟରେ ସର୍ବାଧିକ ୨ ଲକ୍ଷ ୭୧ ହଜାର ୬୫୫ ଭୋଟରେ ବିଜୟୀ ହୋଇଛନ୍ତି । ଏହାସହ ଆସିକାରୁ ପ୍ରମୀଳା ବିଷୋୟୀ, ଯାଜପୁରରୁ ଶର୍ମିଷ୍ଠା ସେଠୀ, କେନ୍ଦୁଝରରୁ ଚନ୍ଦ୍ରାଣୀ ମୁର୍ମୁ ଓ ଭଦ୍ରକୁ ମଞ୍ଜୁଲତା ମଣ୍ଡଳ ବିଜୟୀ ହୋଇଛନ୍ତି । କେନ୍ଦୁଝରରୁ ଜିତିଥିବା ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ସର୍ବ କନିଷ୍ଠା । ୨୬ ବର୍ଷ ମଧ୍ୟ ହୋଇ ନାହିଁ । ସଂସଦକୁ ଯିବାରେ ଦେଶରେ ସେ ହେବେ ସର୍ବ କନିଷ୍ଠା ।

ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ । ଦିନ ୧୨ଟା ୩୦ରେ ବିଜୁ ଜନତା ଦଳ କାର‌୍ୟ୍ୟାଳୟରେ ବୈଠକ ହେବ । ଭୁବନେଶ୍ୱରରେ ଦଳୀୟ କାର‌୍ୟ୍ୟାଳୟରେ ବୈଠକରେ ଆନୁଷ୍ଠାନିକ ଭାବେ ନବୀନଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯିବ । ଏହାପରେ ନୂଆ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ଅବଗତ କରାଇବ ବିଜେଡି । ପୁଣିଥରେ ରାଜ୍ୟବାସୀ ନବୀନଙ୍କ ଉପରେ ଭରସା କରିଛନ୍ତି । ଚଳିତ ବିଧାନସଭାରେ ବିଜେଡି ୧୧୨ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨୩ଟି, କଂଗ୍ରେସ ୯ଟି ଓ ଅନ୍ୟାନ୍ୟ ଦୁଇଟି ଆସନରେ ବିଜୟୀ ହୋଇଛନ୍ତିି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.