ନିର୍ବାଚନୀ ହିଂସା : ଭୁବନେଶ୍ବର ଦେବରାୟ ଓ ବାରିପଦା ଏମପିସି କଲେଜରେ ବୋମା ମାଡ଼

ଭୁବନେଶ୍ବର (କେନ୍ୟୁଜ୍) : ଆଜି ଥିଲା ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣାର ଦିନ । ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ନାମାଙ୍କନ ପ୍ରତ୍ୟାହାର ଏବଂ ଯାଞ୍ଚ ପରେ ଚୂଡ଼ାନ୍ତ ତାଲିକା ଘୋଷଣା ହୋଇଛି । ତଥାପି କିଛି କଲେଜରେ ହିଂସାର ବାତାବରଣ ସ୍ରୁଷ୍ଟି ହୋଇଛି । ଆଜି ଭୁବନେଶ୍ବର ଦେବରାୟ କଲେଜରେ ବୋମା ଫୁଟିଛି । ସୂଚନା ଅନୁଯାୟୀ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଶୁଣିବା ପାଇଁ ଛାତ୍ରଛାତ୍ରୀମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲା ବେଳେ ଆଜି ପୂର୍ବାହ୍ନ ୩.୩୫ରେ କଲେଜ ପରିସରରେ ହଠାତ୍ ଦୁଇଟି ବୋମା ପଡିଥିଲା।
ଘଟଣା ଘଟାଇ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ବୋମା ମାଡ଼ ପରେ କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସମସ୍ତେ ଇତସ୍ତତଃ ହୋଇ ଦୌଡୁଥିବାର ଦେଖିବାକୁ ମିଳିଥିଲା। ପରେ ଛାତ୍ର ଛାତ୍ରୀମାନେ ଆସି କଲେଜ ଆଗରେ ଧାରଣା ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏ ନେଇ କଲେଜ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ନେବାରେ ସେ କହିଥିଲେ ଯେ ପୋଲିସରେ ଅଭିଯୋଗ ହୋଇଛି ଏବଂ ପୋଲିସ ଆବଶ୍ୟକ ପଦକ୍ଷେପ ନେବ । ପରେ ଅଧ୍ୟକ୍ଷ କଲେଜରେ ସାଇନ୍-ଡାଏ ଘୋଷଣା କରିଛନ୍ତି ।
ସେହିପରି ରାଜଧାନୀ କଲେଜରେ ବିଶୃଙ୍ଖଳା ଯୋଗୁଁ ମଧ୍ୟ ସାଇନ୍-ଡାଏ ଘୋଷଣା କରିଛନ୍ତି ଅଧ୍ୟକ୍ଷ।
ବାରିପଦା ଏମପିସି କଲେଜରେ ବି ଫୁଟିଲା ବୋମା
ବାରିପଦା (କେନ୍ୟୁଜ୍) : ବାରିପଦାର ମହାରାଜ ପୂର୍ଣ୍ଣଚନ୍ଦ୍ର କଲେଜରେ ମଧ୍ୟ ନିର୍ବାଚନୀ ହିଂସା ଦେଖା ଦେଇଛି । କିଛି ଅସାମାଜିକ ଲୋକ ବୋମା ପକାଇ ଛାତ୍ର ଛାତ୍ରୀଙ୍କୁ ଭୟଭୀତ କରିଛନ୍ତି । ଏଭଳି ସ୍ଥିତି ପରେ ଅଧ୍ୟକ୍ଷ କଲେଜରେ ସାଇନ୍-ଡାଏ ଘୋଷଣା କରିଛନ୍ତି ।