Below header

ଦୃଷ୍ଟିହୀନ ହୋଇ ମଧ୍ୟ ଆତ୍ମନିର୍ଭରଶୀଳ, କିନ୍ତୁ କରୋନା ଛଡାଇନେଲା ରୋଜଗାର

କାକଟପୁର(କେନ୍ଯୁଜ୍): ଜନ୍ମରୁ ସେ ଦୃଷ୍ଟିହୀନ। ହେଲେ ପେଟ ପାଇଁ କାହାଆଗରେ ହାତପତାଇ ଭିକ୍ଷା ମାଗିନାହାନ୍ତି | ନିଜେ ଗୋଟେ ଦୋକାନ କରି ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ | କଥାରେ ଅଛି ଅରଖିତକୁ ଦଇବସାହା। ଅସ୍ତରଙ୍ଗ ବ୍ଲକର ଶିଶୁଅ ଗ୍ରାମର ରବୀନ୍ଦ୍ର ବେହେରା। ଜନ୍ମରୁ ସେ ଦୃଷ୍ଟିହୀନ | ଦୃଷ୍ଟିହୀନ ହେଲେବି ନିଜ କାମ ନିଜେ କରିଥାନ୍ତି | ସେ ଜଣେ ଦିବ୍ଯାଙ୍ଗ ହୋଇ ମଧ୍ୟ ପେଟପୋଷିବା ପାଇଁ ଦିନେ କାହାରି ପାଖରେ ହାତପତାଇ ନାହାନ୍ତି | ନିଜେ ଆତ୍ମର୍ନିଭର ହୋଇ ଗାଁ ଛକମୁଣ୍ଡରେ ଗୋଟିଏ ଛୋଟିଆ ଖିଲିପାନ ଦୋକାନଟିଏ ଦେଇଛନ୍ତି ସେ | ଜନ୍ମରୁ ଦୃଷ୍ଟିହୀନ ହେଲେ ମଧ୍ୟ ପାନରେ ଚୂନ ଲଗାଇ ସେଥିରେ ଗୁଆ, ମସଲା ପକାଇ ଖିଲିପାନ ଭାଙ୍ଗି ଗ୍ରାହକ ମାନଙ୍କୁ ବଢାଇ ଦେଇଥାନ୍ତି ରବୀନ୍ଦ୍ର । ଦୃଷ୍ଟି ଶକ୍ତି ହରାଇଥିଲେ ମଧ୍ୟ ଟଙ୍କା ପଇସାକୁ ହାତରେ ଧରି ସଠିକ ଭାବରେ ଜାଣି ହିସାବ କରି ପାରନ୍ତି ସେ |

୧୦୦ଟଙ୍କିଆ ୫୦ଟଙ୍କିଆ ୫୦୦ ଟଙ୍କିଆ ନୋଟ ହେଉ ଅବା ଖୁଚୁରା ଟଙ୍କା, ଆଙ୍ଗୁଠି ସାହାଯ୍ଯରେ ଚିହ୍ନିପାରନ୍ତି ସେ | ଏହି ଖିଲିପାନ ଦୋକାନରୁ ଯାହା କିଛି ରୋଜଗାର ହୁଏ ସେଇଥିରୁ ଜେନତେନ ପ୍ରକାରରେ ଚଳିଯାନ୍ତି ରବୀନ୍ଦ୍ର | ହେଲେ କରୋନା କଟଟକଣା ଲାଗୁ ହେଲା ପରେ ରବୀନ୍ଦ୍ରଙ୍କ ଦୁଖ ଦୁଇ ଗୁଣିତ ହୋଇଯାଇଛି | ଦୋକାନ ବଜାର ଖୋଲିବା ଉପରେ କଟକଣା ଲାଗିବାସହ ଲୋକମାନଙ୍କ ଯାତାୟାତ କମିଯିବା କାରଣରୁ ରବୀନ୍ଦ୍ରଙ୍କ ବେବସାୟ ସଂପୂର୍ଣ୍ଣ ବନ୍ଦ ରହିଛି | ରବୀନ୍ଦ୍ରଙ୍କ ପରିବାର କହିଲେ ସ୍ତ୍ରୀ ଆଉ ଗୋଟିଏ ପୁଅ । ହେଲେ ଗତ କିଛି ବର୍ଷ ତଳେ ପାରିବାରିକ କଳହ କାରଣରୁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡପତ୍ର ଦେଇ ପୁଅକୁ ଧରି ଚାଲିଯାଇଛନ୍ତି | ସେବେଠାରୁ ରବୀନ୍ଦ୍ର ଜୀବନପଥର ଏକୁଟିଆ ବାଟୋଇ ହୋଇ ଚାଲିବାକୁ ମନସ୍ଥ କରିନେଇଛନ୍ତି |

rabindraରବୀନ୍ଦ୍ରଙ୍କ ଜୀବନ ଏକପ୍ରକାର ଦୁର୍ବୀସହ ହୋଇପଡିଛି | ମୁଣ୍ଡଗୁଞ୍ଜିବାକୁ ବଖରାଏ ଭଙ୍ଗା ମାଟିଘର । ହେଲେ ସେଥିରେ ନଡାଛପର ନ ହୋଇ ଚାଳଉପରେ ଗଛଉଠିଗଲାଣି | ପେଟଚାଖଣ୍ଡକ ପାଇଁ ଦୃଷ୍ଟିହୀନ ମଣିଷଟିଏ ହାତରେ କାଠଚୂଲିରେ ରୋଷେଇ କରି ଦରସିଝା ଭାତକୁ ତରକାରୀ ଖାଇଥାଏ। କେଉଁଦିନ ହେଲେ ହେଲା ନହେଲେ ନାହିଁ | ସେଇଥିରେ ପେଟପୂରାଇବାକୁ ପଡେ ରବିନ୍ଦ୍ରକୁ | ବେଳେ ବେଳେ ରାନ୍ଧିନପାରିଲେ ଭାଉଜ ଆଉ ପୁତୁରାଙ୍କ ହାତଟେକାକୁ ଅନାଇ ପେଟର ଭୋକ ମେଣ୍ଟାଇବାକୁ ପଡେ | ଅନ୍ଯପଟେ ମାସକୁ କେବଳ ଭିନ୍ନକ୍ଷମ ଭତା ୭୦୦ଟଙ୍କା ପାଉଛନ୍ତି ରବୀନ୍ଦ୍ର |ସେହି ୭୦୦ ଟଙ୍କା ଭତାରେ ଚଳିବା ସମ୍ଭବ ହେଉନଥିବା ସେ କହିଛନ୍ତି ।

ଜୀବନ ଜିଇବା ପାଇଁ ସେ କେତେ ସଂଘର୍ଷ କରୁଛନ୍ତି ରବୀନ୍ଦ୍ର | ହେଲେ ରବୀନ୍ଦ୍ରଙ୍କ ପାଇଁ ସରକାରୀ ଆବାସ ଯୋଜନା ସାତସପନ ହୋଇରହିଛି | କେବେ ଏହି ଅନ୍ଧ ଅସହାୟ ରବୀନ୍ଦ୍ର ବେହେରାଙ୍କ ଉପରେ ପ୍ରଶାସନର ଶୁଭଦୃଷ୍ଟି ପଡିବ ଓ ସରକାରୀ ସହାୟତା ମିଳିପାରିବ ସେହିଦିନକୁ ଜାଣିବାକୁ ବାକିରହିଲା ।

କାକଟପୁରରୁ ଲୋକନରଥ ସ୍ବାଇଁ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.