ତେଲେଙ୍ଗାନାରେ ଦାଦନ ଶ୍ରମିକ ବନ୍ଧକ, ମିଳୁଛି ଅକଥନୀୟ ନିର୍ଯ୍ୟାତନା

ତେଲେଙ୍ଗାନାରେ ଶ୍ରମିକ ମୃତ । ମୃତ ଶ୍ରମିକ ହେଲେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାଲିମାଟି ଗାଁର ରବିନ୍ଦ୍ର ହାତୀ । ପତ୍ନୀ ସହ ସିକନ୍ଦରାବାଦକୁ କାମ କରିବାକୁ ଯାଇଥିଲେ । ଏକ କୁକୁଡ଼ାଫାର୍ମରେ ଉଭୟ କାମ କରୁଥିଲେ । ସେହିଭଳି କୋମନା ବ୍ଲକ ନୂଆଗାଁର ଦିବ୍ୟାଙ୍ଗ ଯୁବକ ବିଦ୍ୟାଧର ଚିନାଗୁନ । ଦାଦନ ଖଟିବାକୁ ଯାଇ ତିନିମାସ ହେବ ବିଦ୍ୟାଧର ନିଖୋଜ ଅଛନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): ତେଲେଙ୍ଗାନାରେ ଶ୍ରମିକ ମୃତ । ମୃତ ଶ୍ରମିକ ହେଲେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାଲିମାଟି ଗାଁର ରବିନ୍ଦ୍ର ହାତୀ । ଗତ ଫେବୃୟାରୀ ମାସରେ ରବିନ୍ଦ୍ର ହାତୀ ଓ ତାଙ୍କ ପତ୍ନୀ ଯଶୋଦା କାମ ଅନେ୍ଵଷଣରେ ସିକନ୍ଦରାବାଦକୁ ଯାଇଥିଲେ । ସିକନ୍ଦରାବାଦ ଜିଲ୍ଲା ବିକିରିବାଦରେ ଏକ କୁକୁଡ଼ାଫାର୍ମରେ ଉଭୟ କାମ କରୁଥିଲେ । ଗତ ଏପ୍ରିଲ ୨୪ରେ ରବିନ୍ଦ୍ର ତାଙ୍କ ଭାଉଣୀଙ୍କ ସହ ଫୋନରେ କଥା ହୋଇଥିଲେ । କଥା ହେବାର ୨ ଘଣ୍ଟା ପରେ ଏକ ଅଜଣା ନମ୍ବରରୁ ଫୋନ ଆସିଲା ତମ ଭାଇ ଆତ୍ମହତ୍ୟା କରିଦେଇଛି । ଯେମିତି ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା । ଟିକିଏ ପୂର୍ବରୁ ସବୁକିଛି ଠିକ ଥିବାବେଳେ ଏପରି କିପରି ହେଲା ବୋଲି ସେ ବିଶ୍ୱାସ କରିପାରୁ ନଥିଲେ । ପରେ ସେହି ନମ୍ବରରେ ଫୋନ କଲେ ତାହା ସ୍ୱିଚଅଫ୍‌ ଆସିଥିଲା । ରବିନ୍ଦ୍ର ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଉପଯୁକ୍ତ ତଦନ୍ତ କରି ନ୍ୟାୟ ଦେବାକୁ ଦାବି ହୋଇଛି ।

ସେହିଭଳି କୋମନା ବ୍ଲକ ନୂଆଗାଁର ଦିବ୍ୟାଙ୍ଗ ଯୁବକ ବିଦ୍ୟାଧର ଚିନାଗୁନ । ତାଙ୍କ ବାପା ଓ ମାଆଙ୍କ ସହ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ । ଗତ ତିନିମାସ ହେବ ବିଦ୍ୟାଧର ନିଖୋଜ ଅଛନ୍ତି । ଏପରିକି ନିଖୋଜ ଯୁବକଙ୍କ ବାପା ଶୋଭା ଚିନାଗୁନ ଓ ମାଆ ଉଲ୍ଲାସ ଚିନାଗୁନଙ୍କୁ ଇଟାଭାଟି ମାଲିକ ବନ୍ଧକ ରଖିଛି । ଏହାସହ ଅକଥନୀୟ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଗତ ଡିସେମ୍ବର ମାସରେ ବଲାଙ୍ଗିର ଜିଲ୍ଲା ଖୁଟୁଲୁମୁଣ୍ଡା ଗାଁର ଦାଦନ ସର୍ଦାର ପୁରନ ବାଗ ଜରିଆରେ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ । ନାଲଗୋଣ୍ଡା ଜିଲ୍ଲା ମିରେଲଗୁଡା ଥାନା ଗୁରୁଲ ଗାଁର ଏକ ଇଟାଭାଟିରେ କାମକରୁଥିଲେ । ଏନେଇ ପରିବାର ପକ୍ଷରୁ ନୂଆପଡ଼ା ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଛି । ସେମାନଙ୍କୁ ସେଠାରୁ ତୁରନ୍ତ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି । ଏନେଇ ତେଲେଙ୍ଗାନା ଶ୍ରମବିଭାଗ ଅଧିକାରୀଙ୍କୁ ଅବଗତ କରାଯାଇଥିବା ଅଧିକାରୀ କହିଛନ୍ତି । ତାଙ୍କୁ ଯେତେଶୀଘ୍ର ସମ୍ଭବ ଉଦ୍ଧାର କରିବାର ପ୍ରତିଶୃତି ନୂଆପଡ଼ା ଜିଲ୍ଲା ଶ୍ରମ ଅଧିକାରୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.